ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ପରିସରରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାକୁ ନେଇ ଚାଲିଛି ତନାଘନା । ସିଟି ସ୍କାନ ୱାର୍ଡ ପଛପଟେ ଥିବା ଦେବଦାରୁ ଗଛରେ ଝୁଲୁଥିଲା ଜଣେ ଯୁବକଙ୍କ ଶବ । ହାତରେ ଲାଗିଥିବା ଛୁଞ୍ଚିରୁ ସେ ଜଣେ ରୋଗୀ ବୋଲି ଜଣାପଡିଥିଲା । ପରେ ପରେ ପରିଚୟ ବି ମିଳିଲା । ଗତକାଲି ରାତି ଆଠଟାରେ ଆଉଟଡୋରରେ ଚିକିତ୍ସା ପରେ, ସର୍ଜରୀ ୱାର୍ଡରେ ଭର୍ତ୍ତି ହେବା କଥା । କିନ୍ତୁ ଭର୍ତ୍ତି ନହୋଇ ଯୁବକଙ୍କ ଝୁଲନ୍ତା ଶବ ଠାବ ହୋଇଛି । ଏଭଳି ପରିସ୍ଥିତିରେ ଯୁବକ ଜଣକ ଆତ୍ମହତ୍ୟା କରିଛନ୍ତି ନା କେହି ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଛି, ତାକୁ ନେଇ ଦେଖାଦେଇଛି ସନ୍ଦେହ । ବିଭିନ୍ନ ଦିଗକୁ ଦୃଷ୍ଟି ଦେଇ ପୋଲିସ ତଦନ୍ତ ଆରମ୍ଭ କରିଛି।
ଆଜି ସକାଳୁ ସକାଳୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ହଇଚଇ ପ୍ରକାଶ ପାଇଥିଲା । ସିଟିସ୍କାନ ୱାର୍ଡ ପଛପଟେ ରୋଗୀ ଓ ସଂର୍ପକୀୟଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଖବର ବୁଝୁ ବୁଝୁ ଜଣାପଡିଥିଲା, ଯେ ୱାର୍ଡ ନିକଟରେ ଥିବା ଏକ ଦେବଦାରୁ ଗଛରେ ଝୁଲୁଛି ଜଣେ ଯୁବକଙ୍କ ମୃତଦେହ । ହସପିଟାଲ ଫାଣ୍ଡି ଓ ଟାଉନ ପୋଲିସ ଶବକୁ ଗଛରୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଦେଇଥିଲା । ତେବେ ଶବର ପକେଟରୁ ମିଳିଥିଲା ହସପିଟାଲ ଟିକେଟ । ଟିକେଟରେ ଲେଖାଥିଲା ଯୁବକଙ୍କ ନାଁ ଅଗସ୍ତି ଜାନୀ । ଯୁବକ ଜଣକ ଟିଟିଲାଗଡ ଅଂଚଳର । ଅଗସ୍ତିଙ୍କ ମୁଣ୍ଡରେ ବ୍ୟାଣ୍ଡେଜ ଲାଗିଥିବା ବେଳେ,. ହାତରେ ଭ୍ୟାନପ୍ଳାମ ଲାଗିଛି । ଆଉଟଡୋରରେ ଡାକ୍ତରଙ୍କୁ ଦେଖାଇବା ପରେ, ଅଗସ୍ତିଙ୍କୁ ଡାକ୍ତର ସର୍ଜରୀୱାର୍ଡରେ ଭର୍ତ୍ତି ହେବା ପାଇଁ ପରାମର୍ଶ ଦେବା ସହିତ ଆଡମିଟ ଟିକେଟ ମଧ୍ୟ କରିଥିଲେ । କିନ୍ତୁ ଯୁବକ ଜଣକ ଆଡମିଟ ହୋଇନଥିଲେ । ତେବେ ଝୁଲନ୍ତା ଶବ ମିଳିବା ପରେ ଏଦିଗରେ ହସପିଟାଲ କର୍ତ୍ତୃପକ୍ଷ ତଦନ୍ତ ଜାରୀ ରଖିଛନ୍ତି ।
Also Read
ମିଲିଥିବା ସୂଚନା ଅନୁସାରେ ଗତକାଲି ସଂନ୍ଧ୍ୟାରେ ବିଳାସପୁର-ରାୟପୁର ପାସେଞ୍ଜରରୁ ଲୋଇସିଂହା ରେଲୱେ ଷ୍ଟେସନରେ ଓହ୍ଳାଇଥିଲେ ଅଗସ୍ତି ଜାନୀ । ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଲୋଇସିଂହା ରେଲୱେ ଷ୍ଟେସନ ମାଷ୍ଟର ଅଗସ୍ତିଙ୍କୁ ଲୋଇସିଂହା ହସପିଟାଲକୁ ପଠାଇଦେଇଥିଲେ । ଲୋଇସିଂହା ହସପିଟାଲରେ ଅଗସ୍ତିକୁ ପ୍ରାଥମିକ ଚିକିତ୍ସା ପରେ ଆମ୍ବୁଲାନସରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲକୁ ପଠାଇଦେଇଥିଲେ । ବଲାଙ୍ଗିରରେ ରାତି ୮ ଟାରେ ଆଉଟଡୋରରେ ଡାକ୍ତର ଦେଖିବା ପରେ ସର୍ଜରୀ ୱାର୍ଡରେ ଭର୍ତ୍ତି ପାଇଁ କହିଥିଲେ । କିନ୍ତୁ ସି.ସି.ଟିଭି ଫୁଟେଜରେ ଯୁବକ ଜଣକ ଟିକେଟ ଧରି ଏକା ଆଉଟଡୋର ଆଗରେ ଘୁରି ବୁଲୁଥିବା ଜଣାପଡିଛି ।
ଯଦି ରୋଗୀଙ୍କ ଆଟେଣ୍ଡାନସ ନଥିବେ , ତାହେଲେ ଆମ୍ବୁଲାନସ କର୍ମଚାରୀ ତଥା ହେଲ୍ପଡେକ୍ସର କର୍ମଚାରୀ, ରୋଗୀକୁ ୱାର୍ଡରେ ଭର୍ତ୍ତି କରିବା କଥା । କିନ୍ତୁ ସେସବୁ କରାଯାଇନାହିଁ । ତା ସହିତ ମୁଣ୍ଡରେ ଆଘାତ ଲାଗିଥିବା, ହାତରେ ଭ୍ୟାନପ୍ଳାମ ଲାଗିଥିବା ଜଣେ ଗୁରୁତର ରୋଗୀ, କିଭଳି ଭାବରେ ଗଛ ଉପରକୁ ଚଢି ଦଉଡି ବାନ୍ଧି ଆତ୍ମହତ୍ୟା କଲେ, ତାକୁ ନେଇ ସନ୍ଦେହ ଦେଖାଦେଇଛି । କେହି ହତ୍ୟା ପରେ ଆତ୍ମହତ୍ୟାର ରୂପ ଦେଇନାହାନ୍ତି ତ ? ପୋଲିସ ପରିବାର ଲୋକଙ୍କୁ ଡକାଇ ଅଧିକ ତଦନ୍ତ ଜାରୀ ରଖିଛି ।
- Reported by:
- Ghateswar Mishra