• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନିଜ ପାଇଁ ନିଜେ ଗାତ ଖୋଳିଲେ ଥାନା ବାବୁ । ନିଜ ନାଁରେ ନିଜେ ରୁଜୁ କଲେ ମାମଲା । ଲଗାଇଲେ ଆଠ ଆଠଟି ସଂଗୀନ ଦଫା । ଜଣେ ଅଭିଯୁକ୍ତର ଏତଲା ଆଧାରରେ ଛନ୍ଦି ହୋଇଥିବା ସେହି ଥାନା ବାବୁ ଜଣକ ହେଉଛନ୍ତି କୃପାସିନ୍ଧୁ ବରାଡ଼ । ଯାହାଙ୍କ ବିରୋଧରେ ଉଠିଛି ଥାନା ହାଜତରେ ଥାର୍ଡ ଡିଗ୍ରୀ ଦେବାର ଅଭିଯୋଗ ।  ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା IIC ହେଉଛନ୍ତି କୃପାସିନ୍ଧୁ ।

ଗିରିଙ୍ଗୋ ଗାଁର ସରୋଜ ଭୋଇ ନାମକ ଜଣେ ଦଳିତ ବ୍ୟକ୍ତିଙ୍କୁ ମିଛ ମାମଲାରେ ଛନ୍ଦିବା ସହ ଥାନା ହାଜତରେ ନିସ୍ତୁକ ମାଡ଼ ମାରି ଗୋଡ଼ ଭାଙ୍ଗିଦେଇଥିବା ଅଭିଯୋଗରେ ଅଡ଼ୁଆରେ ପଡ଼ିଛନ୍ତି ଥାନା ବାବୁ । ସରୋଜଙ୍କ ପତ୍ନୀଙ୍କ ଏତଲା ଓ ଭୁବନେଶ୍ୱର ଡିସିପିଙ୍କ ନିର୍ଦ୍ଦେଶକ୍ରମେ ନିଜ ବିରୋଧରେ ଏତଲାକୁ ଗ୍ରହଣ କରିବା ସହ SI ରାକେଶ ସାମଲଙ୍କ ବିରୋଧରେ ବି ମାମଲା ରୁଜ୍ଜୁ କରିଛନ୍ତି କୃପାସିନ୍ଧୁ ।

୩ ଅକ୍ଟୋବର, ୨୦୨୨ । ବାଲିପାଟଣା ଥାନା ହାଟସାହିକୁ ଏକ ମେଲୋଡି କାର୍ଯ୍ୟକ୍ରମ ଦେଖିବାକୁ ଯାଇଥିଲେ ସରୋଜ ଭୋଇ । ସେଠାରେ ଜଗନ ନନ୍ଦ ନାମକ ଜଣେ ବ୍ୟକ୍ତିଙ୍କ ସହ କୌଣସି କାରଣରୁ ଗଣ୍ଡଗୋଳ ହୋଇଥିଲା । ଏହି ଘଟଣାରେ ପୋଲିସ ସରୋଜଙ୍କୁ ଥାନାକୁ ଆଣି ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏପରିକି ସରୋଜଙ୍କ ଗୋଡ଼ ଭାଙ୍ଗି ଯିବା ପରେ ତାଙ୍କୁ ଚିକିତ୍ସା ନକରି ସଂପୃକ୍ତ ଥାନା ବାବୁ ଜେଲ୍ ପଠାଇଦେଇଥିଲେ । ୧୫ ଦିନ ପରେ ପରୀକ୍ଷାରୁ ଜଣାପଡ଼ିଥିଲା ସରୋଜଙ୍କ ଗୋଡ଼ ଭାଙ୍ଗିଯାଇଛି । ଏନେଇ ସରୋଜଙ୍କ ପତ୍ନୀ ଡିସିପିଙ୍କୁ ଭେଟି ନ୍ୟାୟ ଦାବି କରିଥିଲେ ।

ଡିସିପିଙ୍କ ନିର୍ଦ୍ଦେଶକ୍ରମେ, ଏତଲା ଅନୁଯାୟୀ ଆଇପିସି ଧାରା ୩୪୧-ବେଆଇନ ଅଟକ, ୩୨୩- ଜାଣିଶୁଣି ଆଘାତ କରିବା, ୩୨୫-ଆକ୍ରୋଶମୂଳକ ଭାବେ ଗୁରୁତର ଆଘାତ କରିବା, ୨୯୪-ଅଶ୍ରାବ୍ୟ ଗାଳିଗୁଳଜ, ୫୦୬-ଅପରାଧ ମନୋବୃତ୍ତି ନେଇ କାର୍ଯ୍ୟ କରିବା ଏବଂ ଜାଣିଶୁଣି ଜାତିଆଣ ମନୋଭାବ ରଖି ନିର୍ଯାତନା ଦେବା ଭଳି ସଂଗୀନ ଦଫା ଲଗାଇ ନିଜକୁ ତଦନ୍ତ ପରିସରଭୁକ୍ତ କରିଛନ୍ତି ଆଇଆଇସି କୃପାସିନ୍ଧୁ ବରାଡ଼ ।

ନିଜ ବିରୋଧରେ ପୋଲିସ ଅଧିକାରୀ ନିଜେ ମାମଲା ରୁଜୁ କରିବା, କମିଶନରେଟ୍ ପୋଲିସରେ ପ୍ରଥମ ଘଟଣା ବୋଲି କୁହାଯାଉଛି । ଯାହାର ତଦନ୍ତ ଭାର ନେଇଛନ୍ତି ଜଣେ ଏସିପି । ଗତ ବର୍ଷକ ଭିତରେ ରାଜ୍ୟରେ ଏଭଳି ୬ଟି ଘଟଣା ସାମ୍ନାକୁ ଆସିଲାଣି । କଳାହାଣ୍ଡି ଏବଂ ବଲାଙ୍ଗିରରେ ୨ଟି ଲେଖାଏଁ, ଯାଜପୁର କୋରେଇ ଓ ମାଲକାନଗିରିରେ ଗୋଟିଏ ଲେଖାଏଁ ମାମଲା ରୁଜୁ ହୋଇଛି । ଏଠି ପ୍ରଶ୍ନ, ଜନତାଙ୍କୁ ନ୍ୟାୟ ବଦଳରେ କାହିଁକି ଏଭଳି ଜୁଲୁମ୍ କରୁଛି ପୋଲିସ ? ନିଜ ବିରୋଧରେ ପୋଲିସ ରୁଜୁ କରିଥିବା ମାମଲାର ତଦନ୍ତ ପ୍ରକ୍ରିୟାରେ ରହିବ ତ ସ୍ୱଚ୍ଛତା ? ଏନେଇ ଡିସିପି କିମ୍ବା ସଂପୃକ୍ତ ଥାନା ବାବୁଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନଥିବା ବେଳେ, ଅପେକ୍ଷା ମାମଲାରେ କି କାର୍ଯ୍ୟାନୁଷ୍ଠାନ ହେଉଛି ।