Criminology Student Kills woman: ଜଣକୁ ହତ୍ୟା କଲେ କେମିତି ଲାଗେ… ଜାଣିବାକୁ କ୍ରିମିନୋଲୋଜି ଛାତ୍ରଙ୍କ ଭୟଙ୍କର କାଣ୍ଡ

‘କେମିତି ଅନୁଭବ ହେଉଛି’ ଜାଣିବା ପାଇଁ କ୍ରିମିନୋଲୋଜି ଛାତ୍ର ମାରିଦେଲା ମହିଳାଙ୍କୁ । ଜହ୍ନରାତିରେ ସମୁଦ୍ର କୂଳରେ ଅଚାନକ ଛୁରୀ ଭୁସି ଚାଲିଲା ଦୁଇ ମହିଳାଙ୍କୁ ।

ପ୍ରକୃତ ଅପରାଧ ଜାଣିବାକୁ...

ଛାତ୍ରଙ୍କ ମନକୁ ବେଳେ ବେଳେ ଅଜବ ଚିନ୍ତା ଆସେ । କଣ ହେଉଛି, କାହିଁକି ହେଉଛି, କେମିତି ହେଉଛି, ଜାଣିବା ପାଇଁ ଇଚ୍ଛା ହୁଏ । ଜିଜ୍ଞାସା ହୁଏ, କଣ ଘଟୁଛି ଜାଣିବା ପାଇଁ । ଯଦି ଏହି ଜିଜ୍ଞାସା ଅତି ହୋଇଯାଏ, ତେବେ ଛାତ୍ର ଜଣକ ହିତାହିତ ଜ୍ଞାନ ଭୁଲି ଅପରାଧ କରିବାକୁ ବି ପଛାଏ ନାହିଁ । ଏମିତି ଏକ ଘଟଣା ଘଟିଛି ଇଂଲଣ୍ଡରେ । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ମନୋବିଜ୍ଞାନୀମାନେ । ଅନ୍ତର୍ଜାତୀୟ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇଛି । ଘଟଣାଟି ଏହିପରି… ।

ବାଲି ଉପରେ ବସିଥିଲେ ଦୁଇଜଣ ମହିଳା । ଶୁଖିଲା କାଠରେ ନିଆଁ ଲଗାଉଥିଲେ ଓ ପୂର୍ଣ୍ଣ ଚନ୍ଦ୍ରକୁ ଦେଖୁଥିଲେ । ନିରୋଳାରେ ବସି ଆକାଶକୁ ଚାହିଁ ରହିଥିଲେ । ପରସ୍ପର ମଧ୍ୟରେ ହାଲକାଫୁଲକା କଥା ହେଉଥିଲେ । କ୍ରିମିନୋଲୋଜିର ଛାତ୍ର ନାସେନ ସାଦି ସେହି ସମୟରେ ଏଇ ଦୁଇ ମହିଳାଙ୍କୁ ସମୁଦ୍ର କୂଳରେ ଦେଖିଥିଲା । ତା’ର ପ୍ରବଳ ଇଚ୍ଛା ଥିଲା ଜାଣିବା ପାଇଁଯେ, ଜଣଙ୍କୁ ହତ୍ୟା କରିବା ବେଳେ କେମିତି ଅନୁଭବ ହୁଏ । ସେଇ ଅନୁଭବକୁ ଜାଣିବା ପାଇଁ ସେ ଏଇ ଦୁଇ ମହିଳାଙ୍କୁ ଏକ ନିଛାଟିଆ ସ୍ଥାନରେ ସମୁଦ୍ର କୂଳରେ ଦେଖି ଛୁରୀ ମାରି ଚାଲିଲା ।

ନାସେନ୍ ସାଦି ନାମକ ଏହି ଛାତ୍ରର ବୟସ ୨୦ ବର୍ଷ । ସେ ୩୪ ବର୍ଷୀୟା ଆମି ଗ୍ରେଙ୍କୁ ହତ୍ୟା କରିଥିବା ବେଳେ ଅନ୍ୟ ଜଣେ ମହିଳା ଲିନ୍ ମାଇଲ୍ସଙ୍କୁ ଗୁରୁତର ଭାବେ ଆହତ କରିଛି । ଇଂଲଣ୍ଡର ବର୍ଣ୍ଣେମାଉଥର ଡୁର୍ଲେ ଚାଇନ୍ ସମୁଦ୍ର କୂଳରେ ସେ ଏହି ଅପରାଧ ଘଟାଇବା ବେଳେ ଆଗ ପଛ କିଛି ଚିନ୍ତା କରିପାରିନଥିଲା । କେବଳ ଅନୁଭବ ପାଇଁ ସେ ହତ୍ୟା କରିବାକୁ ସମୁଦ୍ର କୂଳକୁ ହିଁ ସଠିକ ସ୍ଥାନ ବୋଲି ବାଛିଥିଲା ।

ଅଧିକ ପଢନ୍ତୁ: ବିଷ ଦେଇ ୧୨ ଜଣଙ୍କୁ ମାରିଥିବା ଜଣେ ବାବାର କାହାଣୀ

ଗ୍ରେଙ୍କୁ ସେ ୧୦ ଥର ଛୁରୀ ଭୁସିଥିଲା । ତାଙ୍କ ହାର୍ଟରେ ବାଜିଥିଲ ଛୁରୀ । ସେଇଠି ବାଲି ଉପରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ମାଇଲ୍ସଙ୍କୁ ସେ ୨୦ ଥର ଛୁରୀ ଭୁସିଥିଲା । ସୌଭାଗ୍ୟକ୍ରମେ ସେ ବଞ୍ଚିଯାଇଛନ୍ତି । କିନ୍ତୁ ତାଙ୍କର ଅବସ୍ଥା ସଙ୍କଟାପନ୍ନ ଥିଲା। ସାଦି ଭାବି ନେଇଥିଲା, ଦୁଇ ଜଣଙ୍କର ନିଶ୍ଚିତ ମୃତ୍ୟୁ ହୋଇଯିବ । ଦୁଇଜଣ ଯାକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲେ । ଘଟଣାସ୍ଥଳରୁ ଚାଲି ଯାଇ ସାଦି ଅଳ୍ପ ଦୂରରେ ଲୁଚିଯାଇଥିଲା । ରାସ୍ତାକଡର ଆଲୁଅ କି ଜହ୍ନର ଆଲୁଅରେ ଯେମିତି ସେ ଦେଖାନଯିବ, ସେଥିପାଇଁ ଦୂରକୁ ଚାଲିଗଲା ।

ତଦନ୍ତ କରି ପୋଲିସ୍ ତାକୁ ଧରିବାରେ ସଫଳ ହେଲା । ସେ ବି ଅପରାଧ ଘଟାଇଥିବାର ସ୍ୱୀକାର କଲା । ପ୍ରକୃତ ଅପରାଧ ବିଷୟରେ ଜାଣିବା ପାଇଁ ସେ ଏପରି କରିଥିଲା । ମୃତକ ଓ ଆହତଙ୍କ ସହ ତା’ ର କୌଣସି ବ୍ୟକ୍ତିଗତ ଶତ୍ରୁତା ନଥିଲା କି ସେମାନଙ୍କୁ ସେ ଚିହ୍ନିନଥିଲା । ଘଟଣା ଘଟିବାର ପରଦିନ ସେ ସେହି ଅଞ୍ଚଳ ଛାଡି ଚାଲିଯାଇଥିଲା । ପୋଲିସ ତାକୁ ଗିରଫ କରିବା ପରେ ତା’ଠାରୁ ଛୁରୀ ମଧ୍ୟ ଜବତ କରିଥିଲା । ଗତ ମେ' ମାସରେ ଏହି ଘଟଣା ଘଟିଥିବା ବେଳେ ଏବେ କୋର୍ଟରେ ଏହି ମାମଲାର ବିଚାର ଚାଲିଛି । ସାଦି ନିର୍ଦ୍ଦୋଷ ବୋଲି ତା’ ର ଓକିଲ କୋର୍ଟରେ ଯୁକ୍ତି ଦର୍ଶାଇଛନ୍ତି ।

ଅଧିକ ପଢନ୍ତୁ: ବୀଭତ୍ସ ... ବର୍ବର !! ପ୍ରଜାକୋର୍ଟରେ ସ୍ୱାମୀ ସାମନାରେ ପତ୍ନୀଙ୍କ ଗଳା କାଟି ହତ୍ୟା କଲେ ମାଓବାଦୀ