• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଗଞ୍ଜେଇ ଧରିବା ପାଇଁ ବସ୍ ଖାନ୍‌ତଲାସି ବେଳେ ଜବତ ହେଲା ନଗଦ ୧ କୋଟି ୨୨ ଲକ୍ଷ ଟଙ୍କା । ପୁଣି ଟଙ୍କା ଜବତ ହୋଇଥିବା ଅଭିଯୁକ୍ତଠାରୁ ସୂଚନା ପାଇ ବ୍ରହ୍ମପୁରରେ ଥିବା ଏକ ଜୁଏଲର୍ସରୁ ମିଳିଲା ୨୩ଟି ସୁନା ବିସ୍କୁଟ୍ । ଅବକାରୀ ବିଭାଗ ନିକଟରୁ ଖବର ପାଇ ଟଙ୍କା ଜବତ କରି ତଦନ୍ତ ଜାରି ରଖିଛି ବ୍ରହ୍ମପୁର ବୈଦ୍ୟନାଥପୁର ପୋଲିସ୍ । ଏଥିସହ ବ୍ରହ୍ମୁପୁରରେ ବେଆଇନ୍ ଭାବେ ସୁନା ସ୍ମଗଲିଂ କରାଯାଉଥିବା ନେଇ ଚର୍ଚ୍ଚା ହେଉଛି । ଏହି ଘଟଣାରେ ବ୍ରହ୍ମପୁରର ଜଣେ ଜୁଏଲର୍ସ ଦୋକାନୀ ପୋଲିସ ସ୍କାନରରେ ଥିବାବେଳେ ଟଙ୍କା ଜବତ ହୋଇଥିବା ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରାଯାଉଛି ।

ବିଡ଼ା ବିଡ଼ା ଟଙ୍କା । ନୋଟ୍ ବିଡ଼ାରେ ରହିଛି ଖାଲି ୫ ଶହିଆ ଟଙ୍କିଆ । ଦେଖିଲେ ଆଖି ତରାଟି ଯାଉଛି । ଖାଲି ନୋଟ୍ କାହିଁକି, ୨୩ଟି ସୁନା ବିସ୍କୁଟ୍ ବି ଜବତ । ଯାହାର ଓଜନ ୨ କେଜି ୨ ଶହ ଗ୍ରାମ୍ । ତାସହିତ ନଗଦ ୧ କୋଟି ୨୨ ଲକ୍ଷ ଟଙ୍କା ଜବତ ହୋଇଛି ବ୍ରହ୍ମପୁରରୁ । ମଙ୍ଗଳବାର ଅପରାହ୍ଣ ପ୍ରାୟ ୩ଟା । ବ୍ରହ୍ମପୁରରୁ କଟକ ଅଭିମୁଖେ ଯାଉଥିବା ଓଏସ୍‌ଆରଟିିସି ବସ୍‌ରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ନେଇ ବିଶେଷ ସୂତ୍ରରୁ ସୂଚନା ପାଇଥିଲା ଅବକାରୀ ସ୍କ୍ୱାଡ୍ । ଲାଞ୍ଜିପଲ୍ଲୀ ବାଇପାସ୍ ପାଖରେ ଜଗି ରହିଥିଲେ ଅଧିକାରୀ ।

ବସ୍‌କୁ ଅଟକାଇ ଯାଞ୍ଚ ବେଳେ ସେଥିରେ ଯାତ୍ରା କରୁଥିବା ମହାରାଷ୍ଟ୍ର ସାଂଗଲି ଜିଲ୍ଲାର ଦଶରଥ ସୌକାତଙ୍କ ଉପରେ ସନ୍ଦେହ ଘନୀଭୂତ ହୋଇଥିଲା । ତାଙ୍କ ନିକଟରେ ଥିବା ଏକ ଜରି ଏବଂ ଅନ୍ୟ ଏକ ଏୟାର ବ୍ୟାଗରୁ ମିଳିଥିଲା ବିଡ଼ା ବିଡ଼ା ଟଙ୍କା । ବିପୁଳ ପରିମାଣର ଟଙ୍କା ଦେଖି ବ୍ରହ୍ମପୁର ବୈଦ୍ୟନାଥପୁର ପୋଲିସକୁ ଜଣାଇଥିଲା ଅବକାରୀ ଟିମ୍ । ପଚରାଉଚରା ବେଳେ ସ୍କାନରକୁ ଆସିଲା ବ୍ରହ୍ମପୁର ସାନବଜାରରେ ଥିବା ଆନନ୍ଦ ଜୁଏଲର୍ସ । ଏହି ଜୁଏଲର୍ସକୁ ସୁନା ବିକ୍ରି କରି ଟଙ୍କା ଆଣିଥିବା କହିଥିଲା ଅଭିଯୁକ୍ତ ଦଶରଥ । ପରେ ଜୁଏଲର୍ସରେ ଚଢାଉ ପରେ ୨୩ଟି ସୁନା ବିସ୍କୁଟ ଜବତ ହୋଇଛି । ଏପଟେ ଜୁଏଲର୍ସ ମାଲିକ କହିଛନ୍ତି, ମହାରାଷ୍ଟ୍ରର ଅଭିଯୁକ୍ତ ଯୁବକଙ୍କୁ ଜାଣିନାହାନ୍ତି କି ତାଙ୍କ ସହ ସଂପର୍କ ବି ନାହିଁ । ଏପଟେ ସୁନା ସ୍ମଗଲିଂ ନେଇ ସନ୍ଦେହ ଘନୀଭୂତ ହେଉଛି ।

ଟଙ୍କା ଓ ସୁନା କେଉଁଠୁ ଆସିଲା, ଏହାର ତଦନ୍ତ କରିବାକୁ ବ୍ରହ୍ମପୁର ଏସ୍‌ପି, ଆୟକର ଓ ଜିଏସ୍‌ଟି ବିଭାଗକୁ ଜଣାଇଛନ୍ତି । ଏପଟେ ଖବର ପାଇ କମର୍ସିଆଲ ଟ୍ୟାକ୍ସ ଜିଏସ୍‌ଟି ଏନଫୋର୍ସମେଣ୍ଟ ଟିମ୍ ସମ୍ପୃକ୍ତ ଜୁଏଲର୍ସରେ ଚଢାଉ କରିଛନ୍ତି । ଏତେ ପରିମାଣର ସୁନା ବିସ୍କୁଟ କେଉଁଠୁ ଆସିଲା, ତଲାସ ଜାରି ରଖିଛି ଜିଏସଟି ଟିମ୍ । ଅନ୍ୟପକ୍ଷରେ ପୂର୍ବରୁ ମଧ୍ୟ ଅନେକ ଥର ତାମିଲନାଡ଼ୁ, ମୁମ୍ବାଇ ଆଦି ସ୍ଥାନରୁ ଚୋରାରେ ସୁନା ଅଣାଯାଇ ବ୍ରହ୍ମପୁରରେ ବିକ୍ରି ସହ ଜିଏସ୍‌ଟି ଠକେଇ ଅଭିଯୋଗରେ ଚଢାଉ ହୋଇଥିବା ନଜିର ରହିଛି । ତେଣୁ ବ୍ରହ୍ମପୁର ଚୋରି ସୁନାର ହବ୍ ପାଲଟିଛି କି ବୋଲି ଚର୍ଚ୍ଚା ହେଉଛି ।

୬ ଡିସେମ୍ବର ୨୦୨୦, ତାମିଲନାଡୁ ସାଲେମରୁ ବ୍ରହ୍ମପୁରକୁ ସୁନାରୁପା ଚାଲାଣ ବେଳେ ଗୋସାଣୀ ନୂଆଗାଁ ପୋଲିସ ୭ କେଜି ସୁନା, ୨୩୯ କେଜି ରୁପା ଜବତ କରିଥିଲା । ଏ ଘଟଣାରେ ୨୩ ଲକ୍ଷ ୨୨ହଜାର ଟଙ୍କା ଜିଏସଟି ଠକେଇର ଜରିମାନା ଆଦାୟ ହୋଇଥିଲା । ସେହିପରି ୨୦୨୧ ସେମ୍ବେର ୨୮ରେ ବଡବଜାର ଥାନା ଖାସ୍ପା ସାହି ଗୌତମ ଆପାର୍ଟମେଣ୍ଟରୁ ୩ କିଲୋ ସୁନା ଜବତ ହୋଇ ଜିଏସଟି ବାବଦରେ ଆଦାୟ ହୋଇଥିଲା ୨୫ ଲକ୍ଷ ଟଙ୍କା ।