• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଜମି ପାଇଁ ଜୀବନ ଗଲା । ଭାଉଜ ସହ ମିଶି ସାନଭାଇକୁ ହତ୍ୟାକଲା ବଡ଼ଭାଇ । ଲକ୍ଷେ ୭୦ ହଜାର ଟଙ୍କାରେ ୫ ଜଣ ସୁପାରି କିଲର ନିଯୁକ୍ତ କରି ସାନଭାଇ ଓ ତା’ସାଙ୍ଗକୁ ଯେଭଳି ହତ୍ୟା କଲେ ଭାଇ- ଭାଉଜ, ସାରା ବାଲେଶ୍ୱର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳିଯାଇଛି । ଯେଉଁ ଭାଇ ଏତଲା ଦେଇଥିଲା, ସେହି ଭାଇ ହିଁ ବନିଥିଲା ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ ।

ଯାହାର ଖୁଲାସା କରି ବାଲେଶ୍ୱର ପୋଲିସ ଭାଇ-ଭାଉଜ ଓ ୪ ସୁପାରି କିଲରଙ୍କୁ ଗିରଫ କରିଛି । କାହାଣୀ ଭିତରକୁ ଯିବା ପୂର୍ବରୁ ଥରେ ଦେଖିନିଅନ୍ତୁ ଏହି ଫଟୋକୁ । ଏମାନେ ଦୁଇ ଭାଇ । ଗୋଟିଏ ରକ୍ତର । ଦିନେ କେତେ ସରାଗରେ ଫଟୋ ଖଣ୍ଡେ ଉଠାଇଥିଲେ । କିନ୍ତୁ ସମୟଚକ୍ରରେ ଆଜି ଯେଉଁ ଅଘଟଣ ଘଟିଛି, ଆଉ କେବେ ସାଙ୍ଗରେ ଫଟୋ ଉଠାଇ ପାରିବେନି । ଏହି ଦୁଇ ଭାଇ ହେଲେ ବାଲେଶ୍ୱର ନୀଳଗିରି ବ୍ଲକ କାଂଶ ଗାଁର ସନ୍ତୋଷ ରାଉତଙ୍କ ବଡ଼ପୁଅ ବିଜୟ ରାଉତ ଏବଂ ସାନପୁଅ ଭବାନୀ ଶଙ୍କର ରାଉତ ।

ନିଜ ରକ୍ତର ସାନ ଭାଇ ଭବାନୀଙ୍କୁ ଆଜି ହତ୍ୟା କରିଛି ବିଜୟ । କେବଳ ଭବାନୀ ନୁହଁ, ଭବାନୀଙ୍କ ସାଙ୍ଗ ମନୋରଂଜନ ମହାପାତ୍ରଙ୍କୁ ବି ହତ୍ୟା କରିଛି । ତା’ପୁଣି ୧ ଲକ୍ଷ ୭୦ ହଜାର ଟଙ୍କାରେ ସୁପାରୀକିଲରଙ୍କୁ ନିଯୁକ୍ତ କରି । ପତ୍ନୀ ଜ୍ୟୋସ୍ନାଙ୍କ ସହ ମିଶି ଷଡ଼ଯନ୍ତ୍ର ରଚିଥିଲା ବିଜୟ ରାଉତ । ଏ ହେଉଛି ସେହି ବିଜୟ ରାଉତ, ଯିଏ ନୀଳଗିରି ଥାନାରେ ଏତଲା ଦେବା ସହ ଭବାନୀଙ୍କ ନିଖୋଜ ନାଟକ ରଚିଥିଲା ।

ପରେ ପୋଲିସ ଘଟଣାର ତଦନ୍ତ କରି ଖୁଲାସା କରିବା ସହ ତାର ପତ୍ନୀ ଓ ବିଜୟ ସହ ୪ ସୁପାରି କିଲରଙ୍କୁ ଗିରଫ କରିଥିବା ବେଳେ ଆଉ ଜଣେ ଫେରାର୍ ରହିଛି ।

ଫେବ୍ରୁୟାରୀ ୫ ତାରିଖ । ସାଙ୍ଗ ମନୋରଂଜନ ସହ ନିଖୋଜ ହୋଇଯାଇଥିଲେ ଭବାନୀ । ୬ ତାରିଖରେ ଭବାନୀଙ୍କ ଭାଇ ବିଜୟ ରାଉତ ନୀଳଗିରି ଥାନାରେ ଏତଲା ଦେଇଥିଲେ । ତା’ପରଠୁ ନୀଳଗିରି ପୋଲିସ ଖୋଳତାଡ଼ କରିବା ସହ ଏତଲାକାରୀ ବିଜୟ ଓ ପତ୍ନୀ ଜ୍ୟୋସ୍ନାଙ୍କୁ ପଚରାଉଚରା କରିଥିଲା ।

କିନ୍ତୁ ପଚରାଉଚରାବେଳେ ଉଭୟଙ୍କ ବୟାନରେ ରହୁନଥିଲା ତାଳମେଳ । ତେଣୁ ପୋଲିସର ସନ୍ଦେହ ଉପୁଜିଥିଲା ଏହି ଦମ୍ପତ୍ତିଙ୍କ ଉପରେ । ଶେଷରେ ଉଭୟଙ୍କ ମୁହଁରୁ ପୋଲିସ ସତ କାଢ଼ିଥିଲା । ବାଲେଶ୍ୱର ଏସପିଙ୍କ କହିବା କଥା, ପୈତୃକ ଜମି ବିକ୍ରି ଟଙ୍କା ଭାଗବଣ୍ଟାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ଲାଗିରହିଥିଲା ବିବାଦ ।

ତେଣୁ ଭବାନୀଙ୍କୁ ରାସ୍ତାରୁ ହଟାଇବା ପାଇଁ ଏହି ଦମ୍ପତ୍ତି ୩ ମାସ ଧରି ଯୋଜନା ପ୍ରସ୍ତୁତ କରିଥିଲେ । ଏଥିପାଇଁ ୧ ଲକ୍ଷ ୭୦ ହଜାର ଟଙ୍କାରେ ୫ ଜଣ ସୁପାରି କିଲରଙ୍କୁ ନିଯୁକ୍ତ କରିଥିଲେ । ଆଉ ଯୋଜନା ମୁତାବକ ଗତ ୫ ତାରିଖରେ କଟୁରୀରେ ହାଣି ହତ୍ୟା କରାଯାଇଥିଲା ଭବାନୀଙ୍କୁ । ମନୋରଂଜନ ପ୍ରତ୍ୟକ୍ଷଦର୍ଶୀ ଥିବାରୁ ତାଙ୍କୁ ବି ଛାଡ଼ିନଥିଲେ ହତ୍ୟାକାରୀ ।

ହତ୍ୟା ପରେ ଉଭୟଙ୍କ ମୃତଦେହକୁ ଫିଙ୍ଗିଦେଇଥିଲେ ନୀଳଗିରି ଥାନା ମିତ୍ରପୁର ବ୍ଲୁ ଲେକରେ । ଯେଉଁଠି ଉଦ୍ଧାର କରିଛି ଅଗ୍ନିଶମ ଓ ଓଡ୍ରାଫ୍ ଟିମ୍ ।