• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କୁଆଡ଼େ ଗଲେ ରୁଚିକାଙ୍କ ସୁଇସାଇଡ୍ ନୋଟରେ ଥିବା ବିଜେବି କଲେଜର ସେହି ୩ ସିନିୟର ଛାତ୍ରୀ ? ରୁଚିକାଙ୍କ ଆତ୍ମହତ୍ୟା ପାଇଁ ସେହି ୩ ସିନିୟର ଛାତ୍ରୀ ଦାୟୀ ବୋଲି ପରିବାରର ବାରମ୍ବାର ଅଭିଯୋଗ ପରେ ବି କାହିଁକି ସାମନାକୁ ଆସିପାରୁନି ସେମାନଙ୍କ ପରିଚୟ ? ବିଜେବି କଲେଜର ଯୁକ୍ତ ତିନି ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାକୁ ୪ ଦିନ ବିତି ଯାଇଥିଲେ ବି ଏଯାଏଁ ମୃତ ଛାତ୍ରୀଙ୍କ ସୁଇସାଇଡ୍ ନୋଟ୍‌ରେ ଉଲ୍ଲେଖ ଥିବା ୩ ସିନିୟରଙ୍କ ସମ୍ପର୍କରେ କିଛି ବି ତଥ୍ୟ ସାମ୍ନାକୁ ଆସୁନଥିବାରୁ ନିରାଶ ରୁଚିକାଙ୍କ ବାପା, ମାଆ ।

ତେଣେ ଅଭିଯୁକ୍ତଙ୍କୁ ପୋଲିସ ନ ଧରିବା ପର୍ଯ୍ୟନ୍ତ ଓ ରୁଚିକାଙ୍କୁ ନ୍ୟାୟ ନ ମିଳିବା ଯାଏଁ କଲେଜ ମୁଖ୍ୟ ଫାଟକ ଆଗରେ ଅହୋରାତ୍ର ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି ବିଭିନ୍ନ ଛାତ୍ର ସଂଗଠନ ସଦସ୍ୟ । ଏପଟେ ଭୁବନେଶ୍ୱର ଡିସିପି କହିଛନ୍ତି, ମାମଲାରେ ଏବେ ବି ଖୋଳତାଡ଼ ଚାଲିଛି, ସବୁ ପକ୍ଷ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରୁଛନ୍ତି । ୟା ଭିତରେ ଶହେରୁ ଅଧିକ ଲୋକଙ୍କ ବୟାନ ରେକର୍ଡ ସରିଛି । ଆଗକୁ ମାମଲାରେ କିଛି ଠୋସ୍ ପ୍ରମାଣ ମିଳିବା ନେଇ ଆଶା କରାଯାଉଥିବା ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ।

ଏଣେ ରୁଚିକା ମାମଲାରେ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ନୂଆ ତଥ୍ୟ । ଆଜି ଓଟିଭିକୁ ପ୍ରତିକ୍ରିୟା ଦେଇ ରୁଚିକାଙ୍କ ମାଆ କହିଛନ୍ତି, ତାଙ୍କ ଝିଅ ପଢ଼ାପଢ଼ିରେ ଧ୍ୟାନ ଦେବା ସହ ନିଜକୁ ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତି କରୁଥିବାରୁ ତାଙ୍କୁ ଟାହିଟାପରା କରୁଥିଲେ କିଛି ସିନୟର ଛାତ୍ରୀ । ଯେଉଁ କଥା ତାଙ୍କୁ ନଜଣାଇ ତାଙ୍କ ସାନ ଭଉଣୀକୁ ଜଣାଇଥିଲେ ରୁଚିକା । ତେଣେ ଏ ସମ୍ପୂର୍ଣ୍ଣ ଘଟଣା ପାଇଁ ବିଜେବି କଲେଜ ଅଧ୍ୟକ୍ଷଙ୍କୁ ଦାୟୀ କରି ଅସନ୍ତୋଷ ଝାଡ଼ିଛନ୍ତି ରୁଚିକାଙ୍କ ବାପା । କଲେଜରେ ରାଗିଂ କାହିଁକି ହେଲା, ସେ ଜାଣି ପାରିଲେନି କେମିତି ଏବଂ ଏବେ କାହିଁକି ନିଜ ଉପରୁ ଦୋଷ ଖସାଉଛନ୍ତି, ତାକୁ ନେଇ ବର୍ଷିଛନ୍ତି ରୁଚିକାଙ୍କ ବାପା ।

ସେପଟେ ରୁଚିକାଙ୍କ ଆତ୍ମହତ୍ୟା ପରେ ସାରା ରାଜ୍ୟକୁ ବ୍ୟାପିଛି ରାଗିଂ ବିରୋଧୀ ସ୍ୱର । ସରକାର ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଆଣ୍ଟିଂ ରାଗିଂ ନିୟମକୁ ଠିକ ଭାବେ କାର୍ଯ୍ୟକ୍ଷମ କରିବା ସହ ରାଗିଂ ରୋକିବାକୁ ହେଲପଲାଇନ୍ ନମ୍ବର କାର୍ଯ୍ୟକାରୀ କରିବାକୁ ଦାବି କରିିଛି ବିଜେପି ଯୁବମୋର୍ଚ୍ଚା । ରୁଚିକା ମାମଲାରେ ଦୋଷୀଙ୍କୁ ଦଣ୍ଡବିଧାନ ନହେଲେ ଦଳ ଆଗକୁ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବାକୁ ଚେତାବନୀ ଦେଇଛି । ସେପଟେ ରୁଚିକାଙ୍କ ପରିବାରକୁ ନ୍ୟାୟ ଦାବିରେ ଆଠଗଡ଼ ବିଧାୟକ ଓ ମୁଖ୍ୟମନ୍ତ୍ରୀଙ୍କୁ ପ୍ରେସ ଇସ୍ତାହାର ଜରିଆରେ ଦାବି ଜଣାଇଛନ୍ତି ରୁଚିକାଙ୍କ ପୂର୍ବ କଲେଜ ସହପାଠୀ ଓ ଅଞ୍ଚଳବାସୀ ।

ଏ ଭିତରେ ରୁଚିକାଙ୍କ ପୋଷ୍ଟମର୍ଟମ ରିପୋର୍ଟ ପୋଲିସର ହସ୍ତଗତ ହୋଇଛି । ରୁଚିକା ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଥିବା ରିପୋର୍ଟରେ ଉଲ୍ଲେଖ ଅଛି । ଅଧିକ ତଥ୍ୟ ପାଇଁ ତାଙ୍କ ଭିସେରା ନମୁନା ଲ୍ୟାବକୁ ପଠା ଯାଇଯାଇଥିବା ସୂଚନା ଦେଇଛି ପୋଲିସ ।