• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମମିତା ମେହେର ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ରହସ୍ୟଜନକ ଆତ୍ମହତ୍ୟାର ସରୁନି ଖିଅ ଖୋଜା । ଆଜି ୫ ଦିନ ହେଲା, ତଥ୍ୟ ପ୍ରମାଣ ଯୋଗାଡ଼ ଭିତରେ ଲାଗିପଡ଼ିଥିବା କ୍ରାଇମବ୍ରାଞ୍ଚ ଟିମ୍ ସୁଇସାଇଡ୍ ସସ୍‌ପେନ୍ସ ଉପରୁ ପରଦ ଉଠାଇପାରୁନି । କେବେ କଣ୍ଟାବାଞ୍ଜି ଜେଲ୍‌କୁ ଯାଇ ତ ଆଉ କେବେ ଗୋବିନ୍ଦ ସାହୁର ଗାଁ ମହାଲିଙ୍ଗ ଯାଇ କ୍ରାଇମବ୍ରାଞ୍ଚ ଟିମ୍ ଖୋଳତାଡ଼ କରୁଛି ।

ଗତକାଲି ଜେଲ୍‌ର ମୁଲାକାତ ରେଜିଷ୍ଟରକୁ ଜବତ କରି ଯାଞ୍ଚ କରିଥିବା କ୍ରାଇମବ୍ରାଞ୍ଚ ଆଜି କଣ୍ଟାବାଞ୍ଜି ସବ୍ ଜେଲ୍ ଏବଂ କଣ୍ଟାବାଞ୍ଜି ଥାନାକୁ ଯାଇ ତଦନ୍ତ କରିଛି । ତେବେ କେଉଁ ତଥ୍ୟର ସତ ଜାଣିବା ପାଇଁ ଆଜିକୁ ୫ ଦିନ ଧରି ଘଣ୍ଟାଚକଟା ଚଳାଇଛି ତଦନ୍ତକାରୀ ସଂସ୍ଥା, ତାକୁ ନେଇ ଲାଗିରହିଛି ସସ୍‌ପେନ୍ସ । ୨୦ ତାରିଖରେ ଗୋବିନ୍ଦର ମୃତ୍ୟୁ ପରେ ୨୧ ତାରିଖରୁ କ୍ରାଇମବ୍ରାଞ୍ଚ ଟିମ୍ କଣ୍ଟାବାଞ୍ଜିରେ ଡେରା ପକାଇଛି । ଅଥତ ଗୋବିନ୍ଦ ସୁଇସାଇଡ୍ ସସପେନସ ଉପରୁ ହଟିପାରୁନି ପରଦା ।

ସେପଟେ ଜେଲ୍ ନିର୍ଦ୍ଦେଶକ ବଲାଙ୍ଗିର ଜିଲ୍ଲାପାଳଙ୍କୁ ମାମଲାର ବିଚାର ବିଭାଗୀୟ ତଦନ୍ତ ପାଇଁ ଚିଠି ଲେଖିଛନ୍ତି । ତେବେ ସିଆର୍‌ପିସି ଧାରା ୧୭୬ ଅନୁଯାୟୀ, ଯେକୌଣସି ହାଜତ ମୃତ୍ୟୁର ୨୪ ଘଣ୍ଟା ଭିତରେ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ଙ୍କ ଦ୍ୱାରା ତଦନ୍ତ କରାଯିବା ଉଚିତ୍ । ଏପରିକି ମୃତଦେହର ପଞ୍ଚନାମା ବେଳେ ମୃତକଙ୍କ ସଂପର୍କୀୟ ଉପସ୍ଥିତ ରହିବା ଜରୁରୀ ।

ତେବେ ଘଟଣାକୁ ଇତି ମଧ୍ୟରେ ୪ ଦିନ ବିତିଯିବା ପରେ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଜୁଡ଼ିସିଆରି ଇନ୍‌କ୍ୱାରୀ ପାଇଁ ଜେଲ୍ ନିର୍ଦ୍ଦେଶକଙ୍କ ଚିଠିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ଆଇନଜୀବୀ । ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ଙ୍କୁ ଜିଲ୍ଲାପାଳ ନିଯୁକ୍ତ କରିପାରିବେ ନାହିଁ । ଏନେଇ ଜିଲ୍ଲାପାଳ ରାଜ୍ୟ ସରକାରଙ୍କୁ ଚିଠି କରିବେ । ରାଜ୍ୟ ସରକାର ଯାହା ନିଷ୍ପତ୍ତି ନେବେ । ଏଭଳି ସ୍ଥିତିରେ ଏମିତି ପତ୍ର ବିନିମୟ ପ୍ରମାଣ ନଷ୍ଟ କରିବା ଏବଂ ସମୟର ଅପଚୟ ବୋଲି କହିଛନ୍ତି ବରିଷ୍ଠ ଆଇନଜୀବୀ ।