• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଲୋନ୍ ପାଇବା ଆଶାରେ ଠକାମିର ଶିକାର ହେଲେ ବ୍ୟବସାୟୀ । ଯିଏ କି ଜଣେ ଘରୋଇ ସ୍କୁଲ ଚଳାଉଥିଲେ । ଆଉ ସ୍କୁଲର ଉନ୍ନତି ପାଇଁ ଆଶା କରିଥିଲେ ପାଖାପାଖି ୧୦ କୋଟି ଟଙ୍କାର ଲୋନ। ତେବେ ବ୍ୟବସାୟୀ ଜଣକ ଲୋନ ଆଶାରେ ଏମିତି ଅନେକଙ୍କ ସହ ଆଲୋଚନା କରୁ କରୁ ହଠାତ୍ ଜଣେ ବ୍ୟକ୍ତି ତାଙ୍କ ପାଖରେ ଜୁଟିଲା । ଆଉ ୧୦ କୋଟି ଟଙ୍କାର ଲୋନ କରାଇଦେବ ବୋଲି କହିଲେ । ଖାଲି ଲୋନ୍‌ କରାଇଦେବ ନୁହେଁ, ମାତ୍ର ୪୫ ଦିନ ଭିତରେ ୧୦ କୋଟିର ଲୋନ କରାଇଦେବ ବୋଲି କହିଲେ । ତେବେ ତାଙ୍କ କଥାକୁ ବିଶ୍ୱାସ କରିଯାଇଥିଲେ ସ୍କୁଲ କର୍ତ୍ତୃପକ୍ଷ ।

ତେବେ ପୁରା ଘଟଣାଟି ହେଲା, ସ୍କୁଲରେ ଉତ୍ସବ ଚାଲିଥିବା ବେଳେ କାର୍ତ୍ତିକ୍‌ ନାମକ ଜଣେ ବ୍ୟକ୍ତି ଉକ୍ତ ବ୍ୟବସାୟୀଙ୍କୁ ଭେଟିଥିଲେ । ସେଠାରେ ସେ ତାଙ୍କ ସହ ଲୋନ ବାବଦରେ ଆଲୋଚନା କରିଥିଲେ । ବ୍ୟବସାୟୀଙ୍କ କଥା ଶୁଣି କାର୍ତ୍ତିକ କହିଥିଲେ, ତାଙ୍କର ଜଣେ ବନ୍ଧୁ ବ୍ୟାଙ୍କରେ କାମ କରନ୍ତି । ସେ ତାଙ୍କୁ କହି ଲୋନ କରାଇଦେବେ । କିଛି ଦିନ ଭିତରେ କାର୍ତ୍ତିକ ତାଙ୍କ ବନ୍ଧୁ ମଲ୍ଲିକାର୍ଜୁନଙ୍କୁ ଆଣି ବ୍ୟବସାୟୀଙ୍କ ସହ ଭେଟ କରାଇଲେ । ଖାଲି ସେତିକି ନୁହେଁ ସ୍କୁଲ ମ୍ୟାନେଜ୍‌ମେଣ୍ଟ ସହ ମଧ୍ୟ ସେ ଲୋନ ବାବଦରେ ଆଲୋଚନା କଲେ । ମଲ୍ଲିକାର୍ଜୁନ୍‌ ନିଜକୁ ଜଣେ ପ୍ରାଇଭେଟ୍‌ କମ୍ପାନୀର ଏମ୍‌ଡି ବୋଲି ପରିଚୟ ଦେଇଥିଲେ । ଆଉ ତାଙ୍କ ବ୍ୟାଙ୍କ ମହାରାଷ୍ଟ୍ରର ଥାନେ ଅଞ୍ଚଳରେ ରହିଥିବା କହିଥିଲେ ।

ଅଧିକ ପଢ଼ନ୍ତୁ: ବାଇକ୍‌ରେ ଆସିଲେ, ଭୁଜାଲିରେ ହାଣି ଲୁଟିନେଲେ ୧୫ ଲକ୍ଷ

ମଲ୍ଲିକାର୍ଜୁନ୍‌ ଏବଂ କାର୍ତ୍ତିକ ମାତ୍ର ୪୫ ଦିନ ଭିତରେ ସ୍କୁଲ ପାଇଁ ୧୦ କୋଟି ଟଙ୍କା ଲୋନ୍‌ କରାଇଦେବେ ବୋଲି ସ୍କୁଲ ମ୍ୟାନେଜ୍‌ମେଣ୍ଟକୁ ପ୍ରତିଶ୍ରୁତି ଦେଲେ । ଆଉ କହିଲେ ଏହା ସେତେବେଳେ ହୋଇପାରିବ ଯେତେବେଳେ ଆପଣ ପ୍ରଥମେ ୩୦ ଲକ୍ଷ ଟଙ୍କା ଅଗ୍ରୀମ ଡିପୋଜିଟ୍ କରି ବ୍ୟାଙ୍କ ଆକାଉଣ୍ଟ ଖୋଲିବେ । ସେମାନଙ୍କ କଥାକୁ ବିଶ୍ୱାସ କରି ସ୍କୁଲ ମ୍ୟାନେଜ୍‌ମେଣ୍ଟ ବା ବ୍ୟବସାୟୀ ରଜାକ୍‌, ନିର ଦିଗମ୍ବର ଚୌଧରୀ ନାଁରେ ବ୍ୟାଙ୍କ୍‌ ଆକାଉଣ୍ଟ ଖୋଲିବା ପାଇଁ ୩୦ ଲକ୍ଷ ଟଙ୍କା ଡିପୋଜିଟ୍ କରିଥିଲେ । ଏହାପରେ ୨୪ ଅଗଷ୍ଟ ୨୦୨୧ରେ ମଲ୍ଲିକାର୍ଜୁନ୍‌ ଏବଂ କାର୍ତ୍ତିକ ଏକ ଫାଇନାନ୍ସ କମ୍ପାନୀ ସହ ରଜାକ୍‌ଙ୍କର ଚୁକ୍ତି କରାଇଥିଲେ । 

ତେବେ ଏହାପରେ ଦିନ ପରେ ଦିନ ଗଡ଼ି ଚାଲିଲା କିନ୍ତୁ ଲୋନ ହୋଇପାରିଲା ନାହିଁ । ରଜାକ୍‌ ଯେତେବେଳେ କାର୍ତ୍ତିକ ଏବଂ ମଲ୍ଲିକାର୍ଜୁନଙ୍କୁ ଏନେଇ ପ୍ରଶ୍ନ କଲେ, ସେତେବଳେ ସେ ‘ହଁ ଶୀଘ୍ର ହୋଇଯିବ’ କହି କିଛି ଦିନ ଗଡ଼ାଇଲେ । ତା’ପରେ ଫାଇନାନ୍ସ କମ୍ପାନୀର ଏମ୍‌ଡିଙ୍କ ସହ ରଜାକ୍‌ଙ୍କର ମିଟିଂ କରାଇବେ ବୋଲି ମଧ୍ୟ କହିଥିଲେ । କିନ୍ତୁ ତାହା ବି ହେଲା ନାହିଁ । ଏବେ ସୁଦ୍ଧା ତାଙ୍କୁ ଲୋନ୍‌ ମିଳିଲା ନାହିଁ କିମ୍ବା ତାଙ୍କ ୩୦ ଲକ୍ଷ ଡିପୋଜିଟ୍‌ ବି ଫେରିଲା ନାହିଁ ବୋଲି ବ୍ୟବସାୟୀ ରଜାକ୍‌ ଅଭିଯୋଗ କରିଛନ୍ତି । ତେବେ ଏହି ବଡ଼ ଠକେଇ ଦକ୍ଷିଣ କନ୍ନଡ଼ ଜିଲ୍ଲାରେ ଘଟିଥିବା ଜଣାପଡ଼ିଛି । ଠକେଇର ଶିକାର ହୋଇଥିବା ବ୍ୟସାୟୀଙ୍କ ପୁରା ନାଁ ହେଉଛି ଉମର ଅବ୍ଦୁଲ ରଜାକ୍ । ସେ ଉକ୍ତ ସ୍କୁଲର ସାଧାରଣ ସମ୍ପାଦକ ରହିଛନ୍ତି । ସ୍କୁଲଟି ବେଙ୍ଗାଲୁରୁର ବେନ୍‌ସନ୍‌ ଟାଉନ୍‌ରେ ରହିଛି ।