ହନିମୁନରେ ମେଘାଳୟ ଯାଇଥିବା ନବଦମ୍ପତି ନିଖୋଜ ଘଟଣାରେ ଟ୍ୱିଷ୍ଟ୍। ସାମନାକୁ ଆସିଲା ଘଟଣା ପଛର ସତ । ଗତ ମେ ୨୧ତାରିଖରେ ହନିମୁନ ପାଇଁ ମେଘାଳୟରେ ପହଞ୍ଚିଥିଲେ ଇନ୍ଦୋର ଦମ୍ପତି ରାଜା ରଘୁବଂଶୀ ଏବଂ ସୋନମ । ୨୩ ତାରିଖରେ ଉଭୟେ ନିଖୋଜ ହୋଇଥିବା ଅଭିଯୋଗ ହୋଇଥିଲା । ଜୁନ ୨ ତାରିଖରେ ମିଳିଥିଲା ରାଜା ରଘୁବଂଶୀଙ୍କ ମୃତଦେହ । ପତ୍ନୀ ସୋନମଙ୍କର କିଛି ବି ଖୋଜ ଖବର ମିଳିନଥିଲା ।
ମେଘାଳୟ ପୋଲିସ ଏହି ମାମଲାର ଜୋରଦାର ଛାନଭିନ ଆରମ୍ଭ କରିଥିଲା । ଏହି ଦମ୍ପତିଙ୍କ ଗତିବିଧି କେମିତି ଥିଲା, ଜାଣିବା ପାଇଁ ନିକଟରେ ଥିବା ସମସ୍ତ ସିସିଟିଭି ଯାଞ୍ଚ କରାଯାଇଥିଲା । ପୋଲିସର ତଦନ୍ତ ପରେ ସୋନମ ହିଁ ଘଟଣା ପଛର ମାଷ୍ଟରମାଇଣ୍ଡ ବୋଲି ଜଣାପଡିଛି । ସୋନମ ନିଜ ସ୍ୱାମୀଙ୍କୁ ମାରିବାକୁ ସୁପାରୀ ଦେଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ପୋଲିସର ସୂଚନା ଅନୁସାରେ, ସୋନମର ରାଜ୍ କୁଶୱାହା ନାମକ ଜଣେ ଯୁବକ ସହ ସମ୍ପର୍କ ଥିଲା । ଯେଉଁଥିପାଇଁ ସେ ସ୍ୱାମୀଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା । ସୁପାରୀକିଲରକୁ ଟଙ୍କା ଦେଇ ଏଭଳି ଷଡଯନ୍ତ୍ର ରଚିବା ସହ ନିଜେ ଗାୟବ ହୋଇଯାଇଥିଲା ।
Also Read
ମେଘାଳୟ ଡିଜିପି ଇଦାଶିଶା ନୋନଗ୍ରାଙ୍ଗ କହିଛନ୍ତି, "ଉତ୍ତରପ୍ରଦେଶର ଗାଜିପୁରର ସୋନମର ଲୋକେସନ ଟ୍ରେସ କରାଯାଇ ତାକୁ ଧରିବାରେ ସଫଳ ହୋଇଛୁ । ସୋନମ ପୋଲିସ ନିକଟରେ ଦୋଷ ସ୍ୱୀକାର କରିଛି । ଏହି ମାମଲାରେ ସମ୍ପୃକ୍ତ ଆଉ ୩ ଅଭିଯୁକ୍ତଙ୍କୁ ଧରିବାକୁ ଛାନଭିନ କରିଥିଲୁ । ରଘୁବଂଶୀକୁ ହତ୍ୟା କରିବାକୁ ୩ ସୁପାରୀକିଲରଙ୍କ ସହାୟତା ନେଇଥିବା ନେଇ ସୋନମ ସ୍ୱୀକାର କରିଛି । ସେମାନଙ୍କ ମଧ୍ୟରୁ ଜଣଙ୍କୁ ଉତ୍ତରପ୍ରଦେଶ ଓ ଅନ୍ୟ ୨ ଜଣଙ୍କୁ ଇନ୍ଦୋର SIT ଗିରଫ କରିଛି ।"
ପୂର୍ବରୁ ଜଣେ ଟୁରିଷ୍ଟ ଗାଇଡ୍ ଏହି ଦମ୍ପତିଙ୍କ ସହ ୩ଜଣଙ୍କୁ ଦେଖିଥିବା ବୟାନ ଦେଇଥିଲେ । ସମସ୍ତେ ହିନ୍ଦୀ କହୁଥିବାରୁ ଲୋକାଲ ଲୋକ ହୋଇନଥିବା ଜଣାପଡିଥିଲା । ଏସବୁ ତଥ୍ୟ, ପ୍ରମାଣ ସିସିଟିଭି ଫୁଟେଜ ଓ ମୋବାଇଲ ଲୋକେସନ ଆଧାରରେ ପୋଲିସ ଅପରାଧୀ ପାଖରେ ପହଞ୍ଚିଛି । ସେପଟେ ସୋନମ ମଧ୍ୟ ପୋଲିସ ନିକଟରେ ଆତ୍ମସମର୍ପଣ କରିଛି ।