• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମୟୁରଭଞ୍ଜ: ନା ଦେଇଛନ୍ତି ସୁନା ବନ୍ଧକ, ନା ନିଜେ ଯାଇ ଟଙ୍କା ଉଠାଣ କରିଛନ୍ତି । ହେଲେ କଷ୍ଟମରଙ୍କ ନାଁରେ ହୋଇଛି ଲକ୍ଷ ଲକ୍ଷ ଟଙ୍କା ଲୋନ୍ । ଖାଲି ସେତିକି ନୁହେଁ ନକଲି ସୁନାରେ ଠକେଇ ମଧ୍ୟ ହୋଇଛି । ଏଭଳି ପ୍ରାୟ ୩୮ ଲକ୍ଷ ଟଙ୍କା ଠକେଇ ହୋଇଥିବା ଜଣାପଡ଼ିଛି ।

ଏହି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଉଦଳା ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କରେ । ବ୍ୟାଙ୍କର ଗୋଲ୍ଡ ଭ୍ୟାଲୁୟର ବିଜୟ କୁମାର ରଣା ସ୍ଥାନୀୟ ଅଂଚଳର କିଛି ଯୁବକଙ୍କୁ ଗୋଲ୍ଡ ଲୋନ୍ କରାଇ ଦେଇଥିଲେ । ଏନେଇ ବିଭିନ୍ନ କାଗଜପତ୍ରରେ ଦସ୍ତଖତ ନେବା ସହ ବିଭିନ୍ନ ପ୍ରମାଣପତ୍ର ମଧ୍ୟ ନେଇଥିଲେ । ହେଲେ ସେମାନେ କୌଣସି ସୁନା ବନ୍ଧକ ନିମନ୍ତେ ଦେଇନଥିବା ବେଳେ ସେମାନଙ୍କ ନାରେ ସୁନା ବନ୍ଧକ ଋଣ ହେବା ସହ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଣ ମଧ୍ୟ ହୋଇଥିବା ଅଭିଯୋଗ ହୋଇଛି ।

ଅନ୍ୟପଟେ କିଛି ହିତାଧିକାରୀଙ୍କ ପୁରୁଣା ଗୋଲ୍ଡ ଲୋନର ରିନିୱାଲ୍ କରାଇ ଦେବାକୁ କହି ବିଜୟ, ଲକ୍ଷ ଲକ୍ଷ ଟଙ୍କା ଉଠାଣ କରିଥିବା ବେଳେ ହିତାଧିକାରୀ ଲୋନ୍ ଟଙ୍କା ପାଇନଥିବା ଅଭିଯୋଗ ହୋଇଛି । ସେପଟେ ହିତାଧିକାରୀଙ୍କ ନିକଟକୁ ବ୍ୟାଙ୍କ ପକ୍ଷରୁ ଫୋନ୍ କରାଯାଇ ସେମାନେ ନକଲି ସୁନା ବନ୍ଧକ ଦେଇଥିବାରୁ ତୁରନ୍ତ ଲୋନ୍ ଟଙ୍କା ଫେରସ୍ତ କରିବାକୁ ବ୍ୟାଙ୍କ କର୍ତ୍ତୃପକ୍ଷ ଦାବି କରିଛନ୍ତି । ଏଭଳି ଲକ୍ଷାଧିକ ଟଙ୍କା ଠକି ବିଜୟ ରଣା ଫେରାର୍ ହୋଇଯାଇଥିବା ବେଳେ ହିତାଧିକାରୀ ଏବେ କଣ କରିବେ ସେନେଇ ଚିନ୍ତାରେ ଅଛନ୍ତି । ବ୍ୟାଙ୍କ ଶାଖା ପରିଚାଳକ, କ୍ୟାସିୟର ଓ ଗୋଲ୍ଡ ଭ୍ୟାଲୁୟର ମିଳିମିଶି ଠକେଇ କରିଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ । ତେବେ ଏହି ଠକେଇ ଘଟଣାର ତଦନ୍ତ ଚାଲୁଥିବା କହିଛନ୍ତି ବ୍ୟାଙ୍କ ଶାଖା ପରିଚାଳକ ।