• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଓଡ଼ିଶାରେ ପ୍ରତିଦିନ ୮ରୁ ଅଧିକ ମହିଳା ଓ ପାଖାପାଖି ୫ ଜଣ ନାବାଳିକା ଦୁଷ୍କର୍ମର ଶିକାର ହେଉଛନ୍ତି । ସେହିପରି ନିଖୋଜ ମହିଳାଙ୍କ ସଂଖ୍ୟା ବି ବଢୁଛି । ଦୁଷ୍କର୍ମ ଓ ନାରୀ ନିଖୋଜ ନେଇ ବିଧାନସଭାରେ ସରକାରଙ୍କ ଉତ୍ତର ପରେ ଏହାକୁ ନେଇ ସବୁ ମହଲରେ ଉଦବେଗ ପ୍ରକାଶ ପାଇଛି । ନାରୀ ସୁରକ୍ଷାର କଥା କହୁଥିବା ଓଡ଼ିଶାରେ କାହିଁକି ହେଉଛି ଏତେ ସଂଖ୍ୟକ ଦୁଷ୍କର୍ମ ଓ ଘଟୁଛି ହଜାର ହଜାର ନାରୀ ନିଖୋଜ ଘଟଣା । ତାକୁ ନେଇ ବଡ଼ ପ୍ରଶ୍ନବାଚୀ ଠିଆ ହୋଇଛି ।

ଓଡ଼ିଶାରେ ନାରୀ କେତେ ସୁରକ୍ଷିତ ? ସେମାନଙ୍କ ସୁରକ୍ଷା ଲାଗି ସରକାର କେତେ ଚିନ୍ତିତ ? କାରଣ ପ୍ରତିଦିନ ରାଜ୍ୟରେ ଦୁଷ୍କର୍ମର ଶିକାର ହେଉଛନ୍ତି ୮ରୁ ଅଧିକ ମହିଳା । ସେହିପରି ପ୍ରତିଦିନ ରାଜ୍ୟରେ ପାଖାପାଖି ୫ ନାବାଳିକା ଦୁଷ୍କର୍ମର ଶିକାର ହେଉଛନ୍ତି । ରାଜ୍ୟରେ ନାରୀ ନିର୍ଯାତନା ଓ ଯୌତୁକ ହତ୍ୟା ନେଇ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନର ଉତ୍ତରରେ ଏଭଳି ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା । ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଉତ୍ତର କହୁଛି, ୨୦୧୯ରୁ ୨୦୨୨ ଏପ୍ରିଲ ସୁଦ୍ଧା ସାଢ଼େ ୩ ବର୍ଷରେ ରାଜ୍ୟରେ ୧୦ ହଜାର ୧୨୯ ଜଣ ଦୁଷ୍କର୍ମର ଶିକାର ହୋଇଛନ୍ତି ।

ସେଥିମଧ୍ୟରୁ ୨୦୧୯ରେ ୨ ହଜାର ୯୫୦ ଜଣ ଦୁଷ୍କର୍ମର ଶିକାର ହୋଇଥିବା ବେଳେ ୨୦୨୦ରେ ୨ ହଜାର ୯୮୪ ଜଣ, ୨୦୨୧ରେ ୩ ହଜାର ୩୨୭ ଜଣ ଏବଂ ଚଳିତ ବର୍ଷ ଏପ୍ରିଲ ସୁଦ୍ଧା ୮୬୮ଟି ଦୁଷ୍କର୍ମ ମାମଲା ଆସିଛି । ସେହିଭଳି ଏ ସାଢ଼େ ୩ ବର୍ଷର ଅବଧିରେ ରାଜ୍ୟରେ ୫ ହଜାର ୫୮୪ ଜଣ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି । ସେମାନଙ୍କ ଭିତରୁ ୨୦୧୯ରେ ୧ ହଜାର ୬୩୫ ଜଣ, ୨୦୨୦ରେ ୧ ହଜାର ୬୪୬ ଜଣ, ୨୦୨୧ରେ ୧ ହଜାର ୮୭୧ ଜଣ ଏବଂ ଚଳିତ ବର୍ଷର ପ୍ରଥମ ୪ ମାସରେ ୪୩୨ ଜଣ ନାବାଳିକା ଦୁଷ୍କର୍ମ ମାମଲା ପଞ୍ଜୀକୃତ ହୋଇଛି । ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଏଭଳି ଉତ୍ତର ପରେ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ।

ଏପଟେ ଗତ ୩ ବର୍ଷରେ ରାଜ୍ୟରେ ୭ ହଜାର ୬୦୩ ଜଣ ବାଳିକା, ୨୫ ହଜାର ୯୭୩ ଜଣ ମହିଳା ନିଖୋଜ ହୋଇଥିବା ନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ । ନିଖୋଜ ବାଳିକାଙ୍କ ମଧ୍ୟରୁ ୫ ହଜାର ୮୭୨ ଜଣ ଉଦ୍ଧାର ହୋଇଥିବା ବେଳେ ଏଯାଏଁ ୧ ହଜାର ୭୩୧ ଜଣଙ୍କର ପତ୍ତା ମିଳିନି । ସେହିପରି ନିଖୋଜ ମହିଳାଙ୍କ ମଧ୍ୟରୁ ୯ ହଜାର ୯୨୦ ଜଣ ଉଦ୍ଧାର ହୋଇଥିବା ବେଳେ ୧୬ ହଜାର ୫୩ ଜଣ ଏବେ ବି ନିଖୋଜ ଥିବା ସେ ସୂଚନା ଦେଇଛନ୍ତି । ତେବେ ରାଜ୍ୟରେ ଦିନକୁ ଦିନ ମହିଳାଙ୍କ ପ୍ରତି ବଢ଼ୁଥିବା ନିର୍ଯାତନାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ସମାଜସେବୀ ।

ରାଜ୍ୟରେ ମହିଳା ନିଖୋଜ ହୋଇ ନ ମିଳିବା ତଥା ଦୁଷ୍କର୍ମ ସଂଖ୍ୟା ବୃଦ୍ଧି ନାରୀ ସୁରକ୍ଷା ନେଇ ସରକାର ତଥା ପ୍ରଶାସନର ପାରିବାପଣିଆ ଉପରେ ପ୍ରଶ୍ନ ଉଠାଇଛି । ଏ ତ ଗଲା ପଂଜିକୃତ ମାମଲାର କଥା । ଏମତି ଅନେକ ଘଟଣା ଘଟୁଛି ଯାହା ଲୋକଲୋଚନକୁ ଆସିପାରୁନି । ଏ ସବୁକୁ ହିସାବ କଲେ ରାଜ୍ୟରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ସଂଖ୍ୟା ଆହୁରି ବଢିପାରେ ।