• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ମଣିଷର ରକ୍ତଚରିତ୍ର । ଘଣ୍ଟାକ ଭିତରେ ହତ୍ୟାର ପ୍ରତିଶୋଧ ହତ୍ୟାରେ । ଜଣେ ଯୁବକଙ୍କୁ ବାପ-ପୁଅ ମିଶି ହତ୍ୟା କରିବାର ଘଣ୍ଟାକ ଭିତରେ ଅଭିଯୁକ୍ତ ପୁଅକୁ ହତ୍ୟା କଲେ ମୃତ ଯୁବକଙ୍କ ସମ୍ପର୍କୀୟ । କୋରାପୁଟ ପଟାଙ୍ଗୀ ଥାନା କୁନ୍ଦୁଲି ହାଟପଦାରେ ଆଜି ସକାଳେ ଏଭଳି ଏକ ଡବଲ ମର୍ଡର ଘଟି ଯାଇଥିବା ବେଳେ, ସ୍ଥାନୀୟ ଅଞ୍ଚଳରେ ଲାଗି ରହିଛି ପ୍ରବଳ ଉତ୍ତେଜନା ।

ହତ୍ୟାରେ, ହତ୍ୟାର ବଦଲା । ମାତ୍ର ଘଣ୍ଟାଏ ଭିତରେ ପ୍ରତିଶୋଧ । ପାର୍ବଣର ପରିବେଶ ଭିତରେ କୋରାପୁଟ ପଟାଙ୍ଗି ବ୍ଲକ୍ କୁନ୍ଦୁଲି ହାଟପଦା ଅଞ୍ଚଳରେ ଡବଲ ମର୍ଡର । ସମୟ ସକାଳ ପ୍ରାୟ ୮ଟା । ସ୍ଥାନୀୟ ଟେମା ଗାଁର ଗୋବର୍ଦ୍ଧନ ପାଣ୍ଡକା, ହାଟପଦା ଅଞ୍ଚଳରେ ବୁଲୁଥିଲେ । କୁହାଯାଉଛି ହାଟପଦା ଛକରେ ଦୋକାନ କରିଥିବା ଯୋଗୁଲୁ ରୁଡି ଓ ତାଙ୍କ ପୁଅ ରାଜକୁମାର ମିଶି ଗୋବର୍ଦ୍ଧନଙ୍କୁ ଅତର୍କିତ ଆକ୍ରମଣ କରିଥିଲେ ।

ବାପ-ପୁଅଙ୍କ ଠେଙ୍ଗା ଓ ବର୍ଛା ମାଡ଼ରେ ସେଇଠି ଟଳି ପଡିଥିଲେ ଗୋବର୍ଦ୍ଧନ । ଏପଟେ ଏ ଖବର ବିଜୁଳି ବେଗରେ ପ୍ରଚାର ହେବା ପରେ ହତ୍ୟାର ପ୍ରତିଶୋଧ ନେବାକୁ ଏକାଠି ହୋଇଥିଲେ ଗୋବର୍ଦ୍ଧନଙ୍କ ପରିବାର ଓ ସମ୍ପର୍କୀୟ । ହତ୍ୟାକାଣ୍ଡର ମାତ୍ର ଘଣ୍ଟାଏ ନପୁରୁଣୁ ହତ୍ୟାକାରୀ କୁହାଯାଉଥିବା ରାଜକୁମାରଙ୍କ ଘରକୁ ଯାଇ ତାଙ୍କୁ ଟାଣି ନେଇଥିଲେ । ଆଉ ସଂଘବଦ୍ଧ ଭାବେ ବିଚ୍ ରାସ୍ତାରେ ପିଟି ପିଟି ହତ୍ୟା କରିଥିଲେ ।

ଏ ବୀଭତ୍ସ ଡବଲ ମର୍ଡର ପରେ କୁନ୍ଦୁଲି ଓ ଟେମା ଗାଁରେ ଲାଗି ରହିଛି ଚାପା ଉତ୍ତେଜନା । ଦୁଇ ପରିବାର ଭିତରେ ବିବାଦ ଓ ହତ୍ୟା ପରେ କାଳେ ସଂଘର୍ଷ ଦୁଇ ଗାଁକୁ ବ୍ୟାପିଯିବ, ତାକୁ ନେଇ ସତର୍କ ପୋଲିସ । ଏଥିପାଇଁ ଦୁଇ ଗାଁରେ ୪ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ୨ ଜଣ ଏସଡିପିଓ, ୪ ଆଇଆସି ପରିସ୍ଥିତି ଉପରେ ନଜର ରଖିଛନ୍ତି ।

ତେବେ ଗୋବର୍ଦ୍ଧନଙ୍କୁ ମୃତ ରାଜକୁମାର ଓ ତାଙ୍କ ବାପା କାହିଁକି ହତ୍ୟା କଲେ, ସେ ନେଇ କେହିଁ ମୁହଁ ଖୋଲୁ ନଥିଲେ ବି ପୂର୍ବ ଶତ୍ରୁତାରୁ ଏ କାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଏଠି ପ୍ରଶ୍ନ ଉଠୁଛି ସକାଳ ୮ଟାରେ ପ୍ରଥମ ହତ୍ୟାକାଣ୍ଡ ଘଟିବା ପରେ ପୋଲିସ ଖବର ପାଇ ବି ତୁରନ୍ତ ପହଞ୍ଚି ନଥିଲା କାହିଁକି ? ଠିକ୍ ସମୟରେ ପହଞ୍ଚିଥିଲେ ହୁଏତ ଆଉଏକ ହତ୍ୟା ଘଟଣାକୁ ରୋକା ଯାଇପାରିଥାନ୍ତା ।