• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

୧୦ ବର୍ଷ ତଳେ ବନ ସୁରକ୍ଷା ସମିତି ଜରିଆରେ ଉଜୁଡ଼ା ଜଙ୍ଗଲକୁ ବଢ଼େଇ କୁଢ଼େଇ ଜୀବନ ଦେଇଥିବା ଜଙ୍ଗଲର ଦୂରାବସ୍ଥା ଦେଖିଲେ ଦେହ ସହନ୍ତା ବା କେମିତି ? ବାଧା ଲାଗିବନି କେମିତି ? ଜଙ୍ଗଲରୁ ଗଛ ସବୁ କଟିନି ତ ମାଉସୀର କଲିଜା କଟିଯାଇଛି ଯେମିତି । ଖାଲି ଜଣେ ମାଉସୀ ନୁହେଁ, ଉଜୁଡ଼ା ଜଙ୍ଗଲରେ ଗଛ ଲଗେଇବାଠୁ ନେଇ ବଢ଼େଇବା, ରାତି ରାତି ପାଳି କରି ଜଗିଥିବା ଜଡ଼ାପାଳ ଗାଁର ପ୍ରତିଟି ଲୋକ ବି ହତବାକ୍ ।

ଆମେ କହୁଛୁ ଶିମିଳିପାଳ ଅଭୟାରଣ୍ୟର ପାଦ ଦେଶରେ ଥିବା ବାରିପଦା ବନଖଣ୍ଡ ପିଠାବଟା ୱାଇଲ୍ ଲାଇଫ୍ ରେଞ୍ଜ ଅନ୍ତର୍ଗତ ଜଡ଼ାପାଳ ଗାଁ ପାଖ ଜଙ୍ଗଲ କଥା । ଯାହା ଏବେ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି । ହେଲେ ଆକାଶଛୁଆଁ ଶାଳ, ପିଆଶାଳଠୁ ନେଇ ମହୁଲ, ଆମ୍ବ ପରି ରାସ୍ତାକଡ଼ ଦେଇ ଯାଇଥିବା ଶତାଧିକ ଗଛ ସବୁକୁ କାଟିଲା କିଏ ? କାରଣ କଣ ? ଅଭିଯୋଗ ହେଉଛି ଜଙ୍ଗଲ ଦେଇ ଯାଇଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ଏ ରାସ୍ତା ପ୍ରଶସ୍ତିକରଣ ପାଇଁ ଗ୍ରାମବାସୀଙ୍କ ବିରୋଧକୁ ବେଖାତିର କରି ରାତାରାତି ଗଛ ସବୁ କଟାଯାଇଛି । ତାହା ପୁଣି ବାଲିଡିହା ବିଟ୍ ହାଉସ୍ ସମ୍ମୁଖରୁ । ଶୁଣନ୍ତୁ ଏନେଇ କଣ କହୁଛନ୍ତି ବନ ବିଭାଗର ପ୍ଲାଣ୍ଟ ପ୍ରୋଟେକ୍ସନ୍ ଆସିଷ୍ଟାଣ୍ଟ ।

ଅଭିଯୋଗ ଅନୁଯାୟୀ ରାସ୍ତା ପ୍ରଶସ୍ତିକରଣ କାମ ହାତକୁ ନେଇଥିବା ଠିକା ସଂସ୍ଥାର କର୍ମଚାରୀଙ୍କ ପ୍ରରୋଚନାରେ ମଙ୍ଗଳବାର ରାତିରେ ୫୦ରୁ ଅଧିକ ଲୋକ ଆସି ମେସିନ ଲଗେଇ ଏଭଳି କାଣ୍ଡ ଭିଆଇଛନ୍ତି । ଅପରପକ୍ଷେ ବିଭାଗୀୟ ରେଞ୍ଜ ଅଧିକାରୀ ମଧ୍ୟ କହିଛନ୍ତି ଗଛ କଟା ପାଇଁ ବନବିଭାଗର ଅନୁମତି ନିଆଯାଇ ନାହିଁ। ଯେଉଁମାନେ ଏଭଲି କାମ କରିଛନ୍ତି, ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।