ଅତର୍କିତ ଆକ୍ରମଣ କଲେ ମାତାଲ ଯନ୍ତ୍ରୀ। ଆକ୍ରମଣ ଶିକାର ହୋଇଥିବା ଯୁବକ ହାତରେ କ୍ୟାମେରା ଓ ବୁମ ଥିଲା, କିନ୍ତୁ ମଦ ପିଇ ମାତାଲ ଥିବା ଯନ୍ତ୍ରୀ ଜଣକର ଖାତିର ନଥିଲା । କଥାବାର୍ତ୍ତା ପୂର୍ବରୁ ଆକ୍ରମଣ କଲେ । ଓଟିଭିର ଟିଟିଲାଗଡ ପ୍ରତିନିଧି ଅବିନାଶ ନନ୍ଦଙ୍କୁ ଆକ୍ରମଣ କଲା ପରେ, ଆଉ ଜଣେ ସାମ୍ବାଦିକ ସଂଜୟ ବେହେରାଙ୍କୁ ତଣ୍ଟିଚିପି ହତ୍ୟା କରିବାର ଉଦ୍ୟମ ମଧ୍ୟ କଲେ । ତଣ୍ଟି ଚିପି ତଳେ କଚାଡି ଦେଲେ ମାତାଲ ଯନ୍ତ୍ରୀ ।
ଖାଲି ସେତିକି ନୁହେଁ, ଫୋନ କରି ଅନ୍ୟମାନଙ୍କୁ ଡାକିବାକୁ ବି ନିର୍ଦ୍ଦେଶ ଦେଲେ। ମାତାଲ ଯନ୍ତ୍ରୀଙ୍କ ପରିଚୟ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । କଣ୍ଟାବଂଜି ଭଳି ଗୁରୁତ୍ବପୂର୍ଣ୍ଣ ଜାଗାରେ ବିଦ୍ୟୁତ ବିଭାଗର ଏସ.ଡି.ଓ ଅଛନ୍ତି ମାତାଲ ଯନ୍ତ୍ରୀ ଜଗନ୍ନାଥ ପତି । ବୁଧବାର କାର୍ଯ୍ୟଦିବସ ଥିବା ବେଳେ, କାହିଁକି ବିଦ୍ୟୁତ ବିଭାଗର ପୁଳାପୁଳା ଅଧିକାରୀ ଓ କର୍ମଚାରୀ, ଭୋଜି କରିବାକୁ ଯାଇଥିଲେ, ତାହା ଏବେ ତଦନ୍ତ ସାକ୍ଷେପ।
Also Read
ଅଧିକ ପଢ଼ନ୍ତୁ: ବେକ ମୋଡ଼ିଲେ, ହାର୍ଟ କାଢ଼ିଲେ, ଲିଭରକୁ କଲେ ୪ ଖଣ୍ଡ
ମାତାଲ ଯନ୍ତ୍ରୀଙ୍କ ସାଥ ଦେଇଥିବା ଅନ୍ୟ ଜଣେ ଅଧିକାରୀ ଗଣମାଧ୍ୟମକୁ ଧମକ ଦେଇଥିଲେ। କିନ୍ତୁ ଏସବୁ ପଛର କାରଣ କଣ ? ବୁଧବାର ଟିଟିଲାଗଡ ଥାନା ଟିମନଭାଡି ଗାଁରେ ତଲେ ଝୁଲୁଥିବା ୧୧ କେ.ଭି ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ନୀରିହ ଶ୍ରମିକ ୨୨ ବର୍ଷୀୟ ଉଦ୍ଧବ ପୋଢଙ୍କ ମୃତ୍ୟୁ ହୋଇଥିଲା । ଆଉ ଜଣେ ଗୁରୁତର ହୋଇଥିଲେ । ବାରମ୍ବାର ବିଦ୍ୟୁତ ବିଭାଗକୁ ଗାଁ ଲୋକେ ଫୋନ କରିଥିଲେ । କିନ୍ତୁ କାର୍ଯ୍ୟଦିବସରେ ଭୋଜିଭାତ କରୁଥିବାରୁ, କେହି ଫୋନ ଉଠାଇନଥିଲେ । ରାସ୍ତାକଡରେ ଭୋଜି କରୁଥିବାରୁ, ଟିଟିଲାଗଡ ବିଦ୍ୟୁତ ଅଧିକାରୀଙ୍କ ପ୍ରତିକ୍ରିୟା ନେବା ପାଇଁ ପହଞ୍ଚିଥିଲେ ଗଣମାଧ୍ୟମ ପ୍ରତିନିଧି । କିନ୍ତୁ ସାମ୍ବାଦିକଙ୍କୁ ଦେଖୁ ଦେଖୁ, ମାତାଲ ଅବସ୍ଥାରେ ଥିବା କଣ୍ଟାବାଂଜି ଏସ.ଡି.ଓ ଓଟିଭି ପ୍ରତିନିଧିଙ୍କୁ ଜାତିଆଣ ଆକ୍ଷେପ କରି ଆକ୍ରମଣ କରିବା ସହିତ, ଅନ୍ୟ ଦୁଇଜଣ ସାମ୍ବାଦିକଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲେ ।
ଘଟଣାକୁ ନିନ୍ଦା କରି ଟିଟିଲାଗଡ ଥାନାରେ ଅଭିଯୋଗ କରିଥିଲେ ସ୍ଥାନୀୟ ସାମ୍ବାଦିକ ଓ ଜିଲ୍ଳା ସାମ୍ବାଦିକ ସଂଘର କର୍ମକର୍ତ୍ତା । ଏବେ ଏହି ମାମଲାରେ ଜେଲ୍ ଯାଇଛନ୍ତି ୨ଜଣ ଯନ୍ତ୍ରୀ । କଣ୍ଟାବାଞ୍ଜୀ ଇଲେକ୍ଟ୍ରିକାଲ ଏସସ୍ଡିଓ ଜଗନ୍ନାଥ ପତି ଓ ମୁରିବାହାଲ ବିଦ୍ୟୁତ ଯନ୍ତ୍ରୀ ଚିନ୍ମୟ ସାହୁ ଗିରଫ ହୋଇ ଜେଲ୍ ଯାଇଛନ୍ତି । ଆଉ ସେମାନଙ୍କୁ ଚାକିରିରୁ ସସପେଣ୍ଡ କରାଯାଇଛି ।