ପୁଅ ଓ ବୋହୂଙ୍କୁ ପେଟ୍ରୋଲ୍ ଢାଳି ବାପା ଜାଳିବା ଘଟଣାରେ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ଖୁଲାସା । କଟକ ବାରଙ୍ଗ ଥାନା ଗୋଡିସାହି ବାରସିଂଗା ଗାଁରେ ଗତକାଲି ଘଟିଥିବା ଘଟଣା ଉପରୁ ଧିରେ ଧିରେ ଉଠିବାରେ ଲାଗିଛି ପରଦା । ଦୋକାନ ଘର ଭଡ଼ା ଟଙ୍କାକୁ ନେଇ ବାପା ଗୋବର୍ଦ୍ଧନ ରାଉତ ନିଜ ପୁଅ ଦୀନବନ୍ଧୁଙ୍କ ସହ ବିବାଦ ଲାଗି ରହିଥିଲା । ଭଡ଼ା ଟଙ୍କାକୁ ନେଇ ହିଁ ଗତକାଲି ରାତିରେ ଯୁକ୍ତିତର୍କ ଉଗ୍ର ରୂପ ନେଇଥିଲା ।
ଦୀନବନ୍ଧୁଙ୍କ ଉପରକୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା ଅଭିଯୁକ୍ତ ବାପା । ପୁଅ ଦୌଡ଼ି ବାହାରକୁ ଆସିବା ବେଳେ ବୋହୂ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ଜହ୍ଲାଦ ବାପାଙ୍କ ହୃଦୟରେ ଦୟାମାୟା ଜାଗିନଥିଲା । ପୁଣି ପେଟ୍ରୋଲ ଢାଲି ପୁଅ ଓ ବୋହୂ ଉଭୟଙ୍କୁ ଜାଳିବାକୁ ଚେଷ୍ଟା କରିଥିଲା। ସେପଟେ କଟକରେ ଗୁରୁତର ଥିବା ବୋହୂ ସସ୍ମିତା ରାଉତଙ୍କର ମୃତ୍ୟୁ ହୋଇଛି । ପୁଅ ଅବସ୍ଥା ଗୁରୁତର ରହିଛି ।
Also Read
ଅଧିକ ପଢ଼ନ୍ତୁ: ପ୍ରେମିକା ଦେଲା ପ୍ରେମର ପ୍ରମାଣ; ନୂଆ ପ୍ରେମିକକୁ ଖୁସି କରିବାକୁ ପୂର୍ବତନ ପ୍ରେମିକକୁ ଏସିଡ୍ ଫିଙ୍ଗିଲା
ଏ ରାଗ ସତରେ କେତେ ବଡ଼ ବ୍ରହ୍ମଚଣ୍ଡାଳ । ଏଠି ଦୋଷ କାହାର, କିଏ ନିଜର, କିଏ ପର ଆପଣ ଭାବିବା ନିଶ୍ଚୟ ଭୁଲିଯିବେ । କେବଳ ଆପଣଙ୍କ ମନକୁ ଗୋଟିଏ ପ୍ରଶ୍ନ ଆସିବ, ସତରେ କ’ଣ ଜଣେ ଜଣେ ବାପା ଏମିତି ରାକ୍ଷସ ପାଲଟି ଯାଇପାରେ । ଜଣେ ଜନ୍ମଦାତା ତା’ର ପୁଅ-ବୋହୂର ଜୀବନ ନେବାକୁ ଏମିତି କରିପାରେ । ଅତୀତରେ ଆପଣ ବାପା-ମା’ଙ୍କ ଉପରେ ଅତ୍ୟାଚାର ହେବାର ଖବର ଅନେକ ଥର ଶୁଣିଥିବେ । ପୁଅ ବୋହୂଙ୍କ ନିର୍ଯାତନା ସହିନପାରି ବୃଦ୍ଧାଶ୍ରମରେ ବୁଢ଼ା ବାପା-ମା’ ରହୁଥିବା ଦେଖିବାକୁ ପାଇଥିବେ ।
ହେଲେ ଜଣେ ବାପା ପୁଅ-ବୋହୂଙ୍କ ଉପରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିବା କଥା କେବେ ବି ଶୁଣିନଥିବେ । ପାରିବାରିକ କଳହର ନିଆଁରେ ଏଠି ସବୁ ଜଳିପୋଡ଼ି ନଷ୍ଟ ହୋଇଯାଇଛି । ପୁଅ ଓ ବୋହୂଙ୍କୁ ପେଟ୍ରୋଲ୍ ଢାଳି ବାପା ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ଉଭୟ ପୁଅ-ବୋହୂଙ୍କୁ କଟକ ଏସସିବି ଓ ପରେ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତ ବୃଦ୍ଧ ବାପା ଗୋବର୍ଦ୍ଧନ ରାଉତଙ୍କୁ ପୋଲିସ ଅଟକ ରଖିଛି । ତେବେ ଏନେଇ ସଂପୃକ୍ତ ପରିବାର କିମ୍ବା ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।