• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବଟି ଆଦାୟ ହିଁ ଭୁବନେଶ୍ୱର ୟୁନିଟ ୮ ନାରାୟଣୀ ବସ୍ତି ଚନ୍ଦୁ ହତ୍ୟାକାଣ୍ଡର ମୁଖ୍ୟ କାରଣ ବୋଲି ଆଜି ପ୍ରେସ୍‌ମିଟ୍‌ରେ କହିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ରଂଜୁ ନାୟକ ଓ କାହ୍ନାକୁ ଗିରଫ କରାଯାଇଛି । ପ୍ରତୀକ ସିଂହ କହିଛନ୍ତି ଯେ, ଚନ୍ଦୁ ଏକ ଅସାମାଜିକ ଯୁବକ ଥିଲା । ପୂର୍ବରୁ ତା ନାଁରେ ୭ଟି ମାମଲା ରହିଛି । 

ରଂଜୁ ଘରକୁ ଯାଇ ବଟି ମାଗି ଚନ୍ଦୁ ହଇରାଣ କରୁଥିଲା । କିଛି ଦିନ ତଳେ ସେ ରଂଜୁ ଘରକୁ ଯାଇ ରଂଜୁର ଭଉଣୀକୁ ମଧ୍ୟ ପିଟିଥିଲା । ଘଟଣା ଦିନ ବି ଯାଇ ବଟି ମାଗିବା ବେଳେ ଚନ୍ଦୁ ଆକ୍ରମଣର ଶିକାର ହୋଇଥିଲା । ବଚସା ପରେ ଚନ୍ଦୁକୁ ହତ୍ୟା କରି କାହ୍ନା, ରଂଜୁ ଚମ୍ପଟ ମାରିଥିଲେ । ଗତ ଶୁକ୍ରବାର ରାଜଧାନୀର ୟୁନିଟ୍ ୮ ନାରାୟଣୀ ବସ୍ତିରେ ସୁବ୍ରତ ରାଓ ଓରଫ ଚନ୍ଦୁକୁ ହତ୍ୟା କରାଯାଇଥିଲା ।

ସୂଚନାନୁଯାୟୀ ରଞ୍ଜୁ ଜଣେ ପେସାଦାର ଲେଡି ନିଶା ମାଫିଆ । ପୂର୍ବରୁ ସେ ୨ ଥର ଜେଲ୍‌ ଯାଇ ସାରିଛନ୍ତି।  ଆଜି ପୋଲିସ୍‌ ଉଭୟଙ୍କୁ ଗିରଫ କରି ହତ୍ୟାକାଣ୍ତ ପଛର ରହସ୍ୟ ଓଗାଳିଛି ।

ଚନ୍ଦୁଙ୍କ ଭଉଣୀ କରିଥିବା ଅଭିଯୋଗ ଅନୁସାରେ, ବସ୍ତି ଅଞ୍ଚଳରେ ଅବାଧ ନିଶା କାରବାର ଚାଲିଥିଲା। ପୂର୍ବରୁ ନିଶା ନିବାରଣ କେନ୍ଦ୍ରରେ ରହି ଫେରିଥିବା ଚନ୍ଦୁ ଏହାକୁ ବିରୋଧ କରି ଆସୁଥିଲେ । ଫଳରେ ନିଶା ବେପାରୀମାନେ ଆକ୍ରୋଶ ରଖି ତାଙ୍କୁ ଆକ୍ରମଣ କରିବା ଲାଗି ଧମକ ମଧ୍ୟ ଦେଉଥିଲେ । ଶେଷରେ ସେହିମାନେ ମୋ’ ଭାଇଙ୍କୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ କରିଥିଲେ ଚନ୍ଦୁଙ୍କ ଭଉଣୀ । ଅପରପକ୍ଷେ, ନିଶା କାରବାରକୁ ନେଇ ପୋଲିସକୁ ଖବର ଦେବାରୁ ରାଗ ରଖି ନିଶା ବେପାରୀମାନେ ମୋ ଭାଇକୁ ହତ୍ୟା କରିଥିବା ଅଭିଯୋଗ ଆଣିଥିଲେ ଚନ୍ଦୁଙ୍କ ଭାଇ।