/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752134890.jpg)
criminal mindset
ଗେଲବସରରେ ବଢ଼ିଥିବା ଝିଅଟି ପୁଲିସ ବିଭାଗରେ ଚାକିରି କରିବାକୁ ପରୀକ୍ଷା ଦେଉଥିଲା। ଏହାରି ଭିତରେ ସ୍ବାମୀଙ୍କ ସହିତ ତିକ୍ତତା ପରେ ଏହି ଝିଅଟି ପରବର୍ତ୍ତୀ ସମୟରେ ଜଣେ ଅପରାଧୀର ପ୍ରେମିକା ପାଲଟିଲା। ବିବାହ ବି କଲା। କିନ୍ତୁ ସମ୍ପୃକ୍ତ ଅପରାଧୀର ମୃତ୍ୟୁ ପରେ ଏହି ଝିଅଟିର ଇଜ୍ଜତ ଦେଢ଼ଶୁର ଓ ଶ୍ୱଶୁରଙ୍କ ନିକଟରେ ଏକ ପ୍ରକାର ବିକ୍ରି ହେଇଗଲା। ଶେଷରେ ଏକ ବୀଭତ୍ସ ହତ୍ୟାକାଣ୍ଡରେ ଏହି କାହାଣୀର ଶେଷ ହୋଇଥିଲା। ଏମିତି ଏକ ଘଟଣା ଝାନ୍ସୀରେ ଘଟିଛି।
ସ୍ବାମୀଙ୍କୁ ହଟାଇବାକୁ ସୁପାରି
ମଧ୍ୟପ୍ରଦେଶର ୨୯ ବର୍ଷୀୟ ପୂଜା ଜାଟବଙ୍କ ପ୍ରେମ ବିବାହ ଆଜିକୁ ଠିକ୍ ୧୧ ବର୍ଷ ତଳେ ହୋଇଥିଲା। କିନ୍ତୁ ପୂଜାଙ୍କ ସ୍ୱାମୀ ରମେଶଙ୍କ ରୋଜଗାର ବହୁତ କମ୍ ଥିଲା। ସୌଉକରେ ଜୀବନ ବଞ୍ଚୁଥିବା ପୂଜାଙ୍କୁ ରୋଜଗାର ମେଣ୍ଟାଇନଥିଲା। ଆର୍ଥିକ ସମସ୍ୟାକୁ ନେଇ ଏହି ଦମ୍ପତିଙ୍କ ଭିତରେ ନିୟମିତ ପାଟିତୁଣ୍ଡ ଲାଗି ରହୁଥିଲା। ସମ୍ପର୍କ ଏମିତି ଏକ ମୋଡ଼ରେ ପହଞ୍ଚିଲା ଯେ ପୂଜା ନିଜ ସ୍ବାମୀଙ୍କୁ ରାସ୍ତାରୁ ହଟାଇବାକୁ ପ୍ରସ୍ତୁତ କଲା ବଡ଼ ମାଷ୍ଟରପ୍ଲାନ୍। ଏଥିପାଇଁ ସେ ଅପରାଧୀଙ୍କୁ ସୁପାରି ଦେଲା। ଅପରାଧୀମାନେ ଯୋଜନା ମୁତାବକ ତା ସ୍ୱାମୀଙ୍କ ଉପରେ ଗୁଳିମାଡ଼ କରିଥିଲେ। କିନ୍ତୁ ସୌଭାଗ୍ୟ ବଶତଃ ସେ ବର୍ତ୍ତିଯାଇଥିଲେ। ଏହି ଘଟଣାକୁ ନେଇ ପୂଜା ବିରୋଧରେ ମାମଲା ରୁଜୁ ହୋଇଥିଲା। ପୂଜା ଗିରଫ ହୋଇ ଜେଲ୍ ଯାଇଥିଲା।
ଦୁଇ ଅପରାଧୀଙ୍କ ପ୍ରେମ କାହାଣୀ
ପୂଜାଙ୍କ ମାମଲା ଶୁଣାଣି ସମୟରେ ସେ ନିୟମିତ କୋର୍ଟ ଯିବା ଆସିବା କରୁଥିଲେ। କୋର୍ଟ ଯିବା ଆସିବା ଭିତରେ ଝାନ୍ସୀର ବାସିନ୍ଦା କଲ୍ୟାଣ ସହିତ ତାଙ୍କ ବନ୍ଧୁତା ହୋଇଥିଲା। କଲ୍ୟାଣ ଜଣେ ଅପରାଧୀ। ତା ବିରୋଧରେ ବି ଅନେକ ଅପରାଧିକ ମାମଲା ରହିଥିଲା। ଉଭୟଙ୍କ ବନ୍ଧୁତା ପରବର୍ତ୍ତୀ ସମୟରେ ପ୍ରେମ ଆଡ଼କୁ ମୁହାଁଇଥିଲା। ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ପୂଜା ଭିନ୍ନ ଜାତିର ଥିଲା। ଏମିତିକି ସେ ପୂର୍ବରୁ ବିବାହ କରିଥିବାରୁ ସ୍ବାମୀଙ୍କ ସହିତ ଛାଡ଼ପତ୍ର ବି ହୋଇନଥିଲା। ଏହାସତ୍ତ୍ବେ ଏହି ପ୍ରେମୀଯୁଗଳ ଏକାଠି ରହିବାକୁ ନିଷ୍ପତ୍ତି ନେଇଥିଲେ। ଦୁହେଁ ଲିଭ୍ ଇନ୍ ରିଲେସନଶିପରେ ରହିଥିଲେ। ଛଅ ବର୍ଷ ଏକାଠି ରହିଥିଲେ। ପରେ କଲ୍ୟାଣଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଭାଙ୍ଗିପଡ଼ିଥିବା ପୂଜା କଲ୍ୟାଣଙ୍କ ପରିବାର ଲୋକଙ୍କୁ ଆର୍ଥିକ ସହଯୋଗ କରିବାକୁ ନେହୁରା ହୋଇଥିଲେ। କିନ୍ତୁ ତା ପରେ ଯାହା କିଛି ଘଟିଲା, ଏସବୁ କେବଳ ସିନେମାରେ ହିଁ ଘଟିଥାଏ।
ବାଜିରେ ଲାଗିଥିଲା ଇଜ୍ଜତ
କଲ୍ୟାଣଙ୍କ ବଡ଼ ଭାଇ ସନ୍ତୋଷ ଓ ବାପା ଅଜୟ ସିଂହ ପୂଜାକୁ ଆର୍ଥିକ ସହଯୋଗ ପାଇଁ ଯଦିଓ ରାଜି ହୋଇଥିଲେ ଏମିତି ଏକ ସର୍ତ୍ତ ରଖିଥିଲେ ଯେ ପରବର୍ତ୍ତୀ ସମୟରେ ପୂଜାଙ୍କ ଇଜ୍ଜତକୁ ବାଜିରେ ଲଗାଇ ଦେଇଥିଲା। ପୂଜା ସର୍ତ୍ତ ଅନୁଯାୟୀ କଲ୍ୟାଣଙ୍କ ଝାନ୍ସୀର ତହରୌଲି ଥାନା ଅଞ୍ଚଳର କୁମ୍ଭାରିଆ ଘରେ ଆଶ୍ରୟ ନେଇଥିଲା। କିଛି ଦିନ ପରେ କଲ୍ୟାଣଙ୍କ ବଡ଼ ଭାଇ ତାର ନିକଟତର ହେବାକୁ ଲାଗିଥିଲେ। ସମ୍ପର୍କ କ୍ରମାଗତ ଭାବେ ଏମିତି ବଢ଼ିଗଲା ଯେ ବିବାହିତ ସନ୍ତୋଷ ପୂଜାଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ସନ୍ତୋଷଙ୍କ ପତ୍ନୀ ଓ ପିଲା ଥିବା ସତ୍ତ୍ବେ ଏଭଳି ପଦକ୍ଷେପ ନେଇଥିଲେ। କେବଳ ସନ୍ତୋଷ ନୁହେଁ କଲ୍ୟାଣଙ୍କ ବାପା ତଥା ପୂଜା ନିଜ ଶଶୁରଙ୍କ ସହିତ ବି ଅନୈତିକ ସମ୍ପର୍କ ରଖିଥିଲା। ଏମିତି ଦୋଛକିରେ ଛିଡ଼ା ହୋଇଥିବା ପୂଜା ଓ ସନ୍ତୋଷଙ୍କ ଝିଅଟିଏ ଜନ୍ମ ହେଇଥିଲା।
ଜମି ପାଇଁ ସୁପାରି
ପୂଜା ଆର୍ଥିକ ସ୍ତରରେ ନିଜକୁ ଅଧିକ ମଜଭୁତ କରିବା ପାଇଁ କଲ୍ୟାଣଙ୍କ ଭାଗରେ ଥିବା ଜମି ବିକ୍ରି କରିବାକୁ ଚାହିଁଥିଲେ। ସନ୍ତୋଷ ଓ ଶ୍ୱଶୁର ରାଜି ଥିବା ବେଳେ ପୂଜାଙ୍କ ଶାଶୂ ସୁଶୀଳା ରାଜି ହୋଇନଥିଲେ। ସେ ହିଁ ଘର ଭିତରେ ପ୍ରଥମ ଲୋକ ଯିଏ କି ଏହି ଜମି ବିକ୍ରିକୁ ବିରୋଧ କରିଥିଲେ। ଶାଶୂଙ୍କୁ ରାସ୍ତାରୁ ହଟାଇବା ପାଇଁ ପୂଜା ପ୍ରସ୍ତୁତ କରିଥିଲା ବଡ଼ ଷଡ଼ଯନ୍ତ୍ର। ଏଥିପାଇଁ ସେ ନିଜ ଭଉଣୀ କମଳା ଓରଫ କାମିନୀ ଓ ଭଉଣୀର ପ୍ରେମିକ ଅନିଲ ବର୍ମାକୁ ସାମିଲ କରାଇଥିଲା। କଲ୍ୟାଣଙ୍କ ଜମି ବିକ୍ରି ହେଲେ ଯେଉଁ ଟଙ୍କା ଆସିବ ଏହାକୁ ଉଭୟଙ୍କ ମଧ୍ୟରେ ବାଣ୍ଟି ନେବାକୁ ପୂଜା ପ୍ରତିଶ୍ରୁତି ଦେଇଥିଲା।
ଏମିତି ଥିଲା ହତ୍ୟାକାଣ୍ଡ
ସବୁ ଯୋଜନା ଠିକ୍ ହେଲା। ଜୁନ୍ ୨୪ ତାରିଖ। ସେଦିନ ପୂଜା ନିଜ ଝିଅର ଜନ୍ମ ଦିନ ପାଳିବା ପାଇଁ ସନ୍ତୋଷ ଓ ଅଜୟଙ୍କୁ ଗ୍ୱାଲିୟର ଡାକିଥିଲେ। ଘରେ ଏକୁଟିଆ ଥିଲେ ଶାଶୂ ସୁଶୀଳା। ପୂର୍ବ ଷଡ଼ଯନ୍ତ୍ର ଅନୁଯାୟୀ, ପୂଜାର ଭଉଣୀ କାମିନୀ ଓ ତାର ପ୍ରେମିକ ଅନିଲ ଝାନ୍ସୀରେ ପହଞ୍ଚି ସୁଶୀଳାଙ୍କୁ ହତ୍ୟା କରିଥିଲେ। କିନ୍ତୁ ହତ୍ୟାକାଣ୍ଡ ଲୁଚି ରହିଲାନି। ପୁଲିସ ପୂଜା ସମେତ ଭଉଣୀ ଓ ତାର ପ୍ରେମିକକୁ ଧରିବାରେ ସଫଳ ହୋଇଥିଲା।
ୟୁପି ପୁଲିସରେ ଚାକିରି ପାଇଁ ପରୀକ୍ଷା
ପୂଜା ଭଲ ପଢ଼ୁଥିଲା। ଉତ୍ତରପ୍ରଦେଶରେ ପୁଲିସ ବିଭାଗରେ ଚାକିରି କରିବାକୁ ସ୍ବପ୍ନ ଦେଖିଥିଲା। ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରିଥିଲା। ପୁଲିସ ପରୀକ୍ଷା ମଧ୍ୟ ଦେଇଥିଲା। ରମେଶଙ୍କୁ ବିବାହ କରିବା ପରେ ମଧ୍ୟ ପୂଜା ପଢ଼ା ବନ୍ଦ କରିନଥିଲା। ବାପା ଥିଲେ ରେଳବାଇରେ ଲୋକୋ ପାଇଲଟ୍। ବାପାଙ୍କ ଦୁଇ ପୁଅ ଏବଂ ତିନି ଝିଅଙ୍କ ମଧ୍ୟରୁ ପୂଜା ସବୁଠାରୁ ସାନ ଥିଲା। ଗେଲ ବସରରେ ବଢ଼ିଥିବା ଝିଅଟି ଯେ ଘଟଣାଚକ୍ରରେ ଏମିତି ବଦଳିଯିବ, ତାହା କେହି କେବେ ଚିନ୍ତା କରିନଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)