• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବିନା ଶିକ୍ଷା ଦୀକ୍ଷାରେ ଲୋକଙ୍କ ଜୀବନ ସହ ଖେଳୁଥିବା ଅଭିଯୋଗରେ ଜଣେ ନକଲି ଡାକ୍ତରଙ୍କୁ ବାନ୍ଧିଛି ପୋଲିସ । ଯିଏ ମାତ୍ର ପ୍ଲସ ଟୁ ଯାଏଁ ପାଠ ପଢ଼ିଛନ୍ତି । କିନ୍ତୁ, ନିଜକୁ AIIMS ଡାକ୍ତର କହି କଟକ ରାଣୀହାଟ ଓ ଗଞ୍ଜାମ ସାନଖେମୁଣ୍ଡିରେ କ୍ଲିନିକ ଖୋଲି ଚଳାଇଥିଲେ ଚିକିତ୍ସା । ଶେଷରେ ସବୁ କଳାକାରନାମା ସାମ୍ନାକୁ ଆସିବା ପରେ ବ୍ରହ୍ମପୁର ପୋଲିସ ସଂପୃକ୍ତ ନକଲି ଡାକ୍ତରଙ୍କୁ ଗିରଫ କରିଛି । ତେବେ କିଏ ସେହି ଯୁବକ ? ନକଲି ଡାକ୍ତର ସାଜି କେମିତି ଚଳାଇଥିଲେ ଚିକିତ୍ସା ?

ନା କୌଣସି ଡାକ୍ତର ନା କୌଣସି ଡାକ୍ତରୀ ବିଦ୍ୟାରେ ସିଦ୍ଧହସ୍ତ । ଖାଣ୍ଟି ନକଲି ଡାକ୍ତର । ଯାହାଙ୍କ ନାଁ ଶୁଭ୍ରଜିତ ପଣ୍ଡା । ଘର ଢେଙ୍କାନାଳ ଜିଲ୍ଲା ସଣ୍ଡା ଗାଁ। କିନ୍ତୁ ଗଞ୍ଜାମ ସାନଖେମୁଣ୍ଡିରେ ଚିକିତ୍ସା ନାଁରେ ସାଧାରଣ ଲୋକଙ୍କ ଜୀବନ ସହ ଖେଳୁଥିବା ଅଭିଯୋଗ ପରେ ଖୋଳତାଡ଼ କରି ଶୁଭ୍ରଜିତଙ୍କୁ ଗିରଫ କରିଛି ଦିଗପହଣ୍ଡି ପୋଲିସ । ନିଜକୁ ରୋଗୀର ପରିଚୟ ଦେଇ ସାଦା ପୋଷାକରେ ଆସିବା ସହ ବ୍ରହ୍ମପୁର ଏସପିଙ୍କ ନିର୍ଦ୍ଦେଶରେ ଶୁଭ୍ରଜିତଙ୍କୁ ଧରିଥିଲା ଦିଗପହଣ୍ଡି ପୋଲିସ ।

ମିଳିଥିବା ସୂଚନା ଅନୁଯାୟୀ, ଶୁଭ୍ରଜିତ ସେଭଳି କୌଣସି ଡାକ୍ତରୀ ବିଦ୍ୟା ଅଧ୍ୟୟନ କରିନାହାଁନ୍ତି । ପାଠ ପଢ଼ିଛନ୍ତି ମାତ୍ର ପ୍ଲସ ଟୁ ଯାଏଁ । ସାନଖେମୁଣ୍ଡିରେ କ୍ଲିନିକ୍ କରି ନିଜ ନାଁ ସହ ଯୋଡ଼ିଛନ୍ତି ଲମ୍ବା ଚଉଡ଼ା ଡାକ୍ତରୀ ଶିକ୍ଷାଗତ ଯୋଗ୍ୟତା । କେବଳ ସାନଖେମୁଣ୍ଡି ନୁହେଁ, କଟକ ରାଣୀହାଟରେ ବି ଗତ ୨ ବର୍ଷ ହେଲା କ୍ଲିନିକ୍ କରିଛନ୍ତି । ଯାହାର ନାଁ ରଖିଛନ୍ତି ବେଷ୍ଟ ପଲିକ୍ଲିନିକ । ସାନଖେମୁଣ୍ଡିରେ ଗତ ଶନିବାର ଚଢ଼ାଉ ସହ କଟକରେ ବି ପୋଲିସ ଛାନଭିନ୍ କରିଛି । ଏସବୁ କ୍ଲିନିକରେ ଚିକିତ୍ସା ପାଇଁ ରୋଗୀ ପିଛା ନେଉଥିଲେ ୩ଶହ ଟଙ୍କା । ନିଜକୁ AIIMS ଡାକ୍ତର ପରିଚୟ ଦେବା ସହ ମେଡିସିନ ରିପ୍ରେଜେଣ୍ଟିଭଙ୍କୁ ଧରି ଚଳାଉଥିଲେ ନିଜର କଳାଧନ୍ଧା । ତେବେ ଛଣମେରୀର ସୀମାଞ୍ଚଳ ସାହୁ ନାମକ ଜଣେ ବ୍ୟକ୍ତି ଭୁଲ୍ ଚିକିତ୍ସାରୁ ମା’ର ମୃତ୍ୟୁ ଅଭିଯୋଗ ଆଣି ଏତଲା ଦେବା ପରେ ଖୁଲାସା କରିଛି ପୋଲିସ । ଶୁଭ୍ରଜିତ ୨୦୨୦ରେ ମଧ୍ୟ ଗିରଫ ହୋଇଥିଲେ । ନିଜକୁ WHO ସଦସ୍ୟ ଓ ଡାକ୍ତରର ପରିଚୟ ଦେଇ ଡାକ୍ତରୀ ସମ୍ମିଳନୀକୁ ଯାଇଥିବାବେଳେ ତେଲେଙ୍ଗାନା ପୋଲିସ ଗିରଫ କରିଥିଲା ତାଙ୍କୁ । ତେବେ ଶୁଭ୍ରଜିତ କହିଛନ୍ତି, ସେ ହାଇଦ୍ରାବାଦରେ ମାଇକ୍ରୋବାଇଲୋଜିରେ ପୋଷ୍ଟ ଗ୍ରାଜୁଏଟ୍ କରିଛନ୍ତି । ଏଣୁ ସେ ଡାକ୍ତର ଭାବେପ୍ରାକ୍ଟିସ୍ କରିପାରିବେ।

ଏହାପୂର୍ବରୁ ଏକାଧିକ ନକଲି ଡାକ୍ତରଙ୍କ ରୋଗୀ ସେବା ଘଟଣା ଧରାପଡ଼ିଛି । କାର୍ଯ୍ୟାନୁଷ୍ଠାନ ବି ହୋଇଛି । ତଥାପି ସାମ୍ନାକୁ ଆସୁଛନ୍ତି ଜଣଙ୍କ ପରେ ଜଣେ ନକଲି ଡାକ୍ତର । ଗତ କିଛିଦିନ ତଳେ ରାଜ୍ୟର ସମସ୍ତ ଡାକ୍ତରଙ୍କ ସାର୍ଟିଫିକେଟ୍ ଯାଞ୍ଚ ସହ ତାଲିକା ଦେବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ତେବେ ନକଲି ଡାକ୍ତର କିମ୍ବା କ୍ୱାକଙ୍କୁ ଧରିବା ପାଇଁ ସେଭଳି ସ୍କୋପ୍ ନାହିଁ କହି ହାତ ଟେକି ଦେଇଛି ସ୍ୱାସ୍ଥ୍ୟ ବିଭାଗ । ଡାକ୍ତରଙ୍କ ମେଡିକାଲ ସାର୍ଟିଫିକେଟ ବା ରେଜିଷ୍ଟ୍ରେସନ ଯାଞ୍ଚ ତଥ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଡିଏମଇଟି ଦେଇସାରିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ।

 

  • Reported by:
  • PRAVAT BISOI , JAGANATH SAHU , SOUMYA RANJAN SAHOO