/odishatv-khabar/media/post_attachments/uploadimage/library/16_9/16_9_0/Murder_1749034428.jpg)
Murder
ହନିମୁନ୍ କରିବାକୁ ନବ ଦମ୍ପତି ଯାଇଥିଲେ ମେଘାଳୟ । ୱିସାଡୋଙ୍ଗ ଜଳପ୍ରପାତ ବୁଲିବାକୁ ଯାଇଥିଲେ । ସ୍ୱାମୀ ରାଜା ରଘୁବଂଶୀଙ୍କ ଗଳିତ ମୃତଦେହ ଏକ ଖାଲୁଆ ସ୍ଥାନରୁ ଉଦ୍ଧାର କରିଛି ପୋଲିସ୍ । ପତ୍ନୀ ସୋନମଙ୍କ ସହ ସେ ଗତ ୨୩ ତାରିଖରେ ପହଞ୍ଚିଥିଲେ ୱିସାଡୋଙ୍ଗରେ । ରାଜାଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଥିବାର ପୋଲିସ କହିଛି ।
ମୃତକଙ୍କ ପରିବାର ପକ୍ଷରୁ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରାଯାଇଛି । ସୋନମଙ୍କୁ ଖୋଜିବା ପାଇଁ ସେନାବାହିନୀକୁ ନିଯୋଜିତ କରିବାକୁ ମଧ୍ୟ ଦାବି କରାଯାଇଛି ।
ପୂର୍ବ ଖାସି ଜିଲ୍ଲା ଏସପି ବିବେକ ସାଇମ୍ କହିଛନ୍ତି, ଏହା ଏକ କ୍ଲିୟର୍ କଟ୍ ମର୍ଡର । ଏଥିରେ ଆଦୌ ସନ୍ଦେହ ନାହିଁ । ଏହି ଘଟଣାରେ ଗୋଟିଏ ନୂଆ ଧାରୁଆ ଅସ୍ତ୍ର ବ୍ୟବହାର କରାଯାଇଛି । ମୃତକଙ୍କ ମୋବାଇଲ୍ ମଧ୍ୟ ମିଳିଛି । ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ତଦନ୍ତ ଜାରି ରହିଛି । ଖାଲରେ ପଡିବା ପୂର୍ବରୁ ରାଜାଙ୍କ ମୃତ୍ୟୁ ହୋଇଛି ନା ପରେ ମୃତ୍ୟୁ ହୋଇଛି, ତାହା ଜଣାପଡିନି । କୌଣସି ବି ସମ୍ଭାବନାକୁ ଏଡାଯାଇପାରିବନି । ଲୁଟ୍ ପାଇଁ ହତ୍ୟା କରାଯାଇଛି ନା ଅନ୍ୟ କିଛି ଉଦ୍ଦେଶ୍ୟ ରହିଛି, ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ । ଅଟୋପ୍ସି ରିପୋର୍ଟକୁ ଅପେକ୍ଷା କରାଯାଇଛି ବୋଲି କହିଛନ୍ତି ଏସପି । କାହିଁକି ହତ୍ୟା କରାଯାଇଛି, ସେ ନେଇ ତଦନ୍ତ କରାଯାଉଛି । ଏହି ହତ୍ୟାକାଣ୍ଡକୁ ଗୁରୁତର ସହ ନେଇଛି ପୋଲିସ୍ ।
ଅଧିକ ପଢ଼ନ୍ତୁ: ଅଣ୍ଡା ତରକାରୀ ପାଇଁ... ଚୁଲିଫୁଙ୍କାରେ ସ୍ତ୍ରୀର ଜୀବନ ଗଲା
ମୃତକଙ୍କ ପତ୍ନୀଙ୍କୁ ଆସନ୍ତା କାଲିଠୁ ଖୋଜାଖୋଜି କରାଯିବ । ପାଖରେ ଥିବା ସବୁ ଖାଲୁଆ ସ୍ଥାନକୁ ମଧ୍ୟ ତନ୍ନ ତନ୍ନ କରି ଦେଖିବେ ପୋଲିସ୍ କର୍ମଚାରୀ । ରାଜାଙ୍କ ମୃତଦେହ ପାଖରୁ ଜଣେ ମହିଳାଙ୍କ ଧଳା ରଙ୍ଗର ସାର୍ଟ, ଗୋଟିଏ ମୋବାଇଲର ଭଙ୍ଗା ସ୍କ୍ରିନ ଓ ଗୋଟିଏ ମେଡିସିନ୍ ଷ୍ଟ୍ରିପ ଜବତ କରାଯାଇଛି । ରାଜାଙ୍କ ହାତରେ ସ୍ମାର୍ଟୱାଚ୍ ସେଇମିତି ରହିଛି । କିନ୍ତୁ ତାଙ୍କ ୱାଲେଟ୍, ସୁନା ଚେନ୍, ମୁଦି ଓ ଦମ୍ପତିଙ୍କ ୪ଟି ମୋବାଇଲ୍ ମିଳିନାହିଁ ।
ରାଜାଙ୍କ ଭାଇ ବିପିନ ଅଭିଯୋଗ କରିଛନ୍ତି ଯେ, ଏହି ଘଟଣାର ସିବିଆଇ ତଦନ୍ତ କରାଯାଉ । ତଦନ୍ତକାରୀ ପୋଲିସ ଅଧିକାରୀଙ୍କୁ କେତେଜଣ ସନ୍ଦିଗ୍ଧ ବିଭ୍ରାନ୍ତ କରୁଥିବାର ସେ ଅଭିଯୋଗ କରିଛନ୍ତି । ବିପିନ ଘଟଣାସ୍ଥଳକୁ ଯାଇ ସ୍ଥାନୀୟ ଅଞ୍ଚଳ ବୁଲି ଖୋଜାଖୋଜି କରିଛନ୍ତି । କିନ୍ତୁ ଭାଉଜଙ୍କୁ ପାଇନାହାନ୍ତି ।
ପତିପତ୍ନୀ ନିଖୋଜ ହେବାର କିଛି ସମୟ ପୂର୍ବରୁ ବୋହୂ ସୋନମଙ୍କ ସହ ମୋବାଇଲରେ କଥା ହୋଇଥିଲେ ରାଜାଙ୍କ ମାଆ । ମେ ୨୩ ତାରିଖରେ ବ୍ରତ ଥିବାରୁ ଉପବାସ କରିଛନ୍ତି ନା ନାହିଁ ଜାଣିବାକୁ ଚାହିଁଥିଲେ ଶାଶୁ । ଉପବାସ ନରହି କିଛି ଖାଇନେବାକୁ ପରାମର୍ଶ ଦେଇଥିଲେ ଶାଶୁ । ତେବେ ବୋହୂ ସୋନମ୍ କହିଥିଲେ, ବୁଲିବାକୁ ଆସିଛି ବୋଲି କ’ ଣ ବ୍ରତ ଛାଡି ଦେବି । ସୋନମ୍ କହିଥିଲେ, ଆମେ ଏବେ ଜଙ୍ଗଲରେ ଯାଉଛୁ । ପାହାଡ଼ ଚଢ଼ୁଛୁ । କିଛି ସମୟ ପରେ ଜଳପ୍ରପାତ ପାଖରେ ପହଞ୍ଚିଯିବୁ । ପରେ କଥା ହେବି କହିଥିଲେ ବୋହୂ । ମୋବାଇଲ୍ ଫୋନ୍ କଲ୍ ସେତିକିରେ କଟିଯାଇଥିଲା । କଲ୍ ଆଉ ଆସିନଥିଲା ।
ଯେଉଁ ଅଞ୍ଚଳରୁ ମୃତଦେହ ମିଳିଛି, ସେହି ଅଞ୍ଚଳ ଖୋଜିବା ପାଇଁ ମୃତକଙ୍କ ଭାଇ ବିପିନ ପୋଲିସକୁ କହିଥିଲେ । କିନ୍ତୁ ପୋଲିସ୍ ସମୟ ଗଡ଼ାଇ ଚାଲିଥିଲା ବୋଲି ଅଭିଯୋଗ କରିଛନ୍ତି ବିପିନ୍ । କିଛି ସ୍ଥାନୀୟ ଲୋକଙ୍କ ସଂପୃକ୍ତି ଏହି ଘଟଣାରେ ଥାଇପାରେ ବୋଲି ବିପିନ ଅଭିଯୋଗ କରିଛନ୍ତି । କିନ୍ତୁ ଏସପି କହିଛନ୍ତି, ଆମେ ସବୁ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିସାରିଲୁଣି । ସେମାନଙ୍କର ସଂପୃକ୍ତି ଥିବାର ଜଣାପଡୁନାହିଁ । ତେବେ ଏସପି ସ୍ୱୀକାର କରିଛନ୍ତି, ଜଣେ ମହିଳା କଫି ଭେଣ୍ଡରଙ୍କ ସହ ଏହି ଦମ୍ପତିଙ୍କର ଝଗଡା ହୋଇଥିଲା । କିନ୍ତୁ ଏଇ କାରଣ ପାଇଁ ଯେ ସ୍ଥାନୀୟ ଲୋକମାନେ ଯୋଜନାବଦ୍ଧ ଭାବେ ତାଙ୍କୁ ହତ୍ୟା କରିଥିବେ, ତାହା ବିଶ୍ୱାସ ହେଉନି ।
ରାଜାଙ୍କ ପରିବାର ପକ୍ଷରୁ ଯୁକ୍ତି କରାଯାଉଛି ଯେ, ଯେଉଁ ସ୍ଥାନରୁ ମୃତଦେହ ମିଳିଛି ସେଠାକୁ ଜଣେ ଅପରିଚିତ ଲୋକ ଯିବା ସମ୍ଭବ ନୁହେଁ । ଜଳପ୍ରପାତର ତଳ ଭାଗରେ ଡ୍ରୋନ ଜରିଆରେ ମୃତଦେହ ଠାବ କରାଯାଇଥିଲା । ଏହି ସ୍ଥାନ ଗତ ଦୁଇ ବର୍ଷ ହେଲା ବନ୍ଦ ଥିଲା । ଏହି ସ୍ଥାନର ଚାରିପଟେ ପାଚେରି ଅଛି । ତେଣୁ କେହି ଆକ୍ରମଣ କରି ଭିତରକୁ ଫିଙ୍ଗି ଦେଇପାରିଥାଏ ବୋଲି ବିପିନ କହିଛନ୍ତି । ରାଜାଙ୍କ ପରିବାର ଇନ୍ଦୋରର ବାସିନ୍ଦା । ତାଙ୍କ ମୃତଦେହକୁ ଶିଲଂରେ ଦାହ କରିବାକୁ ମନା କରିଦେଇଛନ୍ତି ପରିବାର ଲୋକ । ମୃତଦେହକୁ ଇନ୍ଦୋର ନିଆଯିବାର ବ୍ୟବସ୍ଥା କରାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)