• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପ୍ରଫେସନ ଡାକ୍ତର । ହେଲେ ମନରେ ସେବା ଅପେକ୍ଷା ଲୁଟର ମାନସିକତା ଏତେ ଅଧିକ ଯେ, ସାଧାରଣ କାମ ପାଇଁ ଟଙ୍କା ନମିଳିଲେ କଲମ ଚାଲୁ ନଥିଲା । ଟଙ୍କା ସହ ଡଲାର, ବିଦେଶୀ ମଦ, ଇମ୍ପୋଟେଡ୍ ସିଗାରେଟ୍ ପ୍ରତି ଥିଲା ଅହେତୁକ ଦୁର୍ବଳତା । ତେବେ କେଉଁଭଳି ଏବଂ କାହାଠୁ ଲାଞ୍ଚ ନେଇ କୋଟି କୋଟିର ସମ୍ପତ୍ତି ଠୁଳ କରିଥିଲେ ପାରାଦୀପ PHOଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀ ? ଲାଞ୍ଚ ଅଭିଯୋଗରେ ଗତକାଲି ସିବିଆଇ ଦ୍ୱାରା ଗିରଫ ହେବା ପରେ ସାମ୍ନାକୁ ଆସିଛି ଦୁର୍ନୀତିଗ୍ରସ୍ତ ଡାକ୍ତରଙ୍କ କଳା କାହାଣୀ ।

ବିଛଣାରେ ଟଙ୍କା, ଲାଟ୍ରିନରେ ଟଙ୍କା, ଆଉ ଆଲମିରା ଡଲାରରେ ଭର୍ତ୍ତି । ଟଙ୍କା ଗଦିରେ ଶୋଉଥିଲେ, ଲାଟ୍ରିନ ଭିତରେ ଲୁଚାଇ ରଖୁଥିଲେ । ଲାଞ୍ଚ ଅଭିଯୋଗରେ ସିବିଆଇ ଦ୍ୱାରା ଗିରଫ ପରେ ଫିଟିଛି ପାରାଦୀପ ବନ୍ଦର ସ୍ୱାସ୍ଥ୍ୟ ସଂଗଠନର ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କ କଳା କାରବାରର ଗୁମର ।

ପୁଳା ପୁଳା ଡଲାର, ଗଦା ଗଦା ନୋଟ୍ ଆଉ ବହୁ ଦାମୀ କମ୍ପାନୀର ବିଦେଶୀ ମଦ ଓ ସିଗାରେଟ୍ ବିପୁଳ ସମ୍ଭାର । ତାଙ୍କ ଷ୍ଟୋର ରୁମରେ ଆଖି ବୁଲାଇ ଆଣିଲେ, ଆହୁରି କେତେ କିସମର ଦେଶୀ ବିଦେଶୀ ଗିଫ୍ଟ । ତେବେ ଡାକ୍ତର ରାଜେନ୍ଦ୍ର ନରାୟଣ କାହାଠୁ ଏବଂ ଉପାୟରେ କମାଉଥିଲେ ପୁଳା ପୁଳା ଟଙ୍କା । ସିବିଆଇ ଫାସରେ ପଡ଼ିବା ପରେ ଏବେ ତାଙ୍କ ବିରୋଧରେ ମୁହଁ ଖୋଲିଛନ୍ତି ତାଙ୍କ ନିର୍ଯତାନାର ଶିକାର ହୋଇଥିବା ବହୁ ସିପିଙ୍ଗ୍ ଏଜେଣ୍ଟ ।

ସେମାନଙ୍କ ଅଭିଯୋଗ, ପାରାଦୀପ ବନ୍ଦରରେ ଜାହାଜ ଲାଗିବା ଏବଂ ଛାଡ଼ିବା ପୂର୍ବରୁ ଜାହାଜର କ୍ୟାପେଟନ୍, କ୍ରିଉ ମେମ୍ବର ଓ ସିପିଙ୍ଗ ଏଜେଣ୍ଟ ପାଇଁ ଦରକାର ପଡ଼େ ଡାକ୍ତରଙ୍କ ସ୍ବାସ୍ଥ୍ୟ ଅନୁମତି ପତ୍ର । ଆଉ ଏଇ ବାବଦରେ ହିଁ ଟଙ୍କା, ଡଲାର, ବିଦେଶୀ ମଦ ଆଦି ମନଇଚ୍ଛା ଦାବି କରନ୍ତି ଡାକ୍ତର । ଦାବି ମୁତାବକ ଶୀଘ୍ର ଦେଲେ, କାମ ଜଲଦି ହୁଏ, ଆଉ ବିଳମ୍ବ କଲେ କାମ ହେବା ବହୁ କଷ୍ଟ ବୋଲି ଖୋଲଖୋଲି କହିଛନ୍ତି ବହୁ ସିପିଙ୍ଗ୍ ଏଜେଣ୍ଟ୍ ।

ପାରାଦୀପ ବନ୍ଦର ସ୍ୱାସ୍ଥ୍ୟ ସଂଗଠନରେ ଗଲା ୪ ବର୍ଷ ଧରି କାର୍ଯ୍ୟ କରି ଆସୁଛନ୍ତି ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀ । ତାଙ୍କର ଏ ଆଖିବୁଜା ଲାଞ୍ଚ କାରବାର ବିରୋଧରେ ଅଭିଯୋଗ ପରେ ଗୁରୁବାର ସଂଧ୍ୟାରୁ ଛାପା ମାରିଥିଲା ସିବିଆଇ ଟିମ୍ । ସେହିଦିନ ଜଣେ ସିପିଙ୍ଗ ଏଜେଣ୍ଟଙ୍କଠୁ ୫୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ତାଙ୍କୁ ରେଡ୍ ହ୍ୟାଣ୍ଡ ଧରିଥିଲା ସିବିଆଇ ।

ପରେ ପାରାଦୀପ ଜେବି କୋଲନୀସ୍ଥିତ ସରକାରୀ କ୍ୱାର୍ଟର, ହାଉସିଂ ବୋର୍ଡ କଲୋନୀ ଭଡ଼ାଘର, କଟକରେ ରହୁଥିବା ଡାକ୍ତରାଣୀ ପତ୍ନୀଙ୍କ ଘର, ବାଲେଶ୍ୱର ମାର୍କୋଣାସ୍ଥିତ ପୈତୃକ ଘରେ ଏକାକାଳୀନ ରେଡ୍ ହୋଇଥିଲା । ଚଢାଉ ବେଳେ ସିବିଆଇ ଟିମ୍ ୧୭ ଲକ୍ଷରୁ ଅଧିକ ମୂଲ୍ୟର ଆମେରିକୀୟ ଡଲାର, ପ୍ରାୟ ୧୭ ଲକ୍ଷ ଟଙ୍କାର କ୍ୟାସ୍ ପାଇଛି । ପାରାଦୀପ ସ୍ଥିତ ଭଡ଼ା ଘରେ ଥିବା ଲାଟ୍ରିନରେ ସେ ପୁଳା ପୁଳା ଟଙ୍କା ଲୁଚାଇ ରଖିଥିବା ଦେଖିବାକୁ ପାଇଥିଲା ସିବିଆଇ ଟିମ୍ । ସେହିଭଳି ଓଡ଼ିଶା ଓ ହାଇଦ୍ରାବଦରେ ବିଭିନ୍ନ ସ୍ଥାନରେ ୫ଟି ପ୍ଲଟ୍ କୋଠା ଥିବା ଜାଣିବାକୁ ପାଇଛି ।

କୁହାଯାଉଛି, ଡାକ୍ତର ରାଜେନ୍ଦ୍ର ନାରାୟଣ ପାରାଦୀପରେ ଚଳାଇଥିବା ଦୁର୍ନୀତି ନେଟୱର୍କରେ ତାଙ୍କର ଆଉ କିଛି ସହଯୋଗୀଙ୍କ ଭୂମିକା ରହିଛି । ସିବିଆଇ ସେ ଦିଗରେ ବି ଗୁରୁତ୍ୱ ଦେଉଥିବାରୁ ଆଗକୁ ଡାକ୍ତରଙ୍କୁ ରିମାଣ୍ଡରେ ଆଣି ଅଧିକ ଜେରା କରିବା ସମ୍ଭାବନା ରହିଛି ।

  • Reported by:
  • RAMAKANTA NAYAK