/odishatv-khabar/media/post_attachments/uploadimage/library/16_9/16_9_0/IMAGE_1698508005.jpg)
Cyber Crime
ହଠାତ ଆପଣଙ୍କ ମୋବାଇଲ କୁ କଲ ଆସିବ । ଆଉ କେହି ଜଣେ ଅଜଣା ଲୋକ ନିଜର ଭାବି କଥା ହେବ । ଆପଣଙ୍କ ସମ୍ପର୍କିୟ ବନ୍ଧୁ ପରିଜନଙ୍କ ପରିଚୟ ଦେବ । ଖାଲି ସେତିକି ନୁହଁ । ଫୋନ କଲ ପରେ ଟଙ୍କା ପଠାଇଥିବାର ମେସେଜ ଆସିବ । ଅନୁରୋଧ କରିବ କିଛି ଟଙ୍କା ପଠାଇଲି ମୋର ଜଣେ ବନ୍ଧୁଙ୍କୁ ଦେଇଦେବେ । ଟଙ୍କା ପଠାଇବାର ବି ମେସେଜ ଆସିବ । କିନ୍ତୁ ଟଙ୍କା ଆସିନଥିବ ଖାଲି ମିଥ୍ୟା ମେସେଜ ଆସିବ । ତାପରେ ଠକ ଫେରସ୍ତ ମାଗିବ ଓ ଦେଇଥିବା ମେସେଜ ପଢିବାକୁ କହିବ । ତାପରେ ମେସେଜ ଆସିଥିବା ଟଙ୍କା ଠକ ପାଖକୁ ଯିବ ।
ଏତେ ସଚେତନତା ପରେ ବି ସାଇବର ଠକଙ୍କ ଶିକାର ହୋଇଛନ୍ତି ଯାଜପୁରର ଜଣେ ଓକିଲ । ସେ ଠକାମିର ଶିକାର ହେବା ପରେ ପୋଲିସର ଦ୍ୱାରସ୍ଥ ହୋଇଥିଲେ । ତାଙ୍କ ଅଭିଯୋଗ ପରେ ଟଙ୍କା ଲୁଟୁଥିବା ସାଇବର ଠକକୁ ଗିରଫ କରି କୋର୍ଟ ପଠାଇଛି ଯାଜପୁର ପୋଲିସ । ଠକ ଜଣକ ହେଉଛି ନୟାଗଡ ଜିଲ୍ଲାର କାର୍ତିକ ରାଉତରାୟ । ତାକୁ କଟକ ବାଙ୍କି ଅଂଚଳରୁ ଗିରଫ କରିଛି ପୋଲିସ । ତା ନିକଟରୁ ୬ଟି ବ୍ୟାଙ୍କ ଖାତା ଓ ୪ଟି ମୋବାଇଲ ଜବତ ହୋଇଛି ।
ସୁଚନା ଅନୁସାରେ ଯାଜପୁର ଟାଉନ ଅଂଚଳର ଜଣେ ଓକିଲଙ୍କୁ ଠକ ଜଣକ ପ୍ରଥମେ କଲ କରି ଜଣକୁ ସାହାଯ୍ୟ କରିବା ଲାଗି ୧୦ ହଜାର ପଠାଇଥିବାର ମିଥ୍ୟା ମେସେଜ ପଠାଇ ପୁଣି ଟଙ୍କା ଫେରାଇ ଦେବାକୁ କହି ଟଙ୍କା ଠକି ନେଇଥିଲା । ଏନେଇ ଯାଜପୁର ଥାନାରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଛି । ପୁର୍ବରୁ ଏହି ଅଭିଯୁକ୍ତ ନାମରେ ରାଜ୍ୟର ବିଭିନ୍ନ ଥାନାରେ ୧୦ରୁ ଉର୍ଦ୍ଧ ମାମଲା ରହିଛି ।
ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଏହି ଠକାମିରେ ସମ୍ପୃକ୍ତ ଥିବା ଅନ୍ୟ ଦୁଇ ଜଣ ଫେରାର ହୋଇଯାଇଛନ୍ତି । ସେମାନଙ୍କୁ ଠାବ କରାଯିବ ବୋଲି ଯାଜପୁର ଏସଡିପିଓ ସାମ୍ବାଦିକ ସମ୍ମିଳନିରେ ସୁଚନା ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)