Advertisment

ଚୋର ତ ଚୋର, ପୁଣି କୋଟିପତି ଚୋର... ଗାଁରୁ ରାଜଧାନୀ ଯାଏଁ ଛିଡ଼ା କରିଛି ଘର

କଥାରେ ଅଛି ‘ନେଇ ଆଣି ଥୋଇଜାଣିଲେ ଚୋରି ବିଦ୍ୟା ଭଲ’। ବୋଧହୁଏ, ଏକଥାକୁ ଅକ୍ଷରେ ଅକ୍ଷରେ ପାଳୁଥିଲା ରାଜଧାନୀର ଜଣେ କୁଖ୍ୟାତ ଚୋର।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
undefined

Lootera

ଚୋର ତ ଚୋର, ପୁଣି କୋଟିପତି ଚୋର। ରାଜଧାନୀରେ ୫ ବଖରା ଘର କରିଛି, ସେହି ଘରକୁ ଭଡ଼ାରେ ଲଗାଇଛି...ତଥାପି ଚୋରି କରିଛି...ସଉକ ମେଣ୍ଟାଇଛି ଷ୍ଟାର୍ ହୋଟେଲରେ...ଜୀବନ ଜୀଇଁଛି କିଙ୍ଗ ସାଇଜ୍...। ଥରେ ଭଲ କରି ଠଉରାଇ ନିଅନ୍ତୁ ତା’ ହୁଲିଆକୁ। ହୁଏତ ଆପଣଙ୍କ ଘରେ ଲାଗିଥିବା ସିସିଟିଭି ଫୁଟେଜରେ ଥାଇପାରେ ତା’ ଚେହେରା। କଏଦ୍ ହୋଇଥାଇପାରେ ତା’କରାମତି। କାରଣ ରାଜଧାନୀରେ ଏମୁଣ୍ଡରୁ ସେମୁଣ୍ଡ ଯାଏଁ ୟେ ବୁଲାଇଛି କଳାକନା।

Advertisment

ଭୁବନେଶ୍ୱରର ଅଧିକାଂଶ ଥାନା ଯଥା ବଡ଼ଗଡ଼, ଧଉଳି, ପାହାଳ, ମଞ୍ଚେଶ୍ୱର ଏବଂ ସହିଦନଗରରେ ୫୦ରୁ ଅଧିକ ଚୋରି ମାମଲା ରହିଛି ତା ନାଁରେ। ଶେଷରେ କମିଶନରେଟ୍ ପୋଲିସ ଜାଲରେ ପୁଣି ପଡ଼ିଛି ଏହି ଧୂର୍ତ୍ତ ଚୋର। ମିଳିଛି ନଗଦ ୨୧ ଲକ୍ଷ ଟଙ୍କାର ଅଳଙ୍କାର। ତାହାରି ଭିତରେ ରହିଛି ୭ କେଜି ରୂପା ସହ ସୁନାର ହାର, ମଙ୍ଗଳସୂତ୍ର, ଚେନ୍ ଏବଂ ସୁନାର ଶଙ୍ଖା ।

ନାଁ ପର୍ଶୁରାମ ଗିରି। ଘର ବାଲେଶ୍ୱର ଜିଲ୍ଲାର ସୋର ଅଞ୍ଚଳ। ପର୍ଶୁରାମ ପାଠ ପଢ଼ିଛି ମାତ୍ର ନବମ ଯାଏଁ । ହେଲେ ରାଜଧାନୀରେ ଚଳାଇଛି ସିନ୍ଧି ଚୋରି । ପର୍ଶୁରାମର ନଜର କେବଳ ଟଙ୍କା ଆଉ ଅଳଙ୍କାର ଉପରେ । କେଉଁଠି ଶାବଳ ଧରି ଝରକା ତାଡ଼ି ଚୋରି କରିଛି ତ ଆଉ କେଉଁଠି ଘରେ କେହି ନ ଥିବାର ସୁଯୋଗ ଉଣ୍ଡି କଳାକନା ବୁଲାଇଛି। ପର୍ଶୁରାମ ଯେବେ ମିଶନରେ ଯାଏ, ସେତେବେଳେ ସେ ଚପଲ ପିନ୍ଧେନି। ଚୋରି କରିବା ପୂର୍ବରୁ ଫୋନକୁ ରଖେ ଫ୍ଲାଇଟ୍ ମୋଡରେ। ଏହାପରେ ଚୋରି କରି ହୋଇଯାଏ ସୀମାପାର। ଆଉ ସଉକ ମେଣ୍ଟାଇବା ପାଇଁ କେବେ ମୁମ୍ବାଇ ଯାଇ ତାଜ୍ ହୋଟେଲରେ ରୁହେ ତ ଆଉ କେବେ ଗୋଆ ଯାଇ ମଉଜ କରେ। ପର୍ଶୁରାମ ଚୋରି କରି ଭୁବନେଶ୍ୱର ବଡ଼ଗଡ଼ ଥାନା ଚିଲି ପୋଖରୀ ଅଞ୍ଚଳରେ ଏକ ଘର କରିବା ସହ ନିଜ ଗାଁ ସୋର ସୁଲତାନପୁରରେ ମଧ୍ୟ ଘର କରିଛି। ପୋଲିସର କହିବା କଥା, ଚୋରି କରି ଏହି ଘରଦ୍ୱାର ଛିଡ଼ା କରାଇଛି ପର୍ଶୁରାମ। କେବଳ ଏତିକି ନୁହେଁ, ଜୀବନ ବୀମା ବି ସେ କରିଛି ନିଜ ନାଁରେ ।

Advertisment

ଏକଦା ପତ୍ନୀକୁ ହତ୍ୟା ଅଭିଯୋଗରେ ଜେଲ ଯାଇଥିଲା ପର୍ଶୁରାମ । ଚୋରି ମାମଲାରେ ପୂର୍ବରୁ ପାଞ୍ଚ ପାଞ୍ଚ ଥର ଗିରଫ ବି ହୋଇଛି । କିନ୍ତୁ ମୁକୁଳିବା ପରେ ପୁଣି ଚୋରି କରୁଛି । ଏବେ ପୁଣି ଥରେ ଧରାପଡ଼ିଥିବାରୁ ଏଣିକି କଡ଼ା ଆକ୍ସନ ସହ ସଂପତ୍ତି ବାଜ୍ୟାପ୍ତି କରି ଘର ଭାଙ୍ଗିବାକୁ ନିଷ୍ପତ୍ତି ନେଇଛି ପୋଲିସ । ଅପରପକ୍ଷେ ପର୍ଶୁରାମ ଧରାପଡ଼ିବା ପରେ ରାଜଧାନୀବାସୀ ଆଶ୍ୱସ୍ତ ଅନୁଭବ କରିଥିବାବେଳେ ପୁଅକୁ ଫସାଇ ଦିଆଯାଇଥିବା କହିଛନ୍ତି ପର୍ଶୁରାମଙ୍କ ବାପା, ମା’ । ଏବେ ଧୂର୍ତ୍ତ ଚୋର ପର୍ଶୁରାମ ଧରାପଡ଼ିଛି ସତ । ହେଲେ ପୁଣି ଥରେ ଜେଲରୁ ମୁକୁଳି ଚୋରି କରୁଛି ନା ତାକୁ ସାବାଡ଼ କରି ସଠିକ ରାସ୍ତାକୁ ଆଣୁଛି ପୋଲିସ, ତା’ଉପରେ ନଜର।

Bhubaneswar Commissionerate Police Lootera
Advertisment
Advertisment