Dhamnagar Fraud Case: ଠକେଇର ନୂଆ ଫଣ୍ଡା; ହଜାରେ ଟଙ୍କିଆ ଚେକ୍ ନେଇ ବ୍ୟାଙ୍କରୁ ପୋଛିନେଲା ୭୧ ହଜାର...

ଭଦ୍ରକ ଧାମନଗର ଅଞ୍ଚଳରେ କୃଷି ଯନ୍ତ୍ରପାତି ଯୋଗାଣ ଆଳରେ ବିଶ୍ବାସ ଜନ୍ମାଇ ଚାରି ଚାରି ଜଣ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ଜଣେ ଠକ ଚୂନ ଲଗାଇବା ପରେ ସୃଷ୍ଟି ହୋଇଛି ହଇଚଇ। 

Bank Fraud

ସମାନ କାହାଣୀ, ସମାନ ଢଙ୍ଗ। କାହାଠୁ ୮୧ ହଜାର ତ କାହାଠୁ ୯୧ ହଜାର ଟଙ୍କା ଲୁଟି ନେଉଛି ଠକ। ଭଦ୍ରକ ଧାମନଗର ଅଞ୍ଚଳରେ କୃଷି ଯନ୍ତ୍ରପାତି ଯୋଗାଣ ଆଳରେ ବିଶ୍ବାସ ଜନ୍ମାଇ ଚାରି ଚାରି ଜଣ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ଜଣେ ଠକ ଚୂନ ଲଗାଇବା ପରେ ସୃଷ୍ଟି ହୋଇଛି ହଇଚଇ। ଧୂର୍ତ୍ତ ଠକକୁ ଧରିବାକୁ ପୋଲିସ୍ ଜାଲ ବିଛାଇ ଥିବାବେଳେ କେମିତି ହେଉଥିଲା ଅଭିନବ ଲୁଟ୍, ଆସନ୍ତୁ ଦେଖିବା।... 

ଠକେଇର ନୂଆ ଫଣ୍ଡା। ହଜାରେ ଟଙ୍କିଆ ଚେକ୍ ନେଇ ବ୍ୟାଙ୍କରୁ ପୋଛିନେଲା ୭୧ ହଜାର। ସମାନ କାହାଣୀ, ସମାନ ଢଙ୍ଗରେ ଭଦ୍ରକ ଧାମନଗରରେ ସପ୍ତାହକରେ ଘଟିଲାଣି ଚାରି ଚାରିଟି ଠକେଇ । ସଦ୍ୟ ଠକେଇର ଶିକାର ଇଏ ଅବସରପ୍ରାପ୍ତ ଶିକ୍ଷକ ଅଜୟ କୁମାର ଦାସ। କୃଷି ଯନ୍ତ୍ରପାତି ବିତରଣ କେନ୍ଦ୍ର ଖୋଲିବା ନାଁରେ ଅଜୟଙ୍କ ବିଶ୍ବାସ ଜିତି ତାଙ୍କ ଠାରୁ ହଜାରେ ଟଙ୍କାର ଚେକ୍ ନେଇଥିଲା ଠକ। ହେଲେ କିଛି ସମୟ ପରେ ବ୍ୟାଙ୍କରୁ ତାଙ୍କ ମୋବାଇଲକୁ ଆସିଥିଲା ୭୧ ହଜାର ଟଙ୍କାର ୱିଥ ଡ୍ର ମେସେଜ୍। ଅକଲ ଗୁଡୁମ୍ ପରେ ଅଜୟ ସିଧା ଧାଇଁଲେ ଧାମନଗର ଥାନା। 

ଅଧିକ ପଢ଼ନ୍ତୁ:  ଭୁବନେଶ୍ୱରରେ ଭେଜାଲ୍; ରାଜଧାନୀରୁ ନକଲି ସିମେଣ୍ଟ ଫ୍ୟାକ୍ଟ୍ରି ଠାବ

କେବଳ ଅଜୟ ନୁହଁନ୍ତି, ଅବସରପ୍ରାପ୍ତ ଶିକ୍ଷକ ଚନ୍ଦ୍ରଶେଖର ରାଉତ, ଅବସରପ୍ରାପ୍ତ ପ୍ରାଣୀ ଚିକିତ୍ସକ ବିଦ୍ୟାଧର ରାଉତ ଏବଂ ଆଉ ଜଣେ ରିଟାୟର୍ଡ ଟିଚର ବି ପଡିଛନ୍ତି ଏ ଠକର ଜାଲରେ। ସମାନ କାହାଣୀ, ସମାନ ଢଙ୍ଗରେ କାହାଠୁ ୮୧ ହଜାର ତ କାହାଠୁ ୯୧ ହଜାର ଟଙ୍କା ଲୁଟି ନେଇଛି ଠକ। ତେବେ ଆକାଉଣ୍ଟରୁ ଟଙ୍କା ଉଠିବା ଆଗରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ବିଦ୍ୟାଧର। 

ପ୍ରଥମେ ଅବସରପ୍ରାପ୍ତ କର୍ମଚାରୀଙ୍କ ବିଶ୍ବାସ ଜିତିବା, ଚେକ୍ ରେ ଟଙ୍କା ପ୍ରଦାନ କରାଯାଉଥିବା ବ୍ୟକ୍ତି ବା ସଂସ୍ଥା ସ୍ଥାନ ଖାଲି ଛାଡିଦେବା ସହ ଟଙ୍କା ପୂରଣ ସ୍ଥାନରେ ପୂର୍ବରୁ ଗ୍ୟାପ୍ ରଖିବା ଏବଂ ପରେ ସେ ସ୍ଥାନରେ ମନଇଛା ସଂଖ୍ୟା ଲେଖି ଟଙ୍କା ଉଠାଇବା। ଧାମନଗରରେ ମାତିଥିବା ଏଭଳି ଅଭିନବ ଲୁଟ୍ ପୋଲିସର ନିଦ ହଜାଇ ଦେଇଛି। ସ୍ବତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଜାରି ରଖିଛି ପୋଲିସ। ସେପଟେ ଅଜଣା ବ୍ୟକ୍ତିଙ୍କୁ ଚେକ୍ ନଦେବାକୁ ସତର୍କ କରିଛନ୍ତି ବ୍ୟାଙ୍କ ଅଧିକାରୀ।