• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମାଳ ମାଳ ମୋବାଇଲ, ପୁଳା ପୁଳା ସିମ୍, ଗଦା ଗଦା ଏଟିଏମ୍ କାର୍ଡ । ଇଣ୍ଟରନେଟରେ ଲୋଭନୀୟ ବିଜ୍ଞାପନ ଦେଖାଇ ଅନଲାଇନ୍ ଲୁଟ୍ କରୁଥିବା ଫ୍ରଡ୍ ଏସ୍କର୍ଟ ସର୍ଭିସ୍ ଗ୍ୟାଙ୍ଗକୁ ଧରିବା ପରେ ପୋଲିସ ଖୋଲିଛି ଏହି ଗ୍ୟାଙ୍ଗର ଅପରାଧ ପସରା । ରାଜଧାନୀ ଭୁବନେଶ୍ୱରରେ ଏସ୍କର୍ଟ ସର୍ଭିସ ନାଁରେ ଲୋକଙ୍କୁ ଭୁଆଁ ବୁଲାଉଥିବା ଅଭିଯୋଗରେ ଏକ ସାଇବର ଠକ ସଂସ୍ଥାର ମାଷ୍ଟର ମାଇଣ୍ଡ ସହ ୫ ଜଣଙ୍କୁ ଗିରଫ କରିଛି ପୋଲିସ ।

ଅଭିଯୋଗ ଅନୁସାରେ ଇଣ୍ଟରଟେନଟରେ ଏସ୍କର୍ଟ ସର୍ଭିସର ବିଜ୍ଞାପନ ଦେଖି ଜଣେ ଯୁବକ ଏହି ସଂସ୍ଥାକୁ ଫୋନରେ ଯୋଗାଯୋଗ କରିଥିଲେ । ତାଙ୍କୁ ମାଷ୍ଟରକ୍ୟାଣ୍ଟିନ ସ୍ଥିତ ଏକ ହୋଟେଲରେ ସୁନ୍ଦରୀ ଝିଅ ଯୋଗାଇ ଦେବାକୁ କହି ତାଙ୍କଠାରୁ ୨୭ ହଜାର ଟଙ୍କା ନେଇଥିଲା ସଂସ୍ଥା । ତେବେ ଯୁବକ ଜଣକ ହୋଟେଲରେ ପହଞ୍ଚିବା ବେଳକୁ ତାଙ୍କ ନାଁରେ କୌଣସି ରୁମ୍ ବୁକ୍ ହୋଇନଥିବା ଜାଣିବାକୁ ପାଇଥିଲେ । ପରେ ସେ ଠକେଇ ଶିକାର ହୋଇଥିବା ଜାଣି ସାଇବର ଥାନାରେ ଅଭିଯୋଗ କରିଥିଲେ ।

ଅଭିଯୋଗ ପାଇବା ପରେ ପୋଲିସ ଏହି ମାମଲାରେ ମାଷ୍ଟରମାଇଣ୍ଡ ଡେଲାଙ୍ଗ ଅଞ୍ଚଳର ସୁଶାନ୍ତ ପାତ୍ର ସମେତ ମୋଟ ୫ ଜଣଙ୍କୁ ଗିରଫ କରିଛି । ପୋଲିସ କହିଛି ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ରହି ଏମାନେ ସିଣ୍ଡିକେଟ୍ ଅପରେଟ୍ କରୁଥିଲେ । ମାଷ୍ଟର ମାଇଣ୍ଡ ସୁଶାନ୍ତର ସ୍ତ୍ରୀ ମଧ୍ୟ ଠକେଇରେ ସକ୍ରିୟ ସଦସ୍ୟ ଥିବା ସହ ଆଉ କିଛି ଯୁବତୀ ମଧ୍ୟ ସାମିଲ ଅଛନ୍ତି ।

ଏମାନଙ୍କୁ ବେଆଇନ୍ ଭାବେ ମୋବାଇଲ୍ ସିମ୍ ଯୋଗାଇ ଦେଉଥିବା ଦୁଇ ଏଜେଣ୍ଟଙ୍କୁ ମଧ୍ୟ ବାନ୍ଧିଛି ପୋଲିସ । ଫେରାର୍ ଥିବା ଅନ୍ୟ ୩ ଜଣଙ୍କୁ ଖୋଜୁଛି । ସେପଟେ ଏମାନଙ୍କ ଫାସରେ ଫଶିଥିବା ୯ଜଣଙ୍କ ସମ୍ପର୍କରେ ସୂଚନା ମିଳିଥିବା ବେଳେ ଏହି ତାଲିକା ଆହୁରି ଲମ୍ବା ହୋଇପାରେ ବୋଲି ଅନୁମାନ କରୁଛି ପୋଲିସ ।

ପୋଲିସ ଏହି ଗ୍ୟାଙ୍ଗଠୁ ୧୧ଟି ମୋବାଇଲ ଫୋନ୍, ୧୦୨ଟି ସିମ୍ କାର୍ଡ, ୧୦ଟି ଏଟିଏମ୍ କାର୍ଡ, ବହୁ କ୍ୟୁଆର କୋଡ୍ ସହ ୮୭ ହଜାର ଟଙ୍କା ଜବତ କରିଛି । ଏମାନଙ୍କ ନାଁରେ ଥିବା ୧୫ଟି ବ୍ୟାଙ୍କ୍ ଆକାଉଣ୍ଟରୁ ୨୦ ଲକ୍ଷ ଟଙ୍କା ମଧ୍ୟ ଫ୍ରିଜ୍ କରିଛି ।

(ରିପୋର୍ଟ- ଆଲୋକ ମହାନ୍ତି, ଭୁବନେଶ୍ୱର)