• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମାଳ ମାଳ ନୋଟ୍ । ବିଡ଼ା ବିଡ଼ା ୫ ଶହ ଟଙ୍କିଆ ନୋଟ୍ । ରଙ୍ଗ, ରୂପକୁ ଦେଖିଲେ ଆଖି ଧୋକ୍କା ଖାଇବା ଥୟ । ସାଧାରଣ ମଣିଷ ପକ୍ଷେ ଏହା ଅସଲି କି ନକଲି ଠଉରାଇବା ସେତେ ସହଜ ନୁହେଁ । ହେଲେ ପୋଲିସ ଆଖିରେ ଧରାପଡ଼ିଛି । ଜବତ ହୋଇଛି ୧୫ ଲକ୍ଷ ୧୨ ହଜାର ୫ଶହ ଟଙ୍କାର ଜାଲ୍ ନୋଟ୍ । ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ନୂଆ ଅଡ଼ାପଢ଼ା ଗାଁରୁ ମିଳିଛି ଫେକ୍‌ ନୋଟ୍ । ଆଉ ଏହି କଳାଧନ୍ଧା ଚଳାଇଥିବା ୨ ଅଭିଯୁକ୍ତଙ୍କୁ ଧରିଛି ପୋଲିସ । ଜଣେ ହେଲା ପୋଦାର ପ୍ରସାଦ ସାହୁ, ଆଉ ଜଣେ ହେଲା ଜନ୍ମେଜୟ ବାଗ୍ । ଉଭୟଙ୍କୁ ଗିରଫ କରିଛି ଯୁଯୁମୁରା ପୋଲିସ । ଉଭୟଙ୍କଠୁ ୨ଟି ଲ୍ୟାପଟପ୍, ଗୋଟିଏ କଲର୍ ପ୍ରିଣ୍ଟର, କିଛି ନୂଆ ସିମ୍ କାର୍ଡ ସହ ଅନ୍ୟ ସାମଗ୍ରୀ ଜବତ ହୋଇଛି ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ନୂଆ ଅଡ଼ାପଢ଼ା ଗାଁରେ ଏକ ଭଡ଼ାଘରେ ଚାଲିଥିବା ଏହି ଜନସେବା କେନ୍ଦ୍ର ହିଁ ପାଲଟିଥିଲା ନକଲି ନୋଟ୍‌ର ଛାପାଖାନା । ସେହି ଛାପାଖାନାର ମାଲିକ ବନିଥିଲା ଜନସେବା କେନ୍ଦ୍ର ଚଳାଉଥିବା ପୋଦାର ପ୍ରସାଦ ସାହୁ । ତାକୁ ସହଯୋଗ କରୁଥିଲା ଜନ୍ମେଜୟ ବାଗ୍ । କମ୍ପ୍ୟୁଟର୍‌ରେ ଜନ୍ମେଜୟ ଅପଲୋଡ୍ କରିଥିଲା ଆଡୋବ୍ ପେଜ୍‌ମେକର । ତାକୁ ବ୍ୟବହାର କରି କଲର ପ୍ରିଣ୍ଟରରେ ଦୁହେଁ ମିଶି ମନଇଚ୍ଛା ଛାପୁଥିଲେ ନକଲି ନୋଟ୍ । ପୋଦାର ଜଣେ ମେଧାବୀ ଛାତ୍ର । କିନ୍ତୁ ଜନ୍ମେଜୟ ହିଁ ତାକୁ ଅବାଟକୁ ନେଇ ଏଭଳି ନକଲି ଟଙ୍କା କାରବାରରେ ସାମିଲ କରି ଫସାଇଦେଇଛି । କାରଣ ଜନ୍ମେଜୟ ଜଣେ ପେଶାଦାର ଅପରାଧୀ ବୋଲି ପୋଦାରର ପରିବାର ଲୋକେ କହିଛନ୍ତି ।

୭ ଜୁଲାଇ, ୨୦୨୨ । ବରପାଲିରୁ ଜବତ ହୋଇଥିଲା ୧୪ ଲକ୍ଷ ୨୯ ହଜାର ଟଙ୍କାର ଜାଲ୍ ନୋଟ୍ । ଗିରଫ ହୋଇଥିଲେ ୨ ଅଭିଯୁକ୍ତ । ସେମାନେ ଘରେ ନକଲି ଟଙ୍କା ଛାପୁଥିଲେ । ୧ ମାର୍ଚ୍ଚ, ୨୦୨୧ । ଛତିଶଗଡ଼ରୁ ଆନ୍ଧ୍ର ଚାଲାଣବେଳେ କୋରାପୁଟ ସୁଙ୍କି ଆଉଟ୍‌ପୋଷ୍ଟ ନିକଟରୁ କାରରୁ ମିଳିଥିଲା ୭ କୋଟି ୯୦ ଲକ୍ଷରୁ ଅଧିକ ଟଙ୍କାର ୫ ଶହ ଟଙ୍କିଆ ବିଡ଼ା । ଏଭଳି ଗତ ୧୦ ବର୍ଷ ଭିତରେ ଓଡ଼ିଶା ପୋଲିସ ଧରିଲାଣି ୧୦ କୋଟିରୁ ଅଧିକ ଟଙ୍କାର ଜାଲି ନୋଟ୍ । ୩୨୦ରୁ ଅଧିକ ଅଭିଯୁକ୍ତ ଧରାପଡ଼ିଛନ୍ତି । ୧୮୦ରୁ ଅଧିକ ମାମଲା ରୁଜୁ ହୋଇଛି ।

ଦିନ ଥିଲା ବାଂଲାଦେଶରୁ ଛପା ହୋଇ ଭାରତ ଆସୁଥିଲା ନକଲି ନୋଟ୍ । ଏବେ କିନ୍ତୁ ଓଡ଼ିଶାର ଗ୍ରାମାଞ୍ଚଳରେ ଜାଲ୍ ନୋଟ୍ ଛାପି ସୀମାନ୍ତ ରାଜ୍ୟ ସହ ମିଶି ଦୁର୍ବୃତ୍ତ ଚଳାଇଛନ୍ତି ଗୁପ୍ତ ରାକେଟ୍ । ତେଣୁ ପଡ଼ୋଶୀ ରାଜ୍ୟ ସହ ମିଶି ଜାଲନୋଟ୍‌ର ଇଣ୍ଟରଷ୍ଟେଟ୍ ଲିଙ୍କ୍‌କୁ ଓଡ଼ିଶା ପୋଲିସ ଖୋଜି ବାହାର କରିବା ଜରୁରୀ ହୋଇପଡ଼ିଛି ।

ତେବେ ଅସଲି ୫ଶହ ଟଙ୍କିଆ ନୋଟ୍‌କୁ କେମିତି ଚିହ୍ନିବେ । ଅସଲି ନୋଟ୍‌କୁ ଆଲୋକ ସାମ୍ନାରେ ରଖିଲେ ୫ଶହ ଲେଖା ସ୍ପଷ୍ଟ ଭାବେ ଦେଖାଯିବ । ନୋଟ୍‌କୁ ଆଖି ସାମ୍ନାରେ ୪୫ ଡିଗ୍ରୀ କୋଣରେ ରଖିଲେ ଦେବନାଗରୀରେ ୫ଶହ ଲେଖାଥିବା ଜାଣିପାରିବେ । ନୋଟ୍‌କୁ ହାଲ୍‌କା ଫୋଲ୍ଡ଼ କଲେ ସିକ୍ୟୁରିଟି ଥ୍ରେଡ୍ ସବୁଜରୁ ନୀଳ ଦେଖାଯିବ । ଦୃଷ୍ଟିହୀନ ବ୍ୟକ୍ତି ନୋଟ୍‌କୁ ସ୍ପର୍ଶ କଲେ ଅନୁଭବ କରି ଚିହ୍ନିପାରିବେ ।