• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବଲାଙ୍ଗିର: ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡର ଖୁଲାସା । ଉତ୍ତରାଞ୍ଚଳ ଡିଆଇଜି କହିଛନ୍ତି ଗିରଫ ଗୋବିନ୍ଦ ସାହୁ, ନିଜ ପରକୀୟା ପ୍ରୀତିର ପ୍ରଘଟ ହେବା ଶଙ୍କାରେ ମମିତାଙ୍କୁ କାର୍ ଭିତରେ ହତ୍ୟା କରିଛି । ପରେ ମୃତଦେହକୁ ପୋଡ଼ି ପୂର୍ବରୁ ଖୋଳାଯାଇଥିବା ଗାତରେ ପୋତି ଦେଇଛି । ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ, ଅଧିକ ତଥ୍ୟ ହାସଲ ପାଇଁ ଅଭିଯୁକ୍ତକୁ ୫ ଦିନିଆ ରିମାଣ୍ଡରେ ନେଇ ପଚରାଉଚାରା ପାଇଁ କୋର୍ଟଙ୍କ ଅନୁମତି ମିଳିଛି ।

ଡିଆଇଜି ଦୀପକ କୁମାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି-ସ୍କୁଲ ମାଲିକ ଗୋବିନ୍ଦ ସାହୁର ପରକୀୟା ପ୍ରୀତି ସଂପର୍କରେ ଜାଣି ଯାଇଥିଲେ ମମିତା । ଏମିତିକି ଏହାକୁ ପ୍ରଘଟ କରିଦେବାର ଧମକ ବି ଦେଇଥିଲେ । ଯେଉଁଥିରେ ଘାବରେଇ ଯାଇଥିଲା ଗୋବିନ୍ଦ । ତେଣୁ ସବୁଦିନ ପାଇଁ ମମିତାଙ୍କୁ ରାସ୍ତାରୁ ହଟାଇବାକୁ ରଚିଥିଲା ସୁଚିନ୍ତିତ ଯୋଜନା । ଗତ ୮ତାରିଖ ଦିନ ମମିତାଙ୍କୁ ଭବାନୀପାଟଣା ବସଷ୍ଟାଣ୍ଡରୁ ନିଜ କାରରେ ବସାଇ କେ.ଗାଁ ଆଣୁଥିଲା ଗୋବିନ୍ଦ । ତେବେ ବାଟରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଯେଉଁଥିରେ ରାଗିଯାଇ ସେହି କାରରେ ହିଁ ମମିତାଙ୍କୁ ହତ୍ୟା କରିଥିଲା ଗୋବିନ୍ଦ ।

ତେବେ ଗୋବିନ୍ଦ ତଣ୍ଟିଚିପି ମାରିଛି କି ନାହିଁ ତାର ତଦନ୍ତ ଚାଲିଥିବା କହିଛନ୍ତି ଡିଆଇଜି । ହତ୍ୟା ପରେ ସିଧା ମମିତାଙ୍କ ମୃତଦେହକୁ ମହାଲିଙ୍ଗ୍ କ୍ୟାମ୍ପସରେ ନିର୍ମାଣାଧିନ ଷ୍ଟାଡ଼ିୟମ୍ ନେଇଯାଇଥିଲା ଗୋବିନ୍ଦ । ଯେଉଁଠି ପୂର୍ବ ଯୋଜନା ମୁତାବକ ଖୋଳାଯାଇଥିବା ଗାତରେ ଫିଙ୍ଗି କାର୍ଡବୋର୍ଡ ଓ ଟାୟାର ସାହାଯ୍ୟରେ ନିଆଁ ଲଗାଇ ଦେଇଥିଲା । ପରଦିନ ଉକ୍ତ ଗାତକୁ ଖୋଳା ଯାଇଥିବା ମାଟିରେ ପୁଣି ପୋତି ଦେଇଥିଲା । ତେବେ ଏତେବଡ଼ ଘଟଣାକୁ ଗୋବିନ୍ଦ ଏକାକୀ ଅଂଜାମ୍ ଦେଇଛି ନା ଅନ୍ୟ କେହି ସଂପୃକ୍ତ ତାର ବି ଖୋଳତାଡ଼ ଚାଲିଛି । ଘଟଣାରେ ଜେସିବି ଡ୍ରାଇଭରକୁ ଅଟକ ରଖାଯାଇଛି ଓ ତା ଭୂମିକା ନେଇ ବି ତଦନ୍ତ ଚାଲିଥିବା କହିଛନ୍ତି ଡିଆଇଜି ।

ଏଠି ପ୍ରଶ୍ନ କେମିତି ଏତେ ଶୀଘ୍ର ମମିତା ହତ୍ୟାର ଗୁମର ଜାଣିଗଲା ପୋଲିସ୍ ? ଡିଆଇଜିଙ୍କ ସୂଚନା ଅନୁସାରେ, ଗତକାଲି ଗୋବିନ୍ଦକୁ ବଙ୍ଗୋମୁଣ୍ଡା ବ୍ଲକ ବୁଢ଼ୀପଦର ଗାଁର ଏକ ଆଖୁବାଡ଼ିରୁ ଧରାଯିବା ପରେ, ତାକୁ ଘନ ଘନ ଜେରା ଚାଲିଥିଲା । ଏହି ସମୟରେ ସେ ମମିତାଙ୍କୁ ହତ୍ୟା କରିଥିବା ମାନି ଯାଇଥିଲା । ତେବେ ତା ପୂର୍ବରୁ ପୋଲିସ୍ ବିଭିନ୍ନ ସ୍ଥାନରୁ ପ୍ରାୟ ୭୨ ଘଣ୍ଟାର ସିସିଟିଭି ଫୁଟେଜ୍ ସଂଗ୍ରହ କରିଛି ଓ ତାର ଛାନ୍‌ଭିନ୍ ଚଳାଇଛି । ତାସହ ଜବତ ହୋଇଥିବା ଗୋବିନ୍ଦର କାର୍ ଓ ପାରିପାର୍ଶ୍ୱିକ ସ୍ଥିତିର ବି ଅନୁଧ୍ୟାନ ଚାଲିଛି । ଅଧିକ ପ୍ରମାଣ ହାସଲ ପାଇଁ ବିଭିନ୍ନ ସ୍ଥାନରୁ ଜବତ ହୋଇଥିବା ସାମଗ୍ରୀକୁ ଫୋରେନ୍ସିକ୍ ଲ୍ୟାବ୍‌କୁ ଟେଷ୍ଟ ପାଇଁ ପଠାଯିବ । ଘଟଣାରେ ଅଧିକ ତଥ୍ୟ ହାସଲ ପାଇଁ ରିମାଣ୍ଡ ଅବଧି ଭିତରେ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ବିଭିନ୍ନ ଦିଗରୁ ପଚରାଉଚରା କରିବ ପୋଲିସ୍ । ଏଥିପାଇଁ ବଙ୍ଗୋମୁଣ୍ଡା JMFC କୋର୍ଟ ୫ଦିନିଆ ରିମାଣ୍ଡ ଅନୁମତି ଦେଇଛନ୍ତି । ଏହାଛଡ଼ା ମାମଲାରେ ଶୀଘ୍ର ଚାର୍ଜସିଟ୍ କରାଯାଇ ଫାଷ୍ଟଟ୍ରାକ୍ କୋର୍ଟରେ ବିଚାର ହେବ ବୋଲି କହିଛନ୍ତି DIG ।

ସେପଟେ ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ଉତ୍ତରାଞ୍ଚଳ ଡିଆଇଜି ଓ ବଲାଙ୍ଗିର ଏସ୍‌ପିଙ୍କୁ ଭେଟି ଗୁହାରି କରିଛନ୍ତି ହତ୍ୟାର ଶିକାର ଶିକ୍ଷୟିତ୍ରୀ ମମିତା ମେହେରଙ୍କ ପରିବାର । ମମିତାଙ୍କ ବାପା, ମାଆ ଓ ବଡ଼ବାପା ଆଜି ବଲାଙ୍ଗିର ଏସ୍‌ପିଙ୍କ ଅଫିସକୁ ଆସିଥିଲେ । ଦୋଷୀକୁ ମୃତ୍ୟୁଦଣ୍ଡ ଦେବାକୁ ଦାବି କରିଛନ୍ତି ମମିତାଙ୍କ ପରିବାର । ଏମିତିକି ମମିତାଙ୍କ ଶବ ଚିହ୍ନଟ ପାଇଁ ଆଜି ତାଙ୍କ ବାପା-ମାଆ ଡିଏନଏ ପରୀକ୍ଷା ଲାଗି ରକ୍ତ ନମୁନା ଦେଇଥିବାର ସୂଚନା ମିଳିଛି ।

ଅଭିଯୁକ୍ତ ଗୋବିନ୍ଦ ସାହୁର ଯୋଜନାବଦ୍ଧ ହତ୍ୟାକାଣ୍ଡ ସମ୍ପର୍କରେ ପୋଲିସ ଖୁଲାସା ପରେ ଏବେ ପ୍ରଶ୍ନ-କାହା ସହ ଗୋବିନ୍ଦର ଥିଲା ପରକୀୟା ପ୍ରୀତି ? ମମିତା ସେ ସମ୍ପର୍କରେ କଣ ଅଧିକ ଜାଣିଥିଲେ ଯେ, ଯେଉଁଥିପାଇଁ ଗୋବିନ୍ଦ ତାଙ୍କୁ ଏଭଳି ଯୋଜନାବଦ୍ଧ ହତ୍ୟା କଲା ? ଏସବୁର ପୋଲିସ ପର୍ଦ୍ଦାଫାସ୍ କରିବା ସହ ଦୋଷୀକୁ ଫାଶିଦଣ୍ଡ ଦେବାକୁ ଦାବି କରିଛନ୍ତି ମମିତାଙ୍କ ସମ୍ପର୍କୀୟ ।

 

ତେବେ ଏଠି ପ୍ରଶ୍ନ-ମମିତା ହତ୍ୟାକାଣ୍ଡ ପଛରେ ଖାଲି ଗୋବିନ୍ଦର ପରକୀୟା ପ୍ରୀତି ପ୍ରଘଟ ହୋଇଯିବା ଡର କଣ ଏକମାତ୍ର କାରଣ ? ନା ଛପି ରହିଛି ଅନ୍ୟ ଗୁଢ଼ ରହସ୍ୟ ? କାରଣ ମହାଲିଙ୍ଗ ଇଂରାଜୀ ମିଜିୟମ ସ୍କୁଲରେ ଦୀର୍ଘଦିନ ଧରି ଯୌନ ଶୋଷଣ ଚାଲିଥିବା ନେଇ ସଂଗୀନ ଅଭିଯୋଗ ହୋଇ ଆସୁଥିବା ବେଳେ ମାଲିକ ଗୋବିନ୍ଦ ସାହୁ ସହ ରହିଛି ବହୁ ମନ୍ତ୍ରୀ ଓ ନେତାଙ୍କ ଗଭୀର ସଂପର୍କ । ପୋଲିସ ଏସବୁ ଦିଗରେ ବି ଖୋଳତାଡ଼ କରିବ ନା ମାମଲାକୁ ଚାପି ଦେବ, ତାକୁ ନେଇ ଚାଲିଛି ଚର୍ଚ୍ଚା-ଆଲୋଚନା ।