• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମୁମ୍ବାଇ: ଧରା ପଡ଼ିଲା ଅନ୍ତର୍ଜାତୀୟ କାଠ ମାଫିଆ । ରକ୍ତ ଚନ୍ଦନ କାଠ ଚୋରା ଚାଲାଣ କରୁଥିବା ଜଣେ ବଡ଼ ମାଫିଆକୁ ଧରିଛି ଇଡି । ଏହି ମାଫିଆକୁ ମଙ୍ଗଳବାର ମୁମ୍ବାଇରୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ ବା ଇଡି । ଯାହାର ନାଁ ହେଉଛି ବାଦଶାହ ମଲ୍ଲିକ୍‌ । କୁଖ୍ୟାତ  କାଠ ମାଫିଆଙ୍କ ତାଲିକାରେ ଏହାର ନାଁ ଉପରେ ରହିଛି । ଦେଶର ବଡ଼ ବଡ଼ କାଠ ମାଫିଆଙ୍କ ମଧ୍ୟରୁ ବାଦ୍‌ଶାହ ମଲ୍ଲିକ ହେଉଛି ଅନ୍ୟତମ । ଯାହାର ଅଣ୍ଡର ୱାର୍ଲ୍ଡ ସହ ରହିଛି ଜବରଦସ୍ତ ଲିଙ୍କ୍ ।

ବାଦଶାହ ମଲ୍ଲିକ୍‌ ଅଣ୍ଡର ୱାର୍ଲ୍ଡ ସହ ମିଶି ଦେଶ ବିଦେଶକୁ ଚୋରା ଚାଲାଣ କରୁଛି ରକ୍ତ ଚନ୍ଦନ କାଠ । ମିଳିଥିବା ସୂଚନା ଅନୁଯାୟୀ, ଗୁଇନ୍ଦା ଖବର ପାଇବା ପରେ ଇଡି ପକ୍ଷରୁ, ରକ୍ତ ଚନ୍ଦନ କାଠ ଚୋରା ଚାଲାଣ ହେଉଥିବା ବିଭନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା । ସୋମବାର ମୁମ୍ବାଇର ବିଭିନ୍ନ ସ୍ଥାନରେ ଇଡି ଓ ସ୍ଥାନୀୟ ପୋଲିସ ମିଳିତ ଭାବେ ଏହି ଚଢ଼ାଉ କରିଥିଲେ ।

ରକ୍ତ ଚନ୍ଦନ କାଠ ଚୋରା ଚାଲାଣ ନେଇ ବାଦଶାହ ମଲ୍ଲିକ ଏବଂ ବିଜୟ ପୂଜାରୀ ବିରୋଧରେ ରାଜସ୍ୱ ଇଣ୍ଟେଲିଜେନ୍ସ (DRI)ରୁ ସୂଚନା ପାଇବା ପରେ ଇଡି ପକ୍ଷରୁ ECIR ପଞ୍ଜୀକୃତ କରାଯାଇଥିଲା । ଏହି ଆଧାରରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା । ସୋମବାର ପଚରାଉଚରା କରିବା ପାଇଁ ବାଦଶାହା ମଲ୍ଲିକକୁ ଇଡି ଅଟକ ରଖିଥିଲା । ପରେ ମଙ୍ଗଳବାର ସକାଳୁ ତାକୁ ଗିରଫ କରିଛି ।

ସୂଚନାଯୋଗ୍ୟ, ୨୦୧୫ରେ DRI ଏକ ଆନ୍ତର୍ଜାତୀୟ ସ୍ମଗଲିଂ ରାକେଟ୍‌ର ସନ୍ଧାନ ପାଇଥିଲା । ଯେଉଁଥିରେ ରକ୍ତ ଚନ୍ଦନ କାଠ ଭଳି କିଛି ଦୁର୍ଲଭ ଜିନିଷ ସବୁ ଦେଶ ବାହାରକୁ ଚୋରା ଚାଲାଣ କରାଯାଉଥିବା ସୂଚନା ମିଳିଥିଲା । ଏସବୁକୁ ଏକ କଣ୍ଟେନର ସାହାଯ୍ୟରେ ଅନ୍ୟ ଦେଶକୁ ପଠାଯାଉଥିଲା । ମୁମ୍ବାଇସ୍ଥିତ ଏକ ଶିପିଂ କମ୍ପାନୀ ମାଧ୍ୟମରେ ୭୮୦୦ ମେଟ୍ରିକ୍ ଟନ୍‌ରୁ ଅଧିକ ରକ୍ତ ଚନ୍ଦନ କାଠ ଭାରତ ବାହାରକୁ ଚୋରା ଚାଲାଣ କରାଯାଉଥିଲା ।

ଡିଆର୍‌ଆଇ ଅଧିକାରୀଙ୍କ ଦ୍ୱାରା ନାୱା ସାୱା ଏକ୍ସପୋର୍ଟ ଟର୍ମିନାଲରେ ଏହି କଣ୍ଟେନରକୁ ରୋକା ଯାଇଥିଲା । ପରେ ଏନେଇ ତଦନ୍ତ କରାଯିବା ପରେ ବାଦଶାହ ମଲ୍ଲିକ ଏବଂ ବିଜୟ ପୂଜାରୀଙ୍କ ନାଁ ସାମ୍ନାକୁ ଆସିଥିଲା । ଏହି ରେଡ୍‌ ପରେ ବାଦଶାହ ମଲ୍ଲିକ୍‌କୁ ଧରିବା ପାଇଁ ଇଡି ଏକ ବଡ଼ ସୁରାକ୍‌ ପାଇଥିଲା ।

ଅନ୍ୟପଟେ ବିଜୟ ପୂଜାରୀ ବିରୋଧରେ ମଧ୍ୟ ସ୍ମଗଲିଂର ଅନେକ ମାମଲା ଥିବା ଜଣାପଡ଼ିଛି । ସେ ରୟାଲସୀମା ଜଙ୍ଗଲରୁ କାଠ ଚୋରା ଚାଲାଣ କରୁଥିଲା । ଚାଇନା, ଜାପାନ, ୟୁରୋପ ଏବଂ ଆମେରିକାରେ ରକ୍ତ ଚନ୍ଦନ କାଠର ମୂଲ୍ୟ ଢ଼େର ଅଧିକ । ଏହି ଦୁଇଜଣ ମୁଖ୍ୟତଃ ଏହି ସବୁ ଦେଶକୁ ଚୋରାରେ ଚନ୍ଦନ କାଠ ପଠାଇ ମାଲେମାଲ୍ ହେଉଥିଲେ ।