• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଭୀମଭୋଇ ମେଡିକାଲରେ ହାଉସ ସର୍ଜନଙ୍କୁ ଆକ୍ରମଣ ଘଟଣାରେ ୨ ଜଣଙ୍କୁ ଗିରଫ କଲା ପୋଲିସ । ମୁଖ୍ୟ ଅଭିଯୁକ୍ତ ସମୀର ବଡ଼ମାଳି ଓ ସହଯୋଗୀ ରାଜୁ ସାହୁଙ୍କୁ ଏହି ମାମଲାରେ ଗିରଫ କରାଯାଇଛି । ଆକ୍ରମଣ ଯୋଗୁଁ ମେଡିକାଲରେ ତୁମୁଳକାଣ୍ଡ ହୋଇଥିଲା । ଡାକ୍ତରୀ ଛାତ୍ରମାନେ କାର୍ଯ୍ୟବନ୍ଦ କରି ଧାରଣା ଦେଇଥିଲେ ।

ହାଉସ୍ ସର୍ଜନ ଛାତ୍ରଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତିଙ୍କୁ ଗିରଫ ଏବଂ NSA ଲାଗୁ କରିବାକୁ ଦାବି କରି ଆନ୍ଦୋଳନ କରିଥିଲେ ୧୦୦ରୁ ଅଧିକ ହାଉସ୍ ସର୍ଜନ ଓ ଡାକ୍ତରୀ ଛାତ୍ର । ମୁଣ୍ଡରେ ବ୍ୟାଣ୍ଡେଜ୍ ବାନ୍ଧି ବିକ୍ଷୋଭ କରିଥିଲେ । ମେଡିକାଲ ଓପିଡି ଆଗରେ ଧାରଣାରେ ବସିଥିଲେ । ଆନ୍ଦୋଳନ ଯୋଗୁଁ ଭୀମ ଭୋଇ ମେଡିକାଲରେ ରୋଗୀ ସେବା ବାଧାପ୍ରାପ୍ତ ହୋଇଥିଲା ।

ପୋଲିସ ଡାକ୍ତରୀ ଛାତ୍ରଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିଲେ ମଧ୍ୟ ନ୍ୟାୟ ପାଇବା ଦାବିରେ ଆନ୍ଦୋଳନ କରିଥିଲେ ହାଉସ୍ ସର୍ଜନ ଓ ଡାକ୍ତରୀ ଛାତ୍ର । ଗତକାଲି ହାଉସ୍ ସର୍ଜନ ଛାତ୍ରଙ୍କୁ ଆକ୍ରମଣ କରିବା ଘଟଣାକୁ ନେଇ ଉତ୍ତେଜନା ଦେଖା ଦେଇଥିଲା ।

ଆକ୍ରମଣରେ ଡାକ୍ତରୀ ଛାତ୍ର ଜଣକ ଗୁରୁତର ଆହତ ହୋଇ ଆଇସିୟୁରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ଏହି ଘଟଣାକୁ ନେଇ ଉତ୍ତ୍ୟକ୍ତ ଛାତ୍ରଛାତ୍ରୀ ହସ୍ପିଟାଲ ଫାଟକରେ ତାଲା ପକାଇ ଆନ୍ଦୋଳନ କରିଥିଲେ । ଗତକାଲି ଆନ୍ଦୋଳନ ଯୋଗୁ ମେଡିକାଲ ଭିତରକୁ ଆମ୍ବୁଲାନ୍ସ ଯିବା ଆସିବାରେ ସମସ୍ୟା ଦେଖାଦେଇଥିଲା । ଘଟଣାସ୍ଥଳରେ ବଲାଙ୍ଗିର ଜିଲ୍ଲାପାଳ ଓ ଏସ୍.ପି. ପହଞ୍ଚି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ ।

ତେବେ ଏସବୁ ସତ୍ତ୍ୱେ ତୀବ୍ର ହୋଇ ଚାଲିଛି ଭୀମଭୋଇ ମେଡିକାଲ କଲେଜରେ ଆନ୍ଦୋଳନ । ମେଡିକାଲ ଓପିଡି ଆଗରେ ଧାରଣାରେ ବସିଛନ୍ତି ଡାକ୍ତରୀ ଛାତ୍ରମାନେ । ଡାକ୍ତରୀ ଛାତ୍ରଙ୍କୁ ବୁଝାଇବାକୁ ଚେଷ୍ଟା ଜାରି ରଖିଛି ପୋଲିସ । ହାଉସ୍ ସର୍ଜନ ଛାତ୍ରଙ୍କୁ ଆକ୍ରମଣ ପ୍ରତିବାଦରେ ଆନ୍ଦୋଳନ ବର୍ତ୍ତମାନ ପର୍ଯ୍ୟନ୍ତ ଜାରି ରହିଛି । ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଚାଲିବ ବୋଲି ଚେତାବନୀ ଦେଇଛନ୍ତି ଡାକ୍ତରୀ ଛାତ୍ର ।