• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

କମିଶନରେଟ ପୋଲିସର ସେଫ୍ ସିଟି ଡ୍ରାଇଭ । ରାଜଧାନୀରେ ମଦ୍ୟପ ଡ୍ରାଇଭରଙ୍କ ବିରୋଧରେ କମିଶନରେଟ ପୋଲିସର ଧରପଗଡ଼ । ଗତକାଲି ରାତିରେ କଟକ ରୋଡ, ଝାରପଡା ଛକ, କଳ୍ପନା ଛକ, ନନ୍ଦନକାନନ ରୋଡ, ପଟିଆ ଛକ ଆଦି ସ୍ଥାନରେ ମଦ୍ୟପ ଡ୍ରାଇଭରଙ୍କୁ ଅଟକାଇ ଫାଇନ କାଟିଛି ପୋଲିସ ।

ରାତିରେ କିଛି ଡ୍ରାଇଭର ମଦ୍ୟପାନ କରି ଗାଡି ଚଳାଉଛନ୍ତି । ଏଥିପାଇଁ ଅନେକ ସମୟରେ ଦୁର୍ଘଟଣାମାନ ଘଟୁଛି । ଫଳରେ ସେମାନଙ୍କ ଉପରେ ରୋକ ଲଗାଇବା ଲାଗି ଚେକିଂକୁ ଜୋରଦାର କରିଛି କମିଶନରେଟ ପୋଲିସ । ଗୋଟିଏ ପ୍ଲାଟୁନ ପୋଲିସ ଫୋର୍ସ ସହ ଟିମ୍-SIXTY ଅଫିସରମାନେ ନିୟୋଜିତ ଥିଲେ ।

ଅନ୍ୟପଟେ ଅପରାଧୀଙ୍କ ଉପରେ ନଜର ରଖିବା ପାଇଁ ଗୁଗଲର ସାହାଯ୍ୟ ନେବ ପୋଲିସ । ଟେକ୍ନୋଲୋଜି ଜରିଆରେ ଖୁବଶୀଘ୍ର କ୍ରାଇମ ହଟସ୍ପଟ ଚିହ୍ନଟ କରିବ ପୋଲିସ । ଗୁଗଲ ମ୍ୟାପିଂ ସାହାଯ୍ୟରେ କେଉଁଠି ଓ କେଉଁ ପ୍ରକାରର ଅପରାଧ ହେଉଛି ତାହାର ନିରୀକ୍ଷଣ କରି କ୍ରାଇମ ହଟ୍‌ସ୍ପଟ୍‌ ଚିହ୍ନଟ କରାଯିବ ।

ସେହିପରି ଗୁଗଲ ଆପ୍ଲିକେଶନର ସହାୟତା ନେଇ କ୍ରାଇମ୍ ମ୍ୟାପିଂ ଟେକନିକ୍ ଆପଣାଇବ ପୋଲିସ । ଗତ କିଛି ବର୍ଷ ଧରି ରାଜ୍ୟରେ ଘଟିଥିବା ଛିନ୍‌ତାଇ, ଚୋରି ଆଦି ଅପରାଧର ସ୍ଥାନ ସବୁ ଗୁଗଲ ମ୍ୟାପରେ ସ୍ଥାନ ପାଇବ । ଯେଉଁ ଅଞ୍ଚଳରେ ଯେତେ ଅଧିକ ଅପରାଧ ଘଟିଛି ସେହି ସ୍ଥାନକୁ କ୍ରାଇମ ହଟସ୍ପଟ ଭାବେ ଚିହ୍ନଟ କରାଯିବ। ଏହାକୁ ଆଧାର କରି ପୋଲିସ ଆଗାମୀ ପଦକ୍ଷେପ ନେବ ।

ପ୍ରଥମ ପର୍ଯ୍ୟାୟରେ କେବଳ ସ୍ନାଚିଂ ବା ସୁନା ଚେନ୍, ଅଳଙ୍କାର ଲୁଟ୍ ଘଟଣା ଗୁଡ଼ିକର ଅନୁଧ୍ୟାନ କରାଯିବ । କେମିତି ଅପରାଧୀମାନେ ଅପରାଧ ଘଟାଉଛନ୍ତି ଏବଂ ସେମାନେ କେଉଁ ଶୈଳୀରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି, ଅପରାଧୀଙ୍କ ଗତିବିଧିର ବିଶ୍ଳେଷଣ କରାଯିବ । ବିଗତ ଦିନ ମାନଙ୍କରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଘଟିଥିବା ଅପରାଧ ଓ ଅପରାଧୀଙ୍କୁ ଗୁଗଲ ମ୍ୟାପିଂ ଜରିଆରେ ନଜର ରଖାଯାଇପାରିବ ।

କମିଶନରେଟ ପୋଲିସ ସଫଳ ହେବା ପରେ ବିଭିନ୍ନ ଜିଲ୍ଲାରେ ଥିବା ଏସ୍‌ପି ଅଫିସରୁ ମନିଟର କରାଯିବ । ରାଜ୍ୟର ସବୁ ଥାନା ଉପରେ ତୀକ୍ଷ୍ଣ ନଜର ରଖିବା ସହ ଗୁଗୁଲ ମ୍ୟାପିଂ ଜରିଆରେ ଅପରାଧର ଶୈଳୀ ଅନୁଧ୍ୟାନ କରିବ ପୋଲିସ । ଚଳିତବର୍ଷ ସାଇବର ଅପରାଧୀଙ୍କୁ ଚ୍ୟାଲେଞ୍ଜ ଦେବାକୁ ଯାଇ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ଡିପ୍ ଫେକ୍‌ ଭିଡିଓ ଘଟଣାରେ ତଦନ୍ତ ପାଇଁ ମଧ୍ୟ ଆଇଟି ଏକ୍ସପର୍ଟଙ୍କ ସହ କମିଶନରେଟ ପୋଲିସ ଯୋଗାଯୋଗ କରିବ ।