• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଜଣଙ୍କୁ ଜାମିନ୍, ମୁକୁଳିଲେ ଅନ୍ୟଜଣେ । ଠକେଇ ଅଭିଯୋଗରେ ଜାମିନ ପାଇଥିବା ଜଣେ ଅଭିଯୁକ୍ତ ବଦଳରେ ଜଣେ ବଳାତ୍କାର ଅଭିଯୁକ୍ତଙ୍କୁ ଛାଡ଼ିଦେଲେ ଜେଲ୍ କର୍ତ୍ତୃପକ୍ଷ । ପୁଣି ଆଉ କେଉଁଠି ନୁହେଁ, ଖୋଦ୍ ରାଜଧାନୀର ଝାରପଡ଼ା ସ୍ପେଶାଲ ଜେଲରେ ଘଟିଛି ଏଭଳି ସାଂଘାତିକ ତ୍ରୁଟି । ଘଟଣା ସାମ୍ନାକୁ ଆସିବା ପରେ ଜେଲର ସୁରକ୍ଷା ବ୍ୟବସ୍ଥାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କଡ଼ା ସୁରକ୍ଷା ବଳୟରେ ବହୁ ହାର୍ଡକୋର୍ ଅପରାଧୀ ଥିବା ଝାରପଡ଼ା ଜେଲରେ କିଭଳି ଘଟିଲା ଏତେବଡ଼ ତ୍ରୁଟି, ତାର ଝାନଭିନ୍ ଆରମ୍ଭ ହୋଇଛି ।

ଝାରପଡ଼ା ସ୍ପେଶାଲ ଜେଲରେ ସ୍ପେଶାଲ୍ ତ୍ରୁଟି । ବେପରୱା ସୁରକ୍ଷା ବ୍ୟବସ୍ଥାର ସାଂଘାତିକ ଚିତ୍ର । ଜଣଙ୍କୁ ବେଲ୍, ମୁକୁଳିଲେ ଅନ୍ୟ ଜଣେ ଅଭିଯୁକ୍ତ । ଠକେଇ ଅଭିଯୁକ୍ତଙ୍କ ବଦଳରେ ପଦାକୁ ଆସିଲେ ବଳାତ୍କାର ଅଭିଯୁକ୍ତ । ଏକ ଠକେଇ ମାମଲାରେ କିଛି ଦିନ ଧରି ଜେଲରେ ଥିବା ପୂର୍ଣ୍ଣଚନ୍ଦ୍ର ଜେନାଙ୍କ ପୁଅ ରମେଶ ଚନ୍ଦ୍ର ଜେନାଙ୍କୁ ଗତ ୨୦ ତାରିଖରେ ଜାମିନ ମିଳିଥିଲା । ହେଲେ ଜେଲ୍ କର୍ତ୍ତୃପକ୍ଷ ରିଲିଜ୍ ଅର୍ଡର ଦେଖି ସେଇ ଦିନ ପୂର୍ଣ୍ଣଚନ୍ଦ୍ରଙ୍କ ପୁଅ ରମେଶଙ୍କୁ ଛାଡ଼ିବା ବଦଳରେ ବଳାତ୍କାର ମାମଲାରେ ଜେଲରେ ଥିବା ଅଭିଯୁକ୍ତ ଲକ୍ଷ୍ମୀଧର ଜେନାଙ୍କ ପୁଅ ରମେଶ ଜେନାଙ୍କୁ ଛାଡ଼ି ଦେଇଥିଲେ ।

ଆଉ ଜାମିନ ପାଇଥିବା ରମେଶଙ୍କ ପରିବାର ଲୋକେ ଅଭିଯୋଗ କରିବାରୁ ଦୁଇଦିନ ପରେ ତ୍ରୁଟି ସୁଧାରି, ପୋଲିସକୁ ଲଗେଇ ଗତକାଲି ସଂଧ୍ୟାରେ ପୁଣି ବଳାତ୍କାର ଅଭିଯୁକ୍ତ ରମେଶଙ୍କୁ ଭିତରକୁ ଆଣିଲେ, ଠକେଇ ଅଭିଯୁକ୍ତ ରମେଶଙ୍କୁ ଛାଡ଼ିଲେ । ଆଉ ଘଟଣା ସାମ୍ନାକୁ ଆସିବା ପରେ ଜେଲ୍ ବିଭାଗରେ ହଇଚଇ । କେମିତି ଘଟିଲା ଏତେ ବଡ଼ ତ୍ରୁଟି ? ବହୁ ହାର୍ଡକୋର୍ ଅପରାଧୀ ଥିବା ଝାରପଡ଼ା ଭଳି କଡ଼ା ସୁରକ୍ଷା ବ୍ୟବସ୍ଥାରେ ଥିବା ଜେଲରେ ଏଭଳି ତ୍ରୁଟି କିଭଳି ସମ୍ଭବ ? ଜାଣିବା ପାଇଁ ଆରମ୍ଭ ହୋଇଛି ଧରପଗଡ଼। ଖୋଦ୍ ଜେଲ୍ ଡିଆଇଜି ଝାରପଡ଼ା ଜେଲ ପହଞ୍ଚି କେଉଁଥିପାଇଁ ଏବଂ କାହା ଭୁଲରୁ ଏତେବଡ଼ ଘଟଣା ଘଟିଲା ତାର ତଦନ୍ତ ଆରମ୍ଭ କରିଛନ୍ତି । ଜେଲ୍ ୱାର୍ଡରଙ୍କଠୁ ଆରମ୍ଭ କରି ଜେଲରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ପଚରାଉଚରା ଚାଲିଛି ।

କୋର୍ଟରୁ ଜେଲକୁ ଆସିଲା ବେଳେ ଜେଲ ମାନୁଆଲ୍ ଅନୁସାରେ ଜଣେ କଏଦୀର ସମସ୍ତ ତଥ୍ୟ ଯେମିତିକି ଆଇଡେଣ୍ଟିଫିକେସନ୍ ମାର୍କ, ଠିକଣା, ପରିଚୟପତ୍ର ଆଦିକୁ ଭଲଭାବେ ଯାଞ୍ଚ କରି ଭିତରକୁ ଛଡ଼ାଯାଇଥାଏ । ସେହିଭଳି ବେଲରୁ ବାହାରିବା ବେଳେ ମଧ୍ୟ ଅନୁରୂପ ଭାବେ କଏଦୀଙ୍କୁ ଯାଞ୍ଚ କରାଯାଇଥାଏ । ତେବେ ସଂପୃକ୍ତ କଏଦୀଙ୍କୁ ଛଡ଼ାଯିବା ସମୟରେ ଏସବୁ ନିୟମ ପାଳନ କରାଯାଇଥିଲା କି ନାହିଁ, ଯଦି କରାଯାଇଥିଲା ଏଭଳି ଗୁରୁଚାଣ୍ଡାଳ ତ୍ରୁଟି ରହିଲା କେମିତି ତାକୁ ନେଇ ଚର୍ଚ୍ଚା । ତେବେ କେବଳ ଦୁହିଁଙ୍କ ନାଁ ରମେଶ ଥିବାରୁ ଏଭଳି ଦ୍ୱନ୍ଦ୍ୱ ନା ଯାଞ୍ଚରେ ବେପରୁଆପଣ ଏଥିପାଇଁ ଦାୟୀ ।

କେତେବେଳେ ଜେଲ ଭିତରେ ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗଙ୍କୁ ରାଜକୀୟ ଚର୍ଚ୍ଚାର ଖବର ହେଉ ଜେଲ ଭିତରେ କଏଦୀଙ୍କ ନିଶାସେବନ ଓ ଫୋନ୍ ବ୍ୟବହାର । ବାରମ୍ବାର ଏଭଳି ଅଭିଯୋଗକୁ ନେଇ ଚର୍ଚ୍ଚା ଭିତରେ ଥିବା ଝାରପଡ଼ା ଜେଲରେ କଏଦୀ ଅଦଳବଦଳର ଏ ସାଂଘାତିକ ଖବର ପାଇ ରିପୋର୍ଟିଂ ପାଇଁ ଆମେ ଯାଇଥିଲା ବେଳେ ସାମ୍ନାକୁ ଆସିଥିଲା ଏ ଚିତ୍ର । ଛୁଟି ଦିନରେ ମୁଲାକାତର କୌଣସି ବ୍ୟବସ୍ଥା ନଥିଲା ବେଳେ ଝାରଖଣ୍ଡର ଜଣେ ଚିଟ୍‌ଫଣ୍ଡ କଏଦୀଙ୍କୁ ନିଦ୍ୱନ୍ଦ୍ୱରେ ଭେଟିବାକୁ ଯାଉଥିଲେ ତାଙ୍କ ସଂପର୍କୀୟ ।

ଆଉ ସେଇଠି ଜେଲରେ ଥିବା ନିଜ ସ୍ୱାମୀଙ୍କୁ ଭେଟିବାକୁ ଛଡ଼ାନଯିବାରୁ କ୍ଷୋଭ ପ୍ରକାଶ କରିଥିଲେ ଏ ମହିଳା । ତେବେ କଏଦୀ ଅଦଳବଦଳ ଘଟଣାରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ଜେଲ୍ ଡିଆଇଜିଙ୍କ ସୂଚନା ସତ୍ତ୍ୱେ, ଆଜିକା ଦିନରେ ରାଜ୍ୟର ଜେଲ ଗୁଡିକର ସୁରକ୍ଷା ବ୍ୟବସ୍ଥା କିଭଳି ଚାଲିଛି, ତାକୁ ପଦାରେ ପକାଇ ଦେଇଛି ଝାରପଡ଼ାର ଏ ଘଟଣା ।

  • Reported by:
  • BIBARTAN PANDA , CHANDAN PAIKRAY

OTV is now on Whatsapp

Join and get latest news update delivered to you via whatsapp

Join Now