• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପିଟିପିଟି ମାରିଦେଲେ ସାର୍ ! ଜଣେ ଛାତ୍ରଙ୍କୁ ସ୍କୁଲ ସାର୍‌ ଏମିତି ପିଟିଲେ ଯେ, ତାକୁ ମେଡିକାଲରେ ଭର୍ତ୍ତି କରିବାକୁ ପଡ଼ିଲା । ଆଉ ଚିକିତ୍ସା ଅବସ୍ଥାରେ ତାଙ୍କର ମୃତ୍ୟୁ ହେଲା । ତେବେ ଘଟଣାଟି ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ଜଣେ ସାର୍‌ଙ୍କ ମନରେ ଏତେ ରାଗ କାହିଁକି ଆସିଲା, ଆଉ ଏମିତି କାହିଁକି ପିଟିଲେ । ଏଭଳି ପ୍ରଶ୍ନ ନିଶ୍ଚୟ ଆପଣଙ୍କ ମନରେ ଆସୁଥିବ । କ’ଣ ଜଣେ ଶିକ୍ଷକ କେବେ ଏତେ ନିର୍ଦୟ ହୋଇପାରନ୍ତି ? ଏହି ଘଟଣା ଉତ୍ତର ପ୍ରଦେଶର ଆଉରିୟା ଜିଲ୍ଲାରୁ ସାମ୍ନାକୁ ଆସିଛି । ଏଠାରେ ଜଣେ ୧୦ ଶ୍ରେଣୀ ଦଳିତ ଛାତ୍ରଙ୍କ କ୍ଷେତ୍ରରେ ଏଭଳି ଘଟିଛି । ଶିକ୍ଷକ ତାଙ୍କୁ ପିଟି ପିଟି ଗୁରୁତର କରିଥିଲେ, ଆଉ ତାପରେ ମେଡିକାଲରେ ତାଙ୍କର ମୃତ୍ୟୁ ଘଟିଲା । ଛାତ୍ରଙ୍କ ନାଁ ନିଖିଲ ଧୋରେ ।

ନିଖିଲ ପରୀକ୍ଷାରେ ଭୁଲ୍‌ କରିଥିବାରୁ ସାମାଜିକ ବିଜ୍ଞାନ ପଢ଼ାଉଥିବା ସାର୍ ସେପ୍ଟେମ୍ବର ୭ ତାରିଖରେ ମାଡ଼ ମାରିଥିଲେ । ଏହାପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଥିଲା । ନିଖିଲ ଗୁରୁତର ହୋଇପଡ଼ିଥିଲେ । ତାଙ୍କୁ ମେଡିକାଲରେ ଭର୍ତ୍ତି କରିବାକୁ ପଡ଼ିଥିଲା । ସେଠାରେ କିଛି ଦିନ ସେ ଚିକିତ୍ସିତ ମଧ୍ୟ ହୋଇଥିଲେ । ନିଖିଲଙ୍କ ସ୍ୱାସ୍ଥ୍ୟ ସେବାରେ ଯାହା ଖର୍ଚ୍ଚ ହେଉଥିଲା ସେଥିରେ ଉକ୍ତ ଶିକ୍ଷକ ମଧ୍ୟ ସହଯୋଗ କରିଥିଲେ ।

ହେଲେ ସେପ୍ଟେମ୍ବର ୨୪ ତାରିଖରେ ନିଖିଲଙ୍କ ବାପା ରାଜୁ ଧୋରେ ଅଚଲଦା ଥାନାରେ ପହଞ୍ଚି ଉକ୍ତ ଶିକ୍ଷକଙ୍କ ନାଁରେ ଏକ ମାମଲା ରୁଜୁ କରିଥିଲେ । ସେଥିରେ ସେ ଅଭିଯୋଗ କରିଥିଲେ ଯେ, ତାଙ୍କ ପୁଅକୁ ମାଡ଼ ମାରିଥିବା ଶିକ୍ଷକ ଚିକିତ୍ସାଜନିତ ଖର୍ଚ୍ଚରେ ସହଯୋଗ କରୁନାହାନ୍ତି । ଏହାସହ ଦଳିତ ହୋଇଥିବାରୁ ତାଙ୍କୁ ଜାତିଆଣ ଆକ୍ଷେପ କରି ଖରାପ ଭାଷାରେ ଗାଳିଗୁଲଜ ମଧ୍ୟ କରୁଛନ୍ତି । ଏହାରି ଭିତରେ ନିଖିଲଙ୍କ ଚିକିତ୍ସା ଅବସ୍ଥାରେ ମୃତ୍ୟୁ ହୋଇଥିଲା ।

ତେବେ ଅଭିଯୋଗକୁ ଭିତ୍ତି କରି ଥାନାରେ ଅଭିଯୁକ୍ତ ଶିକ୍ଷକ ଅଶ୍ୱିନୀ ସିଂହଙ୍କ ନାଁରେ ମାମଲା ରୁଜୁ କଲା ପୋଲିସ । ଏହାସହ ତାଙ୍କୁ ଗିରଫ କରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଛି । ଏହାସହ ସ୍ଥାନୀୟ SP କହିଛନ୍ତି ଯେ, ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉଛି । ଛାତ୍ର ମୃତ୍ୟୁର ପ୍ରକୃତ କାରଣ କ’ଣ ସେନେଇ ମଧ୍ୟ ତଦନ୍ତ କରାଯାଉଛି ।