/odishatv-khabar/media/post_attachments/uploadimage/library/16_9/16_9_0/IMAGE_1733723114.jpg)
Gujarat Man Thrashes Bank Manager
ବ୍ୟାଙ୍କ ଭିତରେ ମାର୍ପିଟ୍। ବ୍ୟାଙ୍କ ମ୍ୟାନେଜରଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଗ୍ରାହକ। କିଛି ସମୟ ପାଇଁ ବ୍ୟାଙ୍କ ପାଲିଟିଲା ରଣଭୂମି। ଗୁଜରାଟର ଅହମଦାବାଦରେ ଥିବା ୟୁନିୟନ ବ୍ୟାଙ୍କ ଭିତରେ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କୁ ମାଡ଼ ମାରିଛନ୍ତି ଜଣେ ଗ୍ରାହକ। ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଫିକ୍ସଡ ଜମା ଉପରେ ବର୍ଦ୍ଧିତ ଟିକସ କାଟକୁ ବିରୋଧ କରି ଗ୍ରାହକ ଜୈମନ ରାୱଲ ଅସନ୍ତୋଷ ପ୍ରକାଶ କରିଥିଲେ। ଏହାକୁ ନେଇ ବ୍ୟାଙ୍କ ମ୍ୟାନେଜରଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଏହାପରେ ସେ ବ୍ୟାଙ୍କ ମ୍ୟାନେଜରଙ୍କ ସହ ହାତାହାତି ହୋଇଥିଲେ।
ତେବେ ଏଭଳି ଘଟଣା ଡ଼ିସେମ୍ବର ୫ ତାରିଖରେ ଘଟିଛି ବୋଲି କୁହାଯାଉଛି। ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ଦୁଇ ଜଣ ବ୍ୟକ୍ତି ପରସ୍ପରର କଲାରକୁ ଜାବୁଡ଼ି ଧରିଛନ୍ତି। ଏତିକି ବେଳେ ଜୈମନ ବ୍ୟାଙ୍କ ମ୍ୟାନେଜରଙ୍କୁ ଗୋଟିଏ ଚାପୁଡ଼ା ମାରୁଛନ୍ତି। ଏହା ତାଙ୍କ ମୁଣ୍ଡରେ ବାଜିଥିଲା। ଭିଡିଓରେ ଜଣେ ମହିଳା ତାଙ୍କ ସହକର୍ମୀ ଶୁଭମଙ୍କୁ ଛାଡ଼ି ଦେବାକୁ କହୁଥିବା ଶୁଣିବାକୁ ମିଳୁଛି।
#ଓଃ_କି_ମାଡ଼
ବ୍ୟାଙ୍କ୍ରେ ମାଡ୍ ପିଟ୍ । ବ୍ୟାଙ୍କରେ ତୃଟି ହେବାରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଗୋଡେଇ ଗୋଡେଇ ପିଟିଲେ ଗ୍ରାହକ ।#Bankstaffs#Attack#OTVpic.twitter.com/UAD6wbRuOD— ଓଟିଭି (@otvkhabar) December 9, 2024
ପଛରେ ଜଣେ ବୟସ୍କ ମହିଳା ରହିଛନ୍ତି। ସମ୍ଭବତଃ ସେ ଗ୍ରାହକଙ୍କ ମା’। ସେ ବିବାଦ ସାମାଧାନ କରିବାକୁ ଚେଷ୍ଟା କରୁଥିଲେ ହେଁ କୌଣସି ପ୍ରକାରର ସୁଫଳ ପାଇ ନାହାନ୍ତି। ସେ ତାଙ୍କ ପୁଅଙ୍କୁ ଚାପୁଡ଼ା ମାରି ବ୍ୟାଙ୍କ ମ୍ୟାନେଜରଙ୍କ କଲର ଛାଡ଼ିବାକୁ ମଧ୍ୟ କହୁଛନ୍ତି। କିଛି ସମୟର ଟଣା ଓଟରା ପରେ ଉଭୟ ଅଲଗା ହୋଇଥିଲେ। କିନ୍ତୁ ଗ୍ରାହକ ଜଣଙ୍କ ପୁଣି ମାଡ଼ ମାରିବାକୁ ଚିହିଁକି ଉଠିଥିଲେ। ଏଥର ସେ ବ୍ୟାଙ୍କର ଆଉ ଜଣେ କର୍ମଚାରୀଙ୍କୁ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି।
ଭିଡିଓ ଭାଇରାଲ ହେବା ପରେ ପୋଲିସ୍ ଗୋଟିଏ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୋଲିସର କହିବା ଅନୁଯାୟୀ, ଅଭିଯୁକ୍ତ ବ୍ୟାଙ୍କ ମ୍ୟାନେଜରଙ୍କୁ ଦୁର୍ବ୍ୟବହାର କରିବା ସହ ତାଙ୍କ ଆଇଡ଼ି କାର୍ଡ଼ ଛଡ଼ାଇ ନେଇଥିଲେ। ଆଉ ଜଣେ କର୍ମଚାରୀ ଏଥିରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରିଥିଲେ ବି ତାଙ୍କ ସାର୍ଟ ଚିରି ଦେଇଥିଲେ। ଭାରତୀୟ ନ୍ୟାୟ ସଂହିତା ସେକ୍ସନ ୧୧୫-୨ (ସ୍ୱେଚ୍ଛାକୃତ ଭାବେ ଆଘାତପ୍ରାପ୍ତ), ୨୨୧ (ସରକାରୀ କର୍ମଚାରୀଙ୍କୁ ଡ୍ୟୁଟି କରିବାରେ ବାଧା ଦେବା) ଏବଂ ୨୯୬ (ଅଶ୍ଳୀଳ ଶବ୍ଦ ବ୍ୟବହାର କରିବା) ଅଧୀନରେ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)