• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କେତେ ସୁରକ୍ଷିତ ବ୍ୟାଙ୍କ ଲକର ? କେତେ ନିରାପଦ ବ୍ୟାଙ୍କରେ ଜମା ଥିବା ଆପଣଙ୍କ ମୂଲ୍ୟବାନ ଅଳଙ୍କାର ? କୋରାପୁଟ ଲକ୍ଷ୍ମୀପୁର SBI ଶାଖାରେ କଳାକନା ବୁଲାଇଥିବା ଦୁର୍ବୃତ୍ତ ନିକଟରେ ଧରା ପଡ଼ିଥିବା ବେଳେ ଆଜି ଢେଙ୍କାନାଳ ରାସୋଳ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଡକାୟତି ଘଟଣାରେ ୯ ଜଣଙ୍କୁ ବାନ୍ଧିଛି ପୋଲିସ୍ ।

ସେମାନଙ୍କଠାରୁ ଲୁଟ ହୋଇଥିବା ୫ କେଜିରୁ ଅଧିକ ସୁନାଗହଣା ସହିତ ପ୍ରାୟ ୭ କେଜି ଅଳଙ୍କାର ଜବତ କରାଯାଇଛି । ଏହାର ଆନୁମାନିକ ମୂଲ୍ୟ ୨ କୋଟି ଟଙ୍କାରୁ ଅଧିକ ହେବ । ନଗଦ ୧୧ ଲକ୍ଷ ୫୫ ହଜାର ଟଙ୍କା ସହ ଜବତ ହୋଇଛି ୨ଟି ବାଇକ, ଗୋଟିଏ ସ୍କୁଟର ଓ ଗୋଟିଏ କାର୍ । ଗତ ୧୨ ତାରିଖରେ ରାସୋଳ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରେ ୪ ଦୁର୍ବୃତ୍ତ ମାରଣାସ୍ତ୍ର ସହ ପଶି ୩ ଜଣଙ୍କୁ ଷ୍ଟ୍ରଙ୍ଗ ରୁମରେ ତାଲା ପକାଇ ଲକରରେ ଥିବା ସୁନା ସହ ଚମ୍ପଟ ମାରିଥିଲେ ।

ଉଭୟ ଘଟଣାରେ ଲୁଟେରାଙ୍କ ନିଶାନାରେ ଥିଲା ଲକର୍ । ସିଧା ଷ୍ଟ୍ରଙ୍ଗରୁମକୁ କରାଯାଇଥିଲା ଟାର୍ଗେଟ୍, ଯାହାକୁ ସାଧାରଣତଃ ବ୍ୟାଙ୍କର ସବୁଠୁ ନିରାପଦ ସ୍ଥାନ କୁହାଯାଏ । ଗ୍ରାହକମାନେ ବି ଏଠାରେ ନିର୍ଭୟରେ ରଖିଥାନ୍ତି ସେମାନଙ୍କ କଷ୍ଟ ଉପାର୍ଜିତ ଧନ ସମ୍ପତ୍ତି । ହେଲେ ଏବେ ଏହାର ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ ।

ଷ୍ଟ୍ରଙ୍ଗରୁମ୍ ପାଇଁ ଧାର୍ଯ୍ୟ ନିୟମାବଳୀକୁ ମାନୁଛନ୍ତି ତ ବ୍ୟାଙ୍କ କର୍ତ୍ତୃପକ୍ଷ ? ଲକର ନିର୍ମାଣରେ ରିଜର୍ଭ ବ୍ୟାଙ୍କ ଦ୍ୱାରା ନିର୍ଦ୍ଧାରିତ ସ୍ପେସିଫିକେସନର ପାଳନ କରୁଛନ୍ତି ତ ? କେତେକ କ୍ଷେତ୍ରରେ ଲକର ନିର୍ମାଣରେ ତ୍ରୁଟିକୁ ଦାୟୀ କରୁଥିବା ବେଳେ ରାତିରେ ପୋଲିସ ପାଟ୍ରୋଲିଂ ବଢାଇବା ଉପରେ ଗୁରୁତ୍ୱ ଦେବାକୁ ମତ ଦେଇଛନ୍ତି ବ୍ୟାଙ୍କ ଅଧିକାରୀ । ବ୍ୟାଙ୍କ ସୁରକ୍ଷା କେବଳ ସିସିଟିଭି ବ୍ୟବସ୍ଥାରେ ସୀମିତ ଥିବାବେଳେ ସମୟ ଆସିଛି ଏହାକୁ ଆହୁରି ସୁଦୃଢୀକରଣ ଏବଂ ଅତ୍ୟାଧୁନିକ କରିବାର ।