• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ୟୁପି ବାଲିଆରୁ ଏକ ମଜାଦାର ଖବର ସାମ୍ନାକୁ ଆସିଛି । ଗୋଟିଏ ଚୋର ଚୋରି କରିବାକୁ ଯାଇଥିବା ବେଳେ ସେଠାରେ ନିଶାରେ ଶୋଇ ପଡ଼ିଲା । ସେଠାରୁ ସେ ନା କିଛି ଚୋରି କରିପାରିଲା ନା ସେଠାରୁ ଫେରାର ହୋଇପାରିଲା । ଶେଷରେ ପୋଲିସ ଆସି ତାକୁ ଧରିଲା । ବିନା ଦୋଷରେ ତାକୁ ପୋଲିସ ଅଟକ ରଖିଲା ।

ଏବେ ଆପଣଙ୍କ ମନରେ ନିଶ୍ଚିତ ଭାବେ, ପୁରା ଘଟଣା ସମ୍ପର୍କରେ ଜାଣିବାକୁ କୌତୁହଳ ସୃଷ୍ଟି ହେଉଥିବ । ତେବେ ଘଟଣାଟି ହେଲା ଗୋଟିଏ ଚୋର ଜଣଙ୍କ ଘରେ ପଶି ଚୋରି କରିବାକୁ ଚେଷ୍ଟା କରୁଥିଲା । ହେଲେ ସେଠାରେ ଧନ ସମ୍ପତ୍ତି, ଟଙ୍କା, ସୁନା, ରୂପା, ଗହଣା ଆଦି ଚୋରି କରିବା ପୂର୍ବରୁ ତା ନଜରରେ ପଡ଼ିଗଲା ମଦ । ମଦ ଦେଖିବା ପରେ ସେ ଆଉ ନିଜକୁ ଆୟତ୍ତରେ ରଖିପାରି ନଥିଲା । ଲୋଭରେ ସମ୍ପୂର୍ଣ୍ଣ ମଦ ବୋତଲକୁ ପିଇ ସାରିଦେଲା । ଆଉ ଏହାପରେ ଚୋରର ଅବସ୍ଥା କ’ଣ ହୋଇଥିବ ତାହା ଆପଣ ସହଜରେ ବୁଝିପାରୁଥିବେ । ଚୋରଟି ଫୁଲ୍‌ ବୋତଲ ମଦ ପିଇସାରିବା ପରେ ନିଶାରେ ଆଉ ଚାଲିପାରିଲା ନାହିଁ । ସେ ଆଉ କାହା ଘରେ ପଶି ଚୋରି କରିବାକୁ ଆସିଥିବା କଥା ବି ଭୁଲିଗଲା । ପରେ ମଦ ନିଶାରେ ସେହିଠାରେ ହିଁ ଶୋଇପଡ଼ିଲା ।

ଯେତେବେଳେ ଉକ୍ତ ଘରେ ରହୁଥିବା ଲୋକ ଜାଣିବାକୁ ପାଇଲେ ଯେ, କେହି ଜଣେ ଅଜଣା ବ୍ୟକ୍ତି ତାଙ୍କ ଘରେ ପଶିଛି । ସେତେବେଳେ ସେମାନେ ସ୍ଥାନୀୟ ପୋଲିସକୁ ଯୋଗାଯୋଗ କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚୋରକୁ ଅଟକ ରଖିଥିବା ବେଳେ ତାକୁ ପଚରାଉଚରା କରୁଛି । ଚୋରଠାରୁ ଏସବୁ କଥା ଶୁଣିବା ପରେ ପରିବାର ଲୋକ ଓ ପୋଲିସ ଆଶ୍ଚର୍ଯ୍ୟ ହୋଇପଡ଼ିଲା ।

ରଘୁନାଥପୁର ଗାଁର ଚନ୍ଦନ ଗୁପ୍ତାଙ୍କ ପରିବାର ରବିବାର ରାତିରେ ରାତ୍ରୀ ଭୋଜନ ସାରିବା ପରେ ନିଜ ନିଜ କୋଠରୀରେ ଶୋଇବାକୁ ଯାଇଥିଲେ । ବିଳମ୍ବିତ ରାତିରେ ଘରର ପାଚରୀ ଡେଇଁ ଚୋର ଘର ଭିତରକୁ ପ୍ରବେଶ କରିଥିଲା । ପରେ ଗୋଟିଏ ରୁମ୍‌ ଭିତରେ ପଶି ଆଲ୍‌ମାରୀ ଖୋଲି ଚୋରି କରିବାକୁ ଯାଉଥିବା ବେଳେ ସେ ଏକ ମଦ ବୋତଲ ଦେଖିଥିଲା । ଆଉ ମଦ ବୋତଲ ପାଇବା ପରେ ଚୋରର ଲୋଭ ବଢ଼ିଥିଲା । ସେ ସେଠାରେ ବସି ରାତି ସାରା ମଦ ପିଇ ପୁରା ବୋତଲ ଖାଲି କରିଦେଇଥିଲା । ଆଉ ତାପରେ ତାକୁ ପ୍ରବଳ ନିଶା ଧରିଥିଲା । ନିଶା ଚଢ଼ିବା ପରେ ଚୋର ସେଠାରେ ହିଁ ଶୋଇପଡ଼ିଲା ।

ଉକ୍ତ ପରିବାରର କହିବାନୁଯାୟୀ, ତାଙ୍କ ଘରୁ କୌଣସି ଜିନିଷ ଚୋରି ହୋଇନାହିଁ । ଗିରଫ ହୋଇଥିବା ଚୋରର ପରିଚୟ ମଧ୍ୟ ମିଳିଛି । ସେ ବିହାରର କିତାପୁର ଜିଲ୍ଲା ଭୋଜପୁର ଅଞ୍ଚଳର ଦୀପକ ଶାହା ବୋଲି ଜଣାପଡିଛି ।