/odishatv-khabar/media/post_attachments/uploadimage/library/16_9/16_9_0/IMAGE_1681145867.jpg)
Fake certificate case
ନକଲି ସାର୍ଟିଫିକେଟ ଜରିଆରେ ଚାକିରି ମାମଲାରେ ସିବିଆଇର ହସ୍ତକ୍ଷେପ ଲୋଡ଼ିଲା ଡାକ ବିଭାଗ। ମାମଲାର ତଦନ୍ତ ପାଇଁ ଆଜି ମହାଡ଼ାକପାଳଙ୍କ ପକ୍ଷରୁ ସିବିଆଇକୁ ଚିଠି ଲେଖିଥିବା ସୂଚନା ମିଳିଛି। ବଲାଙ୍ଗିର, ସମ୍ବଲପୁର, କଳାହାଣ୍ଡି ସମେତ ଅନେକ ଜିଲ୍ଲାରେ ମାଳ ମାଳ ନକଲି ସାର୍ଟିଫିକେଟ ମାମଲା ସାମ୍ନାକୁ ଆସିଛି। ଯାହାର ଚେର ଲମ୍ବିଛି ଓଡ଼ିଶାରୁ ଅନ୍ୟ ରାଜ୍ୟ ଗୁଡ଼ିକୁ।
ଓଡ଼ିଆ ସମେତ ବିଭିନ୍ନ ବିଷୟରେ ୯୫ ପ୍ରତିଶତରୁ ଅଧିକ ମାର୍କ ରଖି ବିଭିନ୍ନ ସ୍ଥାନରେ କିଏ ପୋଷ୍ଟମାଷ୍ଟର ତ କିଏ ଆସିଷ୍ଟାଣ୍ଟ ପୋଷ୍ଟମାଷ୍ଟର ବନିଛନ୍ତି। ପ୍ରଥମେ ବଲାଙ୍ଗିର ଜିଲ୍ଲାରୁ ସାମ୍ନାକୁ ଆସିଥିଲା ଏହି କେଳେଙ୍କାରୀ। ଏ ସଂପର୍କରେ ଓଟିଭିରେ ଖବର ପ୍ରସାରଣ ପରେ ପୋଲିସ ତତ୍ପରତା ପ୍ରକାଶ କରିବା ସହ ମାମଲାର ତଦନ୍ତ ଭାର ନିଜ ହାତକୁ ନେଇଥିଲା କ୍ରାଇମବ୍ରାଞ୍ଚ।
ବର୍ତ୍ତମାନ ବଲାଙ୍ଗିରରେ କ୍ରାଇମବ୍ରାଞ୍ଚ ତଦନ୍ତ କରିବା ସହ ଆଉ ନୂଆ ୭ ଜଣ ସନ୍ଦିଗ୍ଧଙ୍କୁ ଧରି ଖୋଳତାଡ଼ ଜାରି ରଖିଛି। ଏହି ୭ ଜଣଙ୍କ ମଧ୍ୟରେ ଅଛନ୍ତି କିଛି ଦଲାଲଙ୍କ ସମେତ ସରକାରୀ କର୍ମଚାରୀ। ସେପଟେ ସମ୍ବଲପୁରରେ ଜାଲ ସାର୍ଟିଫିକେଟ ମାମଲାରେ ୬ ଜଣଙ୍କ ନାଁ ସାମ୍ନାକୁ ଆସିଛି। ଏହି ୬ ଜଣଙ୍କ ମଧ୍ୟରୁ ୩ ଜଣଙ୍କ ଲିଙ୍କ୍ ରହିଛି ବଲାଙ୍ଗିର ଫେକ୍ ସାର୍ଟିଫିକେଟ୍ ମାମଲାରେ। ଯାହାର ତଦନ୍ତ କରୁଛି ସମ୍ବଲପୁର ପୋଲିସ।
ଏଭଳି ଅନେକ ଘଟଣା ସାମ୍ନାକୁ ଆସିବା ପରେ ଡାକ ବିଭାଗ ପକ୍ଷରୁ ୨୦୧୮ ପରଠୁ ନିଯୁକ୍ତ ପୋଷ୍ଟ ମାଷ୍ଟର ଏବଂ ଆସିଷ୍ଟାଣ୍ଟ ପୋଷ୍ଟମାଷ୍ଟରଙ୍କ ସାର୍ଟିଫିକେଟର ତଦନ୍ତ ପାଇଁ ବିଭାଗ ନିଷ୍ପତ୍ତି ନେଇଛି। ଏହାବ୍ୟତୀତ ସମସ୍ତ ମାମଲାର ସିବିଆଇ ତଦନ୍ତ ପାଇଁ ମହାଡାକପାଳଙ୍କ ପକ୍ଷରୁ ଚିଠି ଲେଖାଯାଇଥିବା ସୂଚନା ମିଳିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)