• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଦିନସାରା ଜେରା, ରାତି ତମାମ୍ ଜେରା । ୧୮ ଘଣ୍ଟାରୁ ଅଧିକ ସମୟ ଧରି ଗୁଡ଼ାଇ ତୁଡ଼ାଇ ପ୍ରଶ୍ନ । ଭଣ୍ଡାରିପୋଖରୀର ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲଙ୍କୁ ରାତିସାରା ଘାଣ୍ଟିଲା ଇଡି । ୧୮ ଘଣ୍ଟାର ଜେରା ପରେ ଭୋର ସାଢ଼େ ୪ଟାରେ ଇଡି କାର୍ଯ୍ୟାଳୟରୁ ବାହାରିଲେ ପ୍ରୟାସକାନ୍ତି ।

ବରପଦା ଇଞ୍ଜିନିୟରିଂ କଲେଜର ଜମି ଦୁର୍ନୀତି ମାମଲାରେ ବାପା ପ୍ରଫୁଲ୍ଲ ସାମଲଙ୍କ ପରେ, ଗତକାଲି ପୁଅ ପ୍ରୟାସକାନ୍ତି ସାମଲଙ୍କୁ ଦିନ ପ୍ରାୟ ୧୦ଟାରୁ ମାରାଥନ ଜେରା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏଭଳି ଦୀର୍ଘ ସମୟ ଜେରାର ସମ୍ମୁଖୀନ ହୋଇ ଇଡି କାର୍ଯ୍ୟାଳୟରୁ ବାହାରିବା ପରେ, ଗଣମାଧ୍ୟମ କୁ ପ୍ରୟାସକାନ୍ତି କହିଛନ୍ତି ଯେ ମୋତେ କିଛି ପଚାରିନାହାନ୍ତି ।

ପୁଣି ଆପଣମାନଙ୍କ ସହ ଦେଖା ହେବ । ସୂଚନା ଅନୁସାରେ, ଜବତ ହୋଇଥିବା ମୋବାଇଲରେ ଜମି ଦୁର୍ନୀତିର ଗୁମର ଥିବା ସୁରାକ୍ ପାଇଛି ଇଡି। ସେଥିରେ ଡିଲିଟ ହୋଇଥିବା ତଥ୍ୟ ହାସଲ କରିବାକୁ ଉଦ୍ୟମ କରୁଛି ସାଇବର ଏକ୍ସପର୍ଟ ଟିମ୍ । ଇଡିର ୩ଟି ଟିମ ପ୍ରୟାସକାନ୍ତିଙ୍କୁ ଜେରା କରିଥିବା କୁହାଯାଉଛି । କିଛି ଦିନ ତଳେ ପ୍ରଫୁଲ୍ଲଙ୍କୁ ୮ ଘଣ୍ଟା ଧରି ଜେରା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ସୂଚନାଯୋଗ୍ୟ ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁଅ ପ୍ରୟାସକାନ୍ତିଙ୍କୁ ହାଜର ହେବାକୁ ଇଡି ଫେବ୍ରୁଆରୀ ୧୭ ତାରିଖରେ ନୋଟିସ କରିଥିଲା । ସ୍ୱାସ୍ଥ୍ୟଗତ ସମସ୍ୟା ଜଣାଇ ଇଡିରେ ହାଜର ହେବାକୁ ଓକିଲ ଜରିଆରେ ସମୟ ମାଗିଥିଲେ ପ୍ରଫୁଲ୍ଲ । ପରବର୍ତ୍ତୀ ସମୟରେ ପୁଣି ଇଡି ପ୍ରଫୁଲ୍ଲଙ୍କୁ ହାଜର ହେବାକୁ ନୋଟିସ କରିଥିଲା । ଫ୍ରେବୃଆରୀ ୨୮ ତାରିଖରେ ପ୍ରଫୁଲ୍ଲ ଇଡିରେ ହାଜର ହୋଇଥିଲେ । ହେଲେ ତାଙ୍କ ପୁଅ ପ୍ରୟାସକାନ୍ତି ଇଡିରେ ହାଜର ହୋଇନଥିଲେ । ଗତକାଲି ପ୍ରୟାସକାନ୍ତି ଇଡିରେ ହାଜର ହୋଇଥିଲେ ।

ଏହାପୂର୍ବରୁ ପ୍ରଫୁଲ୍ଲ ସାମଲଙ୍କ ଭଦ୍ରକ ନୂଆବଜାର ସ୍ଥିତ ବାସଭବନରେ ଇଡିର ୬ ଜଣିଆ ଟିମ୍ ଚଢ଼ାଉ କରିଥିଲା । ସେହିପରି ବିଜେଡି ବିଧାୟକଙ୍କ ସମ୍ପର୍କୀୟଙ୍କ ଘରେ ମଧ୍ୟ ଇଡି ଚଢ଼ାଉ କରିଥିଲା । ଭଦ୍ରକ ସହରର ୬ଟି ସ୍ଥାନରେ ଓ ଭୁବନେଶ୍ୱରର ୪ଟି ସ୍ଥାନରେ ଇଡି ରେଡ୍‌ କରିଥିଲା । ସେଥି ମଧ୍ୟରେ ଭୁବନେଶ୍ୱରର ପଳାସପଲ୍ଲୀରେ ଥିବା ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲଙ୍କ ଘରେ ବି ରେଡ ହୋଇଥିଲା ।

ଚଢ଼ାଉ ବେଳେ ଇଡି ଟିମ୍ ପ୍ରଫୁଲ୍ଲଙ୍କ ପୁଅ ପ୍ରୟାସକାନ୍ତିଙ୍କ ଭୁବନେଶ୍ୱରର ପଳାଶପଲ୍ଲୀ ଘରୁ ୧୦ ଲକ୍ଷ ଟଙ୍କା ସହ ଏକ ଫର୍ଚ୍ୟୁନର କାର୍‌ ଜବତ କରିଥିଲା । ଉକ୍ତ ଗାଡ଼ିଟି ପ୍ରୟାସକାନ୍ତି ଚଲାଉଥିବା ବେଳେ ତାହା ତୃଷ୍ଣା ସ୍କାଏ ସ୍କ୍ରାପର ଲିମିଟେଡ ନାମକ ବିଲଡର ସଂସ୍ଥା ନାଁରେ ଥିବା ସୂଚନା ମିଳିଥିଲା ।

ବରପଦା ଇଞ୍ଜିନିୟରିଂ କଲେଜ ନାଁରେ ଏକ ସୋସାଇଟି ହୋଇଥିବା ବେଳେ ସେଥିରେ ହୋଇଥିବା ଦୁର୍ନୀତିରେ ପ୍ରୟାସକାନ୍ତି ସାମିଲ ଥିବା ଅଭିଯୋଗ ହୋଇଥିଲା । କଲେଜ କର୍ମଚାରୀମାନେ ଦରମା ପାଉ ନ ଥିବା ବେଳେ ଉକ୍ତ ଟଙ୍କାରେ ପ୍ରୟାସକାନ୍ତି ଦାମୀ ଗାଡ଼ି ଚଢ଼ୁଥିବା କର୍ମଚାରୀମାନେ ଅଭିଯୋଗ କରିଥିଲେ । ଏହାପରେ ଇଡି ଏହି ଘଟଣାର ଖୋଳତାଡ଼ ଆରମ୍ଭ କରିଥିଲା ।