• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସ୍ତ୍ରୀକୁ ଛୁରୀ ଭୁସି ହତ୍ୟା । ପଞ୍ଜାବର ଜଣେ ବ୍ୟକ୍ତି କାନାଡ଼ାରେ ନିଜ ସ୍ତ୍ରୀକୁ ଛୁରୀ ଭୁସି ହତ୍ୟା କରିଛନ୍ତି । ମୃତକ ଜଣକ ହେଲେ ୪୧ ବର୍ଷୀୟ ବଲବିନ୍ଦର କୌର । ଗତ ରବିବାର ଦିନ କାନାଡ଼ାରେ ଏହି ହତ୍ୟାକାଣ୍ତ ଘଟିଥିବା ସୂଚନା ମିଳିଛି । ବଲବିନ୍ଦରଙ୍କୁ ତାଙ୍କ ସ୍ୱାମୀ ଜଗପ୍ରୀତ ସିଂହ ହତ୍ୟା କରିଛନ୍ତି ବୋଲି ପୋଲିସ କହିଛି । ବ୍ରିଟିଶ କଲମ୍ବିଆରେ ଥିବା ତାଙ୍କ ଘର ଭିତରୁ ମହିଳାଙ୍କ ରକ୍ତ ରଞ୍ଜିତ ଶବ ଉଦ୍ଧାର କରାଯାଇଥିଲା । ଗତ ମାର୍ଚ୍ଚ ୧୫ ରେ ଏହି ହତ୍ୟାକାଣ୍ତ ଘଟିଛି ।

ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରିଥିଲେ ଉଦ୍ଧାରକାରୀ ଦଳ । ତେବେ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ସେହିଦିନ ରାତି ସୁଦ୍ଧା ହିଁ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଥିଲା ପୋଲିସ । ତେବେ କଥା ଏତିକିରେ ସରିନଥିଲା । ସ୍ତ୍ରୀକୁ ମାରିବା ପରେ ନିଜ ମାଆଙ୍କ ସହ ଭିଡିଓ କଲ ଯୋଗେ କଥା ହୋଇଥିଲା ଅଭିଯୁକ୍ତ । ଲୁଧିଆନାରେ ଥିବା ନିଜ ମାଆଙ୍କୁ ଫୋନ କରି ସ୍ତ୍ରୀକୁ ହତ୍ୟା କରିଥିବା କଥା କହିଥିଲା ଅଭିଯୁକ୍ତ ।

ବଲବିନ୍ଦର କୌରଙ୍କ ଭଉଣୀ ଏନେଇ ବିବୃତ୍ତି ଦେଇ କହିଛନ୍ତି, ଭଉଣୀକୁ ଛୁରୀରେ ହତ୍ୟା କରିବା ପରେ ଜଗପ୍ରୀତ ତାଙ୍କ ମାଆଙ୍କୁ ଭିଡିଓ କଲ କରିଥିଲେ । ଭିଡିଓ କଲ କରି ଏହା ମଧ୍ୟ କହିଥିଲେ ଯେ, ତାଙ୍କୁ ସବୁଦିନ ପାଇଁ ଶୁଆଇ ଦେଇଛି । ଅନ୍ୟପଟେ ଜଗପ୍ରୀତ ବେକାର ଥିବାରୁ ଦମ୍ପତ୍ତିଙ୍କ ମଧ୍ୟରେ ଅନେକ ସମୟରେ ଝଗଡ଼ା ହେଉଥିଲା ବୋଲି ପୋଲିସ ଜାଣିବାକୁ ପାଇଛି ।

ଗୋଟେ ସପ୍ତାହ ତଳେ ସେମାନେ କାନାଡ଼ା ଯାଇଥିଲେ । ଗତ ୨୦୦୦ ମସିହାରେ ସେମାନଙ୍କର ବିବାହ ହୋଇଥିଲା । ଉଭୟ ପତିପତ୍ନୀଙ୍କ ଔରସରୁ ଗୋଟେ ଝିଅ ଓ ପୁଅ ଅଛି ବୋଲି ବଲବିନ୍ଦରଙ୍କ ଭଉଣୀ ନିଜ ବୟାନରେ କହିଛନ୍ତି । ବଲବିନ୍ଦର କାନାଡାରେ ପଢ଼ୁଥିବା ନିଜ ଝିଅ ସହ ରହୁଥିଲେ । ଅନ୍ୟପଟେ ଜଗପ୍ରୀତଙ୍କ ପରିବାର ଏପରି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି । ଉଭୟେ ନିଜ ବିବାହକୁ ନେଇ ଖୁସି ଥିବା କହିଛନ୍ତି ।

ଜଗପ୍ରୀତଙ୍କ ଭାଇ କହିଛନ୍ତି, ସେଦିନ ରାତିରେ କ’ଣ ଘଟିଥିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଭାଇ କିମ୍ବା ଆମ ପରିବାର କେବେ ବି ବଲବିନ୍ଦରଙ୍କୁ ହଇରାଣ କରିନାହୁଁ । ଘଟଣା ଦିନ ସେମାନେ ସପିଂରେ ଯାଇଥିଲେ । ଅଳ୍ପ କିଛି ସମୟ ପୂର୍ବରୁ ଫେରିଥିଲେ । ପରେ ଭାଇ ମାଆଙ୍କୁ ଫୋନ କରି ଭୁଲରେ ପତ୍ନୀଙ୍କୁ ଆଘାତ କରିଥିବା କଥା କହିଥିଲେ । ଏନେଇ ସେ କ୍ଷମା ମଧ୍ୟ ପ୍ରାର୍ଥନା କରିଛନ୍ତି । ସେମାନଙ୍କର ଝିଅ ଦୂରରେ ଥିବା ବେଳେ, ସେଦିନ ରାତିରେ କ’ଣ ଘଟିଥିଲା ତାହା କେହି ଜାଣି ନାହାଁନ୍ତି ବୋଲି ସେ କହିଛନ୍ତି ।