• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ହାଇଟେକ୍ ମେଡ଼ିକାଲରେ ଚାଲିଛି କ’ଣ ? ବିସ୍ଫୋରଣ ମାମଲାରେ କେବେ କାହାକୁ ଜୀବିତ କହୁଛନ୍ତି, ପୁଣି କେବେ ମୃତ ଦର୍ଶାଉଛନ୍ତି । ୯୫ ପ୍ରତିଶତ ଗ୍ୟାରେଣ୍ଟି ଦେଇ ଯେଉଁ ଦିଲୀପ ସାମନ୍ତରାୟଙ୍କୁ ଜୀବିତ ବୋଲି ଦର୍ଶାଇଥିଲା ମେଡିକାଲ୍, ୨୪ ଘଣ୍ଟା ଭିତରେ ସେହି ଦିଲୀପଙ୍କ ମୃତ୍ୟୁ ହୋଇଥିବା କହିବା ପରେ ବଢ଼ିଛି ବିବାଦ । କ୍ରମାଗତ ଗୋଟିଏ ପରେ ଗୋଟିଏ ଦାୟିତ୍ୱହୀନ କାର୍ଯ୍ୟ ପାଇଁ ଦିଲୀପଙ୍କ ମା’ ଥାନାରେ ଏତଲା ଦେଇଥିବାବେଳେ କାଠଗଡ଼ାରେ ଛିଡ଼ା ହୋଇଛନ୍ତି ହାଇଟେକ୍ ମେଡିକାଲ କର୍ତ୍ତୃପକ୍ଷ।

ଆଉ କେତେ ମରିବେ ଜଟଣୀ ବଅଙ୍ଗ ଗାଁର ଦିଲୀପ ସାମନ୍ତରାୟ ? ଆଉ କେତେଥର ସେ ଉଠିବେ ମରଣ ଶେଯରୁ ? ଆଉ କେତେ ଶବ ଦାହ କରିବେ ଦିଲୀପଙ୍କ ସଂପର୍କୀୟ ? ପ୍ରାୟ ସପ୍ତାହେ ହୋଇଗଲା, ଭେଣ୍ଟିଲେଟରରୁ ବାହାରି ନିଜର ପରିଚୟ ଦେଇଥିବା ଦିଲୀପଙ୍କ ସଂପର୍କରେ ସତ-ମିଛ ଶୁଣୁ ଶୁଣୁ ଶେଷରେ ଆଜି ଏମିତି ସତ ସାମ୍ନାକୁ ଆଣିଲେ ମେଡିକାଲ କର୍ତ୍ତୃପକ୍ଷ, ଯାହାକୁ ନେଇ କମ୍ପିଛି ହାଇଟେକ୍ ହସ୍ପିଟାଲ୍ କ୍ୟାମ୍ପସ୍ । ଯେଉଁ ପୁଅ ମଲା ବୋଲି ବୋହୂଟିଏ ଆତ୍ମହତ୍ୟା କରିଦେଲା, ସେହି ପୁଅକୁ ଜୀବିତ ଦର୍ଶାଇ ପୁଣି ମୃତ ଘୋଷଣା କରିଦେଲା ମେଡିକାଲ୍ । ପରିବାର ଲୋକଙ୍କ ଅଭିଯୋଗ, ରାତି ଗୋଟାଏ ଯାଏଁ ମା’ ସହ କଥା ହୋଇଥିବା ପୁଅ ଦିଲୀପଙ୍କୁ ରାତି ୩ଟାରେ ମୃତ ଘୋଷଣା କରିଦେଲେ ମେଡିକାଲ୍ କର୍ତ୍ତୃପକ୍ଷ। ଏପରିକି ଜୋର ଜବରଦସ୍ତ ଟିପ ଚିହ୍ନ ବି ନେଇଗଲେ। ତେଣୁ ଏହାକୁ ହତ୍ୟା ବୋଲି ଦର୍ଶାଇବା ସହ ମଞ୍ଚେଶ୍ୱର ଥାନାରେ ଏତଲା ଦେଇଛନ୍ତି ଦିଲୀପଙ୍କ ମା’ ।

ଜୀବନ ମୃତ୍ୟୁର କାଚଘରେ ଥିବାବେଳେ ଦିଲ୍ଲୀପ ସାମନ୍ତରାୟ ଯେ ଅସୁରକ୍ଷିତ ତାହା ପୂର୍ବରୁ ହିଁ ଆଶଙ୍କା କରୁଥିଲେ ପରିବାର ଏବଂ ଆତ୍ମୀୟ ସ୍ୱଜନ। ଏପରିକି ଝିଅକୁ ହରାଇଥିବା ଦିଲୀପଙ୍କ ଶ୍ୱଶୁର ବି ଗତକାଲି ଆଶଙ୍କା କରୁଥିଲେ ବଞ୍ଚିଥିବା ଜ୍ୱାଇଁ ସହ କିଛି ବି ଘଟିପାରେ।

ସାଧାରଣତଃ ସୁସ୍ଥ ହେଲେ ରୋଗୀଙ୍କୁ ଭେଣ୍ଟିଲେଟର୍ କିମ୍ବା ଆଇସିୟୁରୁ ବାହାର କରାଯାଇଥାଏ। ଅର୍ଥାତ ମରଣମୁହଁରୁ ବଞ୍ଚି ଆସିଥିଲେ ବୋଲି ଭେଣ୍ଟିଲେଟରରୁ ଦିଲୀପଙ୍କୁ ବାହାର କରାଯାଇଥିଲା। ଆଉ ଦିଲୀପ ବି ଡାକ୍ତରଙ୍କ ସାମ୍ନାରେ ନିଜ ପରିଚୟ ବଖାଣିଥିଲେ। ହେଲେ ରାତାରାତି ଏମିତି କ’ଣ ଘଟିଗଲା, ଦିଲୀପଙ୍କୁ ଶେଷରେ ମୃତ ଘୋଷଣା କଲା ମେଡିକାଲ୍ ? ବିସ୍ଫୋରଣର ଶିକାରଙ୍କ ମଧ୍ୟରୁ ତୃତୀୟ ବ୍ୟକ୍ତି ଭାବେ ଯିଏ ପ୍ରାଣ ହରାଇଲେ ସିଏ ଦିଲୀପ ତ ? କେଉଁ ବିଶ୍ୱାସରେ ଦିଲୀପଙ୍କ ପରିବାର ମୃତଦେହକୁ ନେଇ ସତ୍କାର କରିବେ ? କୁଆଡ଼େ ଗଲେ ବିସ୍ଫୋରଣର ଶିକାର ଜ୍ୟୋତିରଂଜନ ମଲ୍ଲିକ ? କାହିଁକି ଜ୍ୟୋତିରଂଜନଙ୍କ ସଂପର୍କରେ ସ୍ପଷ୍ଟତା ଆଣୁନାହାଁନ୍ତି ମେଡିକାଲ କର୍ତ୍ତୃପକ୍ଷ ? ଏଭଳି ପ୍ରଶ୍ନ ଭିତରେ, ଜ୍ୟୋତିରଂଜନଙ୍କ ପରିବାର ଆଜି ବି ଆଣିଛନ୍ତି ସଂଗୀନ ଅଭିଯୋଗ । କହିଛନ୍ତି, ଜ୍ୟୋତିରଂଜନଙ୍କ ମୃତଦେହକୁ ଦିଲ୍ଲୀପଙ୍କ ପରିବାରକୁ ହସ୍ତାନ୍ତର କରିଦେଇଥିଲା ମେଡିକାଲ । ଘଟଣା ପ୍ରଘଟ ନ କରିବାକୁ ଲକ୍ଷ ଲକ୍ଷ ଟଙ୍କା ବି ଯାଚିଛି ।

ତେବେ ଲାଞ୍ଚ ସଂପର୍କରେ ହାଇଟେକ୍ ପକ୍ଷରୁ ପ୍ରତିକ୍ରିୟା ମିଳିନଥିବାବେଳେ ଏବେ ପୋଲିସ ଏବଂ DNA ରିପୋର୍ଟ କଥା କହି ଖସିବାକୁ ଚେଷ୍ଟା କରୁଛନ୍ତି ମେଡିକାଲ କର୍ତ୍ତୃପକ୍ଷ। ସେପଟେ ତତ୍ପରତା ଦେଖାଇ କମିଶନରେଟ୍ ପୋଲିସ କହିଛି, ଯେ ପର୍ଯ୍ୟନ୍ତ DNA ଟେଷ୍ଟ ରିପୋର୍ଟ ଆସିନାହିଁ, ସେ ଯାଏଁ ମୃତ ତୃତୀୟ ବ୍ୟକ୍ତିଙ୍କ ଶବ ହସ୍ତାନ୍ତର କରାଯିବ ନାହିଁ। ଏମ୍ସ ହସ୍ପିଟାଲକୁ ଶବ ବ୍ୟବଚ୍ଛେଦ ପାଇଁ ଏବଂ 'DNA ପ୍ରୋଫାଇଲିଂ ପାଇଁ ସାମ୍ପୁଲ ଦିଲ୍ଲୀ ପଠାଯାଇଛି। ଏଥିପାଇଁ ୭ ଦିନ ଲାଗିବ।

ଡିସେମ୍ବର ୨୯। ହାଇଟେକ୍‌ ହସ୍ପିଟାଲରେ ହୋଇଥିଲା ଭୟଙ୍କର ବିସ୍ଫୋରଣ। ଯାହାର ଭିଡିଓ ହୁଏତ ଆପଣଙ୍କୁ ବିଚଳିତ କରିପାରେ। ବିସ୍ଫୋରଣ ପରେ ନିଆଁରେ ଜଳିପୋଡ଼ି ଛଟପଟ ହୋଇଥିଲେ ୪ ଜଣ ବ୍ୟକ୍ତି। ତା’ମଧ୍ୟରୁ ଏଯାଏଁ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ଚିକିତ୍ସାଧିନ ଥିବା କହିଆସୁଛି ହାଇଟେକ୍ ମେଡିକାଲ୍ ।