• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଯୋଡ଼ା ସହରରେ ଦେଖାଦେଇଛି ଉତ୍ତେଜନା । ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଦେଖାଦେଇଥିବାରୁ ସହରରେ ୧୪୪ ଧାରା ଜାରି କରାଯାଇଛି । ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ମାରପିଟ୍‌ରୁ ଏହି ସ୍ଥିତି ସୃଷ୍ଟି ହୋଇଛି । ଉଭୟ ଗୋଷ୍ଠୀର ଲୋକେ ପରସ୍ପରକୁ ପଥର ମାଡ଼ କରିଥିଲେ । ଘଟଣାସ୍ଥଳରେ ୧୪୪ ଧାରା ଜାରି କରିବା ସହ ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବାକୁ ଉଦ୍ୟମ କରୁଛି ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାମନବମୀ ଅବସରରେ ଯୋଡ଼ାରେ ଆଖଡା ଶୋଭାଯାତ୍ରା ବାହାରିଥିଲା । ଏହି ସମୟରେ ୪ ନମ୍ବର ଓ୍ୱାର୍ଡରେ ଥିବା ଏକ ଶିବ ମନ୍ଦିରକୁ ଝଣ୍ଡା ନେଇ ଯିବାକୁ ଚାହିଁଥିଲେ ଗୋଟିଏ ଗୋଷ୍ଠୀ । କିନ୍ତୁ ପୋଲିସ୍ ଅନୁମତି ଦେଇନଥିଲା । ଆଜି ଝଣ୍ଡା ନେବା ପାଇଁ ପୋଲିସ୍ ମାତ୍ର ୫ ଜଣଙ୍କୁ ଅନୁମତି ଦେବା ପରେ ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିଥିଲା । ଏପରିକି ଉତ୍ତ୍ୟକ୍ତ ଲୋକେ ଷ୍ଟେଟ ବ୍ୟାଙ୍କ ନିକଟ ହନୁମାନ ମନ୍ଦିର ପାଖରେ ରାସ୍ତା ଅବରୋଧ କରିଥିଲେ ।

ଅବଶ୍ୟ କିଛି ସମୟ ପରେ ଝଣ୍ଡା ନେଇ ମନ୍ଦିର ଅଭିମୁଖେ ଯିବାବେଳେ ବଜାର ଗଳିରେ ଅନ୍ୟ ଏକ ଗୋଷ୍ଠୀ ବିରୋଧ କରିବାରୁ ପୁଣି ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା । ପୋଲିସ୍ ଦୁଇ ପକ୍ଷଙ୍କୁ ବୁଝାସୁଝା କରିଥିଲେ ବି ଉତ୍ତେଜନା ବଢିବାକୁ ଲାଗିଥିଲା । ଉଭୟ ପକ୍ଷରୁ ଭଙ୍ଗାରୁଜା ସହ ପ୍ରବଳ ଟେକାପଥର ଓ କାଚ ବୋତଲ ମାଡ଼ ହୋଇଛି । ଏଥିରେ କିଛି ବ୍ୟକ୍ତି ଆହତ ହୋଇଛନ୍ତି । ଘଟଣାସ୍ଥଳରେ କେନ୍ଦୁଝର ଏସପି, ଚମ୍ପୁଆ ଉପଜିଲ୍ଲାପାଳ, ବଡ଼ବିଲ ଏସଡିପିଓ, ବଡ଼ବିଲ ତହସିଲଦାରଙ୍କ ସମେତ ପୋଲିସ୍ ଫୋର୍ସ ପହଞ୍ଚିଛନ୍ତି । ୧୪୪ ଧାରା ଜାରି ସହ ପୋଲିସ୍ ପ୍ରଶାସନ ମଧ୍ୟ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରୁଛି ।