/odishatv-khabar/media/post_attachments/uploadimage/library/16_9/16_9_0/IMAGE_1663346958.jpg)
Cyber fraudster dupes woman
ହନି ଟ୍ରାପ୍, ଇମୋସନାଲ ବ୍ଲାକ୍ ମେଲିଂ। ଶିକାର ବନିଗଲେ ବିବାହ ଲୋଭରେ ପଡ଼ିଥିବା ଉଚ୍ଚଶିକ୍ଷିତ ଯୁବତୀ। ରାଜ୍ୟରେ ଦିନକୁ ଦିନ ସାଇବର ଠକଙ୍କ କଳା କାରନାମା ବଢି ଚାଲୁଥିବା ବେଳେ ସେମାନଙ୍କ ଜାଲରେ ପଡ଼ି ୮ ଲକ୍ଷ ଟଙ୍କା ଠକେଇର ଶିକାର ହୋଇଛନ୍ତି କଟକ ବିଡ଼ାନାସୀର ଯୁବତୀ। କଟକ ସାଇବର ଥାନାରେ ହୋଇଥିବା ଯୁବତୀଙ୍କ ଏତଲା ଅନୁସାରେ କିଛି ଦିନ ତଳେ ଇନଷ୍ଟାଗ୍ରାମରେ ଫ୍ରେଣ୍ଡ୍ ରିକ୍ୟୁଏଷ୍ଟ ପଠାଇଥିଲେ। ଜଣେ ଅପରିଚିତ ନିଜକୁ ସ୍କଟଲାଣ୍ଡର ମହମ୍ମଦ ଡାନିଏଲ ବୋଲି ପରିୟଚ ଦେଇ ପ୍ରଥମେ ବନ୍ଧୁତା ଓ ପରେ ପ୍ରେମ ନିବେଦନ କରିଥିଲେ। ଏଥିରେ ସଫଳ ହେବା ପରେ ବିବାହ ପ୍ରତିଶ୍ରୁତି ଦେଇ ଆରମ୍ଭ କରିଥିଲେ ଠକେଇ ଚାଲ୍। ପ୍ରେମିକାଙ୍କୁ ସ୍କଟଲାଣ୍ଡରୁ ଦାମୀ ଗିଫ୍ଟ ପଠାଉଥିବା କହି ଏହାର ଏକ ଭିଡିଓ ପଠାଇଥିଲେ। ଏ ଭିଡିଓ ଦେଖି ସହଜରେ ବିଶ୍ୱାସ କରିଥିଲେ ଯୁବତୀ। ଆଉ ତା ପରେ ବିଭିନ୍ନ ବାହାନା ଦେଖାଇ ପର୍ଯ୍ୟାୟ ପରେ ପର୍ଯ୍ୟାୟ ପ୍ରାୟ ୭ ଲକ୍ଷ ୯୫ ହଜାର ଟଙ୍କା ଲୁଟିଥିଲା।
ଏପଟେ ସ୍ମାର୍ଟ ସିଟି ଭୁବନେଶ୍ୱରରେ ବି ଭିନ୍ନ ଭିନ୍ନ ତରିକାରେ ଦୁଇ ଜଣଙ୍କୁ ଫସାଇବାରେ ସଫଳ ହୋଇଛନ୍ତି ସାଇବର ଲୁଟେରା। ଭୁବନେଶ୍ୱର ସାଇବର ଥାନା ହୋଇଥିବା ଏତଲା ଅନୁଯାୟୀ ଇଣ୍ଟରନଟେରରେ ଠକ ସଂସ୍ଥା କେପିପି ମଲ ଡଟ୍ କମ୍ ନାଁରେ ଏକ ସଂସ୍ଥା ଯୋଗାଯୋଗରେ ଆସିଥିଲେ ଭୁବନେଶ୍ୱରର ଜଣେ ଶିକ୍ଷକ। ସେଠାରୁ ଜିନିଷ କିଣିଲେ ମୋଟା ଅଙ୍କର କମିଶନ୍ ଓ ରିଓ୍ୱାର୍ଡ ମିଳିବାର ଲୋଭ ଦେଖାଇ ତାଙ୍କଠାରୁ ପ୍ରଥମେ ୧ ଲକ୍ଷ ଓ ପରେ ୮୨ ହଜାର ଟଙ୍କ ଠକି ନେଇଥିବା ଅଭିଯୋଗ ହୋଇଛି।
ସେହିଭଳି ଏକ ଆହତ ବୁଲା କୁକୁରକୁ ସହାୟତା କରିବାକୁ ଯାଇ ଅନଲାଇନ୍ ଫ୍ରଡ୍ର ଶିକାର ହୋଇଛନ୍ତି ରାଜଧାନୀର ଜଣେ ଯୁବତୀ। ଯୁବତୀଜଣକ ଏତଲାରେ ଦର୍ଶାଇଛନ୍ତି ଯେ, ଗୁଗୁଲରେ ଆନିମଲ କେୟାର ନମ୍ବର ଖୋଜୁ ଖୋଜୁ ସାଇବର ଠକଙ୍କ ହାବୁଡ଼ରେ ପଡ଼ିଥିଲେ ସେ। ସର୍ଭିସ ପ୍ରୋଭାଇଡର ପରିଚୟ ଦେଇ ଠକ ତାଙ୍କୁ ପ୍ରଥମେ ୫ ଟଙ୍କାର ରେଜିଷ୍ଟ୍ରେସନ୍ କରିବାକୁ କହିଥିଲା। ପରେ କୌଶଳ କ୍ରମେ ଆକାଉଣ୍ଟ ନମ୍ବର, କାର୍ଡ ନମ୍ବର ନେବାପରେ ସ୍କ୍ରିନ୍ ସେୟାର ଆପ ଜରିଆରେ ୫ ହଜାର ଲୁଟି ନେଇଥିବା ସାଇବର ଥାନାରେ ଅଭିଯୋଗ ହୋଇଛି।
ରିପୋର୍ଟ: ଦେବାଶିଷ ମହାନ୍ତି, କଟକ ଓ ଆଲୋକ ମହାନ୍ତି, ଭୁବନେଶ୍ୱର
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)