Advertisment

ମାତ୍ର ୭ ମିନିଟରେ ATM ସଫା, ୧୨ ଲକ୍ଷ ଲୁଟ୍

ଦୁଇଟି ଯାକ ଲୁଟ୍‌ରେ ବାହାର ରାଜ୍ୟର ଲୁଟେରା ସାମିଲ ଥିବା ସନ୍ଦେହ କରାଯାଉଥିବା ବେଳେ ଏଯାଏଁ କିନ୍ତୁ ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
undefined

ARM Loot

ଗ୍ୟାସ କଟରରେ ଏଟିଏମକୁ କାଟି ଖଣ୍ଡ ଖଣ୍ଡ କରିଦେଇଛନ୍ତି । ପରେ ଆଲୁମିନିୟମ୍ ପ୍ଲେଟକୁ ତାଡି ଲୁଟି ନେଇଛନ୍ତି ଭିତରେ ଥିବା ୨୦ ଲକ୍ଷରୁ ଅଧିକ ଟଙ୍କା। ଏଟିଏମର ଆଉ ଅବସ୍ଥା ନାହିଁ। ଅଧରାତିରେ ବାଲେଶ୍ୱର ଖଇରା ଥାନା ତୁଡିଗଡିଆ ଅଂଚଳରେ ଥିବା ଏକ୍ସିସ ବ୍ୟାଙ୍କର ଏକ ଏଟିଏମରେ କଳାକନା ବୁଲାଇ ଦେଇଛନ୍ତି ୬ରୁ ଅଧିକ ଲୁଟେରା। ୯ ମିନିଟରେ ଖାଲି କରିଦେଇଛନ୍ତି ପୁରା ଏଟିଏମ୍। ପାଖ ପୋଡଶୀ ସବୁ ଦେଖୁଥିଲେ ବି ଲୁଟେରାଙ୍କ ହାତରେ ମାରଣାସ୍ତ୍ର ଥିବାରୁ କେହି ପାଖ ମାଡିନଥିଲେ। 

Advertisment

ସେହିଭଳି ଜିଲ୍ଲାର ସୋର ଥାନା ମଙ୍ଗଳପୁର ଛକ। ସେଠି ବି ସମାନ ଚିତ୍ର ଦେଖିବାକୁ ମିଳିଛି । ରାତି ପାହିଲା ବେଳକୁ ଅଧାଖୋଲା ସଟର, ଭିତରେ ଏଟିଏମ୍ ଖାଲି । ଲୁଟେରା, ଗ୍ୟାସ କଟରରେ ଷ୍ଟ୍ରଙ୍ଗ ଏଟିଏମକୁ କାଟି ଟଙ୍କା ଲୁଟି ନେଇଛନ୍ତି। ମାତ୍ର ୭ ମିନିଟରେ ସଫା କରିଦେଇଛନ୍ତି ୧୨ ଲକ୍ଷରୁ ଅଧିକ ଟଙ୍କା। ପରେ ଏଟିଏମରେ ନିଆଁ ଲଗାଇଦେଇଛନ୍ତି।

ସିସିଟିଭିରେ କଏଦ ହୋଇଛି ଲୁଟ୍ ସମୟର ଚିତ୍ର। ଧଳା କାରରେ ଆସି ଲୁଟେରା କେମିତି ବେଧଡକ ଲୁଟପାଟ୍ କରୁଛନ୍ତି ତାର ଟିକନିଖ ଚିତ୍ର କଏଦ ହୋଇଛି କ୍ୟାମେରାରେ। ଦୁଇଟିଯାକ ଲୁଟରେ ସମାନ ଲୁଟେରା ଗ୍ୟାଙ୍ଗର ହାତ ଥିବା ପୋଲିସ ସନ୍ଦେହ କରି ତଦନ୍ତ ଆରମ୍ଭ କରିଛି। 

Advertisment

ଅନ୍ୟପଟେ ମୟୂରଭଂଜ ଖୁଣ୍ଟା ଥାନା ରାଣୀବନ୍ଦ ପଂଚାୟତରେ ବାଉଁଶ ପୋଲରେ ଫସିଯାଇଥିଲା ଗାଡି। ଯାହାକୁ ଟ୍ରାକ୍ଟରରେ ଦଉଡି ବାନ୍ଧି ବାହାର କରାଯାଇଛି। ତେବେ ବଡ କଥା ହେଉଛି ଯେ, ଗାଡିରୁ ଗ୍ୟାସ କଟର, ମୁଖା, ଗ୍ଲୋବସ, ଜ୍ୟାକେଟ ଏବଂ ସ୍ପ୍ରେ ମିଳିଛି। ସୋରରୁ ଦୁଇ ଦୁଇଟି ଲୁଟ୍ କରିବା ପରେ ଲୁଟେରାଙ୍କୁ ଗୋଡାଇଥିଲା ପୋଲିସ। ଆଉ ସେହି ପୋଲରେ ସେମାନଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହେବା ପରେ ପାଖ ଜଙ୍ଗଲ ଦେଇ ଲୁଟେରା ଖସି ପଳାଇଥିବା ପୋଲିସ ସନ୍ଦେହ କରୁଛି। ଗାଡିରେ ଝାଡଖଣ୍ଡ ନମ୍ବର ପ୍ଲେଟ୍ ରହିଛି।

ଗୋଟିଏ ରାତିରେ ଦୁଇ ଦୁଇଟି ଏଟିଏମରେ କଳାକନା ବୁଲାଇ ଆଖି ପିଛୁଳାକେ ଚମ୍ପଟ ମାରିଛନ୍ତି ଲୁଟେରା। ଏହାପୂର୍ବରୁ ଗତ ନଭେମ୍ବର ୨୭ ତାରିଖରେ ବାହାନଗା ବଜାରରେ ଷ୍ଟେଟବ୍ୟାଙ୍କ ଏଟିଏମକୁ ଗ୍ୟାସ କଟରରେ କାଟି ଲୁଟେରା ପ୍ରାୟ ୨୦ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ସମାନ ଭାବେ କିଛି ଦିନ ତଳେ ଜିଲ୍ଲାର ରେମୁଣା ଗୋପୀନାଥ ମନ୍ଦିର ନିକଟ ଏସବିଆଇ ଏଟିଏମକୁ କାଟି ଲୁଟ୍ ହୋଇଥିଲା। ଦୁଇଟି ଯାକ ଲୁଟ୍‌ରେ ବାହାର ରାଜ୍ୟର ଲୁଟେରା ସାମିଲ ଥିବା ସନ୍ଦେହ କରାଯାଉଥିବା ବେଳେ ଏଯାଏଁ କିନ୍ତୁ ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ।

Loot Loot In Bhubaneswar
Advertisment
Advertisment