• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମାନସ ସ୍ୱାଇଁ ହତ୍ୟା ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛି କଂଗ୍ରେସ । ରାଜ୍ୟରେ ଆଇନ୍‌ଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଛି ବୋଲି କହି ସରକାରଙ୍କୁ ସମାଲୋଚନା କରିଛି କଂଗ୍ରେସ । ପେନଡ୍ରାଇଭ୍ ପାଇଁ ମମିତାଙ୍କର ଓ ମେମୋରି ଚିପ୍ ପାଇଁ ମାନସଙ୍କ ଜୀବନ ଗଲା । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଛି । ପ୍ରତିଦିନ ରାଜ୍ୟରେ ହତ୍ୟା, ଦୁଷ୍କର୍ମ, ଲୁଟ୍ ଭଳି ମାମଲା ବଢ଼ି ଚାଲିଛି ବୋଲି ଅଭିଯୋଗ କରି ପୋଲିସ୍ ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ ।

ମାନସ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ କରୁଛନ୍ତି । ହେଲେ ପୋଲିସ୍ କିପରି ତାଙ୍କୁ ଧରି ପାରୁନି ? ଦୁଇ ଥର ଜେରା ପରେ ତାଙ୍କୁ କାହିଁକି ଛାଡ଼ି ଦେଇଥିଲା ବୋଲି କଂଗ୍ରେସ ପ୍ରଶ୍ନ କରିଛି । ଶର୍ମିଷ୍ଠାଙ୍କ ସମ୍ପର୍କ ବଡ଼ ନେତାଙ୍କ ସହ ରହିଛି ତେଣୁ ତଦନ୍ତ ପ୍ରଭାବିତ ହୋଇଥିବା ଅଭିଯୋଗ କରିଛି ଦଳ । ସେପଟେ କଂଗ୍ରେସର ଅଭିଯୋଗ ନେଇ ରାଜ୍ୟ ସରକାର କିମ୍ବା ଭଦ୍ରକ ପୋଲିସ୍‌ର ପ୍ରତିକ୍ରିୟା ମିଳିପାରିନି ।

ତେବେ କୁଆଡ଼େ ଗଲେ ଶର୍ମିଷ୍ଠା ରାଉତ ? କେଉଁଠି ଲୁଚିଛନ୍ତି ? କିଏ ତାଙ୍କୁ ସହାୟତା କରୁଛି ? ଏବେ ଏସବୁ ଦିଗକୁ ନେଇ ଖୋଲତାଡ଼ କରୁଛି ଭଦ୍ରକ ପୋଲିସ୍ । ଓଡ଼ିଶା ବାହାରେ ତିିନିଟି ଟିମ୍ ଏବଂ ରାଜ୍ୟ ଭିତରେ ଶର୍ମିଷ୍ଠାଙ୍କୁ ଧରିବାକୁ ତଦନ୍ତ ଚାଲିଛି । ପୋଲିସ୍ କାହାରି ଚାପରେ ନାହିଁ, ତଦନ୍ତ ନିରପକ୍ଷ ଭାବେ ହେଉଛି ବୋଲି କହିଛନ୍ତି ଭଦ୍ରକ ଏସ୍‌ପି ଚରଣ ସିଂହ ମୀନା । ପୂର୍ବରୁ ଦୁଇ ଥର ପୋଲିସ୍ ଶର୍ମିଷ୍ଠାଙ୍କୁ ଡାକି ପଚରାଉଚରା ପରେ କାହିଁକି ଛାଡ଼ିଦେଇଥିଲା ପୋଲିସ୍, ଏନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଏସ୍‌ପି ା

ସେ କହିଛନ୍ତି ମାନସଙ୍କ ପରିବାର ଲୋକେ ପୁଅ ନିଖୋଜ ହୋଇଥିବା ନେଇ ଏତଲା ଦେଇଥିଲେ । ସେ ନେଇ ପ୍ରାଥମିକ ତଦନ୍ତରେ ଶର୍ମିଷ୍ଠାଙ୍କୁ ଦୁଇ ଥର ପଚରାଉଚରା କରାଯାଇଥିଲା । ହେଲେ ମୃତଦେହ ମିଳିବା ପରେ ଶର୍ମିଷ୍ଠାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଥିଲା । ସେତେବେଳେ ସେ ଫେରାର ହୋଇଯାଇଥିବା ଏସ୍‌ପି ଦୋହରାଇଛନ୍ତି । ସେପଟେ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ଆଗୁଆ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହୋଇଛି ।  ଅପରପକ୍ଷେ ଗିରଫ ପୂର୍ବତନ ଓଆଇଏସ୍ ନିରଞ୍ଜନ ସେଠୀ ଓ ଅନ୍ୟ ଅଭିଯୁକ୍ତ ରାଜ ନାୟକଙ୍କୁ ଏବେ ରିମାଣ୍ଡରେ ନେବନି ଭଦ୍ରକ ପୋଲିସ୍ ।

ଅନ୍ୟପଟେ ଏହି ମାମଲାରେ ପୋଲିସକୁ ଆଉ ଏକ ସଫଳତା ମିଳିଛି । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ଭାଇକୁ ଧରିଲା ପୋଲିସ । ଶର୍ମିଷ୍ଠାଙ୍କ ଭାଇ ପରମେଶ୍ୱରଙ୍କୁ କବ୍‌ଜାକୁ ନେଇଛି ପୋଲିସ । ପରମେଶ୍ୱର ରାଉତଙ୍କୁ ବିଜୟୱାଡ଼ାରୁ ଧରିଛି ପୋଲିସ । ପରାମେଶ୍ୱର ବିଜୟୱାଡ଼ାରେ ରହି ଶର୍ମିଷ୍ଠାଙ୍କ ଫେରାର୍ ହେବା ନେଇ ପ୍ଲାନ କରିଥିଲେ । ଶର୍ମିଷ୍ଠା କେମିତି ଖସିଯାଇପାରିବେ, ସେନେଇ ପ୍ଲାନ୍ କରିଥିଲେ ପରମେଶ୍ୱର । ତେବେ ଶର୍ମିଷ୍ଠା କିନ୍ତୁ ବିଜୟୱାଡ଼ା ଯାଇନଥିବା ସୂଚନା ମିଳିଛି । ଶର୍ମିଷ୍ଠା ଏବେ କେଉଁଠି, ସେନେଇ ପୋଲିସ ସ୍ପଷ୍ଟ ହୋଇପାରିନି । ପରମେଶ୍ୱରଙ୍କୁ ଜେରା ବେଳେ ଶର୍ମିଷ୍ଠାଙ୍କ ଅବସ୍ଥିତି ଜଣାପଡ଼ିବା ନେଇ ଆଶା ରଖିଛି ପୋଲିସ ।