/odishatv-khabar/media/post_attachments/uploadimage/library/16_9/16_9_0/IMAGE_1688740163.jpg)
DN Group Land Scam
ତିନି ଦିନ ବିତିଲା। ତଥାପି ସରୁନି DN ସାମ୍ରାଜ୍ୟ ଉପରେ ଇନ୍କମ୍ ଟ୍ୟାକ୍ସ ରେଡ୍ । ୧୦୫ କୋଟିର ବ୍ୟାବସାୟିକ ଦସ୍ତାବିଜ ଓ ଜବତ ୩ ଟ୍ରଙ୍କ୍ ଟଙ୍କାକୁ ନେଇ ଚାଲିଛି ତନାଘନା । ଏତେ ପରିମାଣର ଟଙ୍କା କାହାର, କଂପାନୀର ଜଣେ କର୍ମଚାରୀଙ୍କ ଘରେ କାହିଁକି ଲୁଚାଇ ରଖାଯାଇଥିଲା, ତାକୁ ନେଇ ଚାଲିଛି ଖୋଳତାଡ଼ । ତା ସହିତ ବଡ଼ ପ୍ରଶ୍ନ DN ସାମ୍ରାଜ୍ୟ ପଛରେ ପ୍ରଭାବଶାଳୀ ପୃଷ୍ଠପୋଷକ କିଏ ? କାହିଁକି ଆକ୍ସନ ମୋଡକୁ ଆସୁନି ORERA ।
ଆୟକର ସ୍କାନରରେ ଥିବା DN GROUP କର୍ମଚାରୀଙ୍କ ପାଖରୁ ଜବତ ୩ ଟ୍ରଙ୍କ ଟଙ୍କା କାହାର ? କେଉଁଠୁ ଆସିଲା ଏତେ ଟଙ୍କା ? କୁଆଡ଼େ ଯାଇଥାନ୍ତା ୩୦ କୋଟି ? ୩ ଦିନ ହେଲା, ଖିଅ ଖୋଜୁଛି ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟ। ଟୁଇନସିଟି ସହ ରାଜ୍ୟର ପ୍ରାୟ ୨୦ଟି ଜାଗାରେ ବ୍ୟାବସାୟିକ ସାମ୍ରାଜ୍ୟ ବିସ୍ତାର କରିଥିବା DN GROUPର ୧୦୫ କୋଟିର ବ୍ୟାବସାୟିକ କାରବାରର ଦସ୍ତାବିଜକୁ ନେଇ ଖୋଳତାଡ଼ କରୁଛନ୍ତି ଆୟକର ଅଧିକାରୀ ।
କମ୍ପାନୀର ଲିଗାଲ ଅଫିସର କୁହାଯାଉଥିବା ଚନ୍ଦ୍ରଶେଖର ପଣ୍ଡାଙ୍କୁ ଧରି ଆୟକର ବିଭାଗ ୩ ଟ୍ରଙ୍କ ଟଙ୍କାର ଉତ୍ସ ଖୋଜିବା ସହ କମ୍ପାନୀର ଆମୂଳଚୂଳ ତଥ୍ୟ ଆଦାୟ କରୁଛି । ତେବେ ଚନ୍ଦ୍ରଶେଖର କମ୍ପାନୀର ଜଣେ କର୍ମଚାରୀ ହୋଇ କାହିଁକି ଏବଂ କାହା ପାଖରୁ ଟଙ୍କା ଆଣି ରଖିଥିଲେ ? ଆୟକର ବିଭାଗ ପାଇଁ ଟ୍ରମ୍ପ କାର୍ଡ ସାଜିଥିବା ଚନ୍ଦ୍ରଶେଖର ପଣ୍ଡାଙ୍କ ପ୍ରମୁଖ ଭୂମିକା କ’ଣ ?
ଚନ୍ଦ୍ରଶେଖରଙ୍କ ସହଯୋଗୀ କୁହାଯାଉଥିବା ନୀରଜ ସିଂ କିଏ ? DN ସାମ୍ରାଜ୍ୟରେ ଏମାନେ ଜଣେ ଜଣେ ମିଡିଲମ୍ୟାନ ସାଜୁଥିଲେ କି ? ଏଭଳି ନାନା ପ୍ରଶ୍ନ ଉଠୁଥିବାବେଳେ ଆୟକର ତଦନ୍ତ କମ୍ପାନୀର IRC VILLAGE ସ୍ଥିତ ମୁଖ୍ୟ ଅଫିସ ଉପରେ କେନ୍ଦ୍ରୀଭୂତ ହୋଇରହିଛି। ପେନ୍ ଡ୍ରାଇଭ୍ ସହ ହାର୍ଡ ଡିସ୍କ ଜବତ ବି କରିଛି। ତେବେ ଏନେଇ DN GROUP ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।
ମିଳିଥିବା ସୂଚନା ଅନୁଯାୟୀ, ୧୦୫ କୋଟି ଟଙ୍କାର ବ୍ୟାବସାୟିକ ଦସ୍ତାବିଜରେ ରହିଛି ଫ୍ଲାଟ୍ ପାଇଁ ଆଦାୟ ହୋଇଥିବା ୮୦ କୋଟି ଟଙ୍କା। ବଳକା ୨୫ କୋଟି ଟଙ୍କା ଅନ୍ୟାନ୍ୟ ଆନୁଷଙ୍ଗିକ ବାବଦ ବୋଲି କୁହାଯାଉଛି। ଯାହାକୁ ନେଇ ଆୟକର ବିଭାଗ ଖୋଳତାଡ଼ କରୁଥିବାବେଳେ କାହିଁକି ନୀରବ ରହୁଛି ଓଡ଼ିଶା ରିୟଲ ଇଷ୍ଟେଟ୍ ରେଗୁଲେସନ ଅଥରିଟି-ଓରେରା ?
ରେରା ଆଇନ କହୁଛି, କୌଣସି ବିଲଡର ସଂସ୍ଥା, ପ୍ରତି ପ୍ରକଳ୍ପ ପାଇଁ ସ୍ୱତନ୍ତ୍ର ବ୍ୟାଙ୍କ ଆକାଉଣ୍ଟ ଖୋଲିବେ। ଯେଉଁଠି ଗ୍ରାହକଙ୍କ ଟଙ୍କା ପୈଠ ହେବ। ସେହିପରି ଘର ପାଇଁ ଚୁକ୍ତି ଓ ପଞ୍ଜିକରଣ ପୂର୍ବରୁ ନିର୍ମାଣାଧିନ ଘରର ଧାର୍ଯ୍ୟ ମୂଲ୍ୟର ୧୦ ପ୍ରତିଶତରୁ ଅଧିକ ଟଙ୍କା ନେଇପାରିବେନି କୌଣସି ବିଲଡର୍ ସଂସ୍ଥା। ନିୟମ ଉଲଂଘନ ହେଲେ ରେରା ଆଇନର ଧାରା ୭ ପ୍ଲସ୍ ଅଧିନରେ ପ୍ରକଳ୍ପ ପଞ୍ଜିକରଣ ବାତିଲ୍ ଏବଂ ଧାରା ୬୧ ଅନୁଯାୟୀ, ଜରିମାନା ଆଦାୟ ହୋଇପାରିବ ।
ଏଠି ପ୍ରଶ୍ନ, DN GROUPର ରିୟଲ ଇଷ୍ଟେଟ୍ ବ୍ୟବସାୟ ଆଇଟି ସ୍କାନରକୁ ଆସିବା ପରେ ଏବେ କାର୍ଯ୍ୟାନୁଷ୍ଠାନ ନେବ କି ଓରେରା ?
DN ଗ୍ରୁପରେ ଆଇଟି ରେଡ୍ ଏବଂ ମିଳିଥିବା ପୁଳା ପୁଳା ଟଙ୍କାକୁ ନେଇ ଏବେ ରାଜ୍ୟ ରାଜନୀତିରେ କମ୍ପନ। ଏ ଟଙ୍କା କାହାର ଓ ଏ ବ୍ୟବସ୍ଥା କାହାର ବୋଲି ବିଜେପି ପ୍ରଶ୍ନ ଉଠାଇ ସିଧାସଳଖ ଥାର୍ଡ ଫ୍ଲୋରକୁ ଟାର୍ଗେଟ କରିଛି। ସେହିପରି DN GROUPର ମାଲିକ ଜଗଦୀଶ୍ ପ୍ରସାଦ ନାଏକଙ୍କ ସାମ୍ରାଜ୍ୟ ପଛରେ କିଏ ବୋଲି ପ୍ରଶ୍ନ ଉଠାଇଛି କଂଗ୍ରେସ। ଏହାର ଜବାବ ରଖିଛି ବିଜେଡି।
DN ସାମ୍ରାଜ୍ୟ ଉପରେ IT ରେଡକୁ ଆଜି ୩ ଦିନ ପୁରିଥିବାବେଳେ ଆଉ କି ତଥ୍ୟ ସାମ୍ନାକୁ ଆସୁଛି ? ଧରାପଡ଼ିବେ ତ DN ପଛର ପ୍ରଭାବଶାଳୀ ପୃଷ୍ଠପୋଷକ ? ତା ଉପରେ ଏବେ ନଜର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)