• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କଟକର ବହୁଚର୍ଚ୍ଚିତ ଭଣ୍ଡ ମୌଲାନା କୈଫି ଖାନର ଫିଟୁଛି ମହାଗୁମର । ଗୁପ୍ତଧନ ଖୋଳିବା ଏବଂ ଭୂତକୁ ଛଡ଼ାଇବାର ଭାଣ୍ଡାମି କରି ଲୋକଙ୍କୁ ଭୂଆଁ ବୁଲାଇଥିବା କୈଫି ଖାନ ବିରୋଧରେ ସାମ୍ନାକୁ ଆସିଲାଣି ଛଅ ଛଅଟି ମାମଲା । ଅନ୍ଧବିଶ୍ୱାସର ଜାଲରେ ଛନ୍ଦି, କେମିତି ଲକ୍ଷ ଲକ୍ଷର ଚୂନା ଲଗାଇଛି ବହୁ ଲୋକଙ୍କୁ, ତାହାର କଳା ତାଲିକା ଲାଗିଛି ପୋଲିସ ହାତରେ ।

ଯେତେ ଖୋଲିଲେ ସେତେ ବାହାରୁଛି ଭଣ୍ଡ ମୌଲାନାର ପାପର ପେଡ଼ି । ଗୁପ୍ତଧନ ଆଉ ଭୂତପ୍ରେତର ପ୍ରତିକାର ନାଁରେ ପାଖଣ୍ଡି ସାଜି କେମିତି ଅର୍ଜନ କରୁଥିଲା ପାପ ଟଙ୍କା, ଭଣ୍ଡାଫୋଡ଼ ହେଉଛି ଗୋଟିଏ ପରେ ଗୋଟିଏ । ମୌଲାନା କୈଫି ଖାନ ବିରୋଧରେ ଏପର୍ଯ୍ୟନ୍ତ ସାମ୍ନାକୁ ଆସିଲାଣି ୧ କୋଟି ୫୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗ । ମିଳିଛି ୧୧ଟି ବ୍ୟାଙ୍କ ଆକାଉଣ୍ଟ । କୋଲକାତା ସେୟାର ମାର୍କେଟରେ ବିନିଯୋଗ ହୋଇଛି ଲକ୍ଷ ଲକ୍ଷ ଟଙ୍କା। 

ଏସବୁ କେଳେଙ୍କାରୀର କଳାଧନ୍ଧା ଭିତରେ ଏବେ ଯୋଡ଼ି ହୋଇଛି ଆଉ ଜଣେ ଅଭିଯୋଗକାରୀଙ୍କ ନାଁ । ସେ ହେଉଛନ୍ତି କଟକ କେଶରପୁର ଅଞ୍ଚଳର ଶେଖ୍ ଆଦିଲ । ତାଙ୍କ ଅଭିଯୋଗ, ସନ୍ତାନ ଆଶାରେ ଥିବା ତାଙ୍କର ଜଣେ ସଂପର୍କୀୟଙ୍କଠୁ ମୌଲାନା କୈଫି ଖାନ୍ ୫ ଲକ୍ଷ ଟଙ୍କା ଚୂନା ଲଗାଇଥିଲା । କିନ୍ତୁ କୌଣସି ଫଳପ୍ରଦ ହୋଇନଥିଲା । ଏବେ ଗିରଫ ମୌଲାନା କୈଫି ଖାନ୍ ବିରୋଧରେ ଥାନାରେ ଏତଲା ଠୁଙ୍କିଛନ୍ତି ଶେଖ୍ ଆଦିଲ ।

ଗୁପ୍ତଧନର ସନ୍ଧାନ ଆଉ ତା’ର ଶୋଧନ ପ୍ରକ୍ରିୟା ପାଇଁ କେମିତି କଟକ ରାଣୀହାଟର ଶର୍ମିଲା ସେନଙ୍କ ଘର ଭିତରେ ଖନନ କରି ୬୨ ଲକ୍ଷ ଟଙ୍କାର ଚୂନା ଲଗାଇଥିଲା ମୌଲାନା କୈଫି ଖାନ୍, ତାହା ସମସ୍ତେ ଜାଣନ୍ତି । ସେହିଭଳି ଭଦ୍ରକ ଅଞ୍ଚଳର ଜଣେ ବ୍ୟକ୍ତି ନିଜ ସଂପର୍କିୟଙ୍କ ପାଇଁ ମୌଲାନା ସହ ଡିଲ୍ ବେଳର ଚିତ୍ର ଏବେ ଭାଇରାଲ ହେଉଛି । କୌଣସି କାରଣ ପାଇଁ ଘରର ଶୋଧନ ଉଦ୍ଦେଶ୍ୟରେ ବ୍ୟବହୃତ କସ୍ତୁରୀ ବାବଦକୁ ଡିଲ୍ ହେଉଛି ।

ଏଭଳି ଭାଣ୍ଡାମିର ଛଅ ଛଅଟି ମାମଲା ସାମ୍ନାକୁ ଆସିଲାଣି । କଟକ ରାଣୀହାଟର ଶର୍ମିଲା ସେନଙ୍କ ଠାରୁ ୬୨ ଲକ୍ଷ, ଭଦ୍ରକର ଜେହେରୁଲ ଇସଲାମଙ୍କ ପାଖରୁ ୫ ଲକ୍ଷ, କଟକ କିଶନନଗର ଅଞ୍ଚଳର ସବନମ ଆରା ବେଗମଙ୍କଠୁ ୧୫ ଲକ୍ଷ, ତିର୍ତ୍ତୋଲ ଅଞ୍ଚଳର ଦେବବ୍ରତ ମହାନ୍ତିଙ୍କ ଠାରୁ ୨୨ ଲକ୍ଷ, ସଦର ଥାନାର ଶର୍ମିଲା ବିବିଙ୍କଠୁ ୫ ଲକ୍ଷ ଏବଂ କେଶରପୁରର ଶେଖ ଆଦିଲଙ୍କ ସମ୍ପର୍କୀୟଙ୍କଠୁ ୫ ଲକ୍ଷ ଟଙ୍କା ଠକିନେଇଥିବା ଅଭିଯୋଗ ହୋଇଛି । ଏମାନଙ୍କ ମଧ୍ୟରୁ କାହାକୁ ଗୁପ୍ତଧନର ଲୋଭ ଦେଖାଇ ତ ଆଉ କାହା କାହାକୁ ଭୂତପ୍ରେତ ଛଡ଼ାଇବା ସହ ଚାକିରି ପାଇଁ ପ୍ରତିକାର କଥା କହିଥିଲା ଭଣ୍ଡ କୈଫି ଖାନ୍ ।

ତେବେ ଏଭଳି କଳାଧନ୍ଧାର ଖେଳ ଖେଳୁଥିବା ମୌଲାନା ସଂପର୍କରେ ମିଳିଛି ଆଉ ଏକ ବଡ଼ ତଥ୍ୟ । ସାମ୍ନାକୁ ଆସିଛି ଗ୍ୟାଙ୍ଗଷ୍ଟର ସକିଲ ଅହମ୍ମଦର ଲିଙ୍କ୍ । କୈଫି ଖାନ୍ କୁଆଡ଼େ ସକିଲର ସମ୍ପର୍କୀୟ । ତେବେ କୈଫିର କାରନାମା ପଛରେ ସକିଲର ହାତ ରହିଛି ନା ନାହିଁ ? ଆଉ କାହା କାହାକୁ ଏଭଳି ଚୂନା ଲଗାଇଛି କୈଫି ? କୈଫିର ଏହି ଚିତାକଟା ନେଟୱାର୍କରେ ଆଉ କେଉଁମାନେ ସଂପୃକ୍ତ ? କୋର୍ଟଙ୍କ ଅନୁମତି ପରେ ଆଜିଠୁ ୪ ଦିନିଆ ରିମାଣ୍ଡରେ ତଥ୍ୟ ଆଦାୟ କରୁଛି କଟକ କମିଶନରେଟ୍ ପୋଲିସ ।

ତେବେ ନିଜକୁ ଜଣେ ମୌଲାନା ଦର୍ଶାଇବା ସହ କେଉଁ ସାହସ ଏବଂ କାହା ଛତ୍ରଛାୟାରେ ରହି କୈଫି ଖାନ୍ ଏଭଳି କାରନାମା ଚଳାଉଥିଲା, ତାକୁ ନେଇ ସାରା କଟକ ସହରରେ ଏବେ 
ଚର୍ଚ୍ଚା ।

  • Reported by:
  • DEBASHISH MOHANTY