Astrospeak
  • Live TV
  • Read In English

Fake Police: କମିଶନରେଟ୍ ପୋଲିସର ନିଦ ହଜାଇଛି ନକଲି ଡିଏସପିର ନକଲ ଫଣ୍ଡା

ଅସଲିଙ୍କ ହୋସ୍ ଉଡ଼ାଉଛି ନକଲି ପୋଲିସ। ତା’ର ନକଲ ଫଣ୍ଡା ଆଛା ଆଛା ଖାକି ବାବୁଙ୍କୁ ଏବେ ଚିନ୍ତାରେ ପକାଇ ଦେଇଛି। ଜାଲ୍ କାଗଜପତ୍ର ଜରିଆରେ ଏବଂ ବେଶଭୂଷା ବଦଳାଇ ନକଲି ଡିଏସପି ସାଜିଥିବା ମାନସ ରଞ୍ଜନ ସେନାପତିର ଏହି ଚିତ୍ରକୁ ନେଇ କମିଶନରେଟ୍ ପୋଲିସରେ ଏବେ କମ୍ପନ।

dsp
dsp

ନାକେଦମ୍ କରୁଛି ନକଲି ଡିଏସପିର ନକଲ ଫଣ୍ଡା। ନିଦ ହଜିଗଲାଣି କମିଶନରେଟ୍ ପୋଲିସର। ନକଲି ଡିଏସପିର ମୂଳ ଖୋଜିବାକୁ ଧା’ ଦୌଡ଼ ଭିତରେ ସାମ୍ନାକୁ ଆସିଛି, ଭୁବନେଶ୍ବରରେ ପିସିଆର୍ କଣ୍ଟ୍ରୋଲ ରୁମରେ ବସି ଡ୍ୟୁଟି କରୁଥିବାର ଚିତ୍ର। ଏପରିକି ଡିଏସପି ରାଙ୍କକୁ ପ୍ରମୋଶନ ପାଇଥିବାର ଏକ ଚିଠି ବି ନକଲି ଡିଏସପି ମାନସ ସେନାପତିର ସୋସିଆଲ୍ ମିଡ଼ିଆ ଆକାଉଣ୍ଟରୁ ମିଳିଛି। ଏସବୁ ଫଟୋ ଏବଂ ଚିଠି ସତ ନା ମିଛ, କମିଶନରେଟ୍ ପୋଲିସ ତାହାର ଯାଞ୍ଚ ଚଳାଇଛି।

ଅଧିକ ପଢ଼ନ୍ତୁ: କଟକ SCBରେ ଶିଶୁ ବଦଳ ଅଭିଯୋଗ ମାମଲା, ଜବାବ ଦାଖଲ ପାଇଁ ପ୍ରତିପକ୍ଷଙ୍କୁ ନୋଟିସ୍‌ କଲେ ହାଇକୋର୍ଟ

ଅସଲିଙ୍କ ହୋସ୍ ଉଡ଼ାଉଛି ନକଲି ପୋଲିସ। ତା’ର ନକଲ ଫଣ୍ଡା ଆଛା ଆଛା ଖାକି ବାବୁଙ୍କୁ ଏବେ ଚିନ୍ତାରେ ପକାଇ ଦେଇଛି। ଜାଲ୍ କାଗଜପତ୍ର ଜରିଆରେ ଏବଂ ବେଶଭୂଷା ବଦଳାଇ ନକଲି ଡିଏସପି ସାଜିଥିବା ମାନସ ରଞ୍ଜନ ସେନାପତିର ଏହି ଚିତ୍ରକୁ ନେଇ କମିଶନରେଟ୍ ପୋଲିସରେ ଏବେ କମ୍ପନ। ଥରେ ଦେଖନ୍ତୁ ମାନସର ସୋସିଆଲ୍ ମିଡ଼ିଆ ଆକାଉଣ୍ଟରୁ ମିଳିଥିବା ଏହି ଫଟୋକୁ। ଭୁବନେଶ୍ବର ଡିସିପି ଅଫିସରେ ଥିବା PCR କଣ୍ଟ୍ରୋଲ ରୁମରେ ବସି କାମ କରୁଛି, ପୁରା ଦବଙ୍ଗ ଷ୍ଟାଇଲରେ। କଡ଼ରେ ବସିଛନ୍ତି ସିଗ୍ନାଲ୍ ଡିସିପି ବାନାମ୍ବର ସେଠୀଙ୍କ ସହ ଅନ୍ୟ ଜଣେ ଅଧିକାରୀ। ଏ ହେଉଛି ସେହି କଣ୍ଟ୍ରୋଲ ରୁମ୍, ଯେଉଁଠୁ କାହାର ବିପଦ ଆପଦ ପଡ଼ିଲେ ପିସିଆର ଭ୍ୟାନକୁ ଦିଆଯାଏ କମାଣ୍ଡ। ହେଲେ ସେହି କଣ୍ଟ୍ରୋଲରେ ନକଲି ଡିଏସପି ମାନସ ସେନାପତି। ତେବେ ଏହି ଫଟୋ ଅସଲି ନା ନକଲି, ପୋଲିସ ତଦନ୍ତ ଚଳାଇଥିବାବେଳେ କମିଶନରେଟ୍ ପୋଲିସରେ ଚର୍ଚ୍ଚା, PCR କଣ୍ଟ୍ରୋଲ ରୁମ୍ ଯାଏଁ କେମିତି ପହଞ୍ଚିଲା ଏହି ଧୂର୍ତ୍ତ ଠକ ? ଏ ସଂପର୍କରେ ପୋଲିସ କମିଶନରଙ୍କ କୈଫିୟତ୍ ତଲବ ପରେ ସିଗ୍ନାଲ ଡିସିପି ବାନାମ୍ବର ସେଠୀ ହାଜର ହୋଇ ପକ୍ଷ ରଖିଛନ୍ତି।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଫଟୋ ୨୦୨୦ କୋଭିଡ୍ ସମୟର। କେବେ ପିସିଆର କଣ୍ଟ୍ରୋଲ୍ ରୁମ ତ କେବେ ରାସ୍ତା କଡ଼ରେ ଡ୍ୟୁଟି କରୁଥିଲା ସେ। କେବଳ କମିଶନରେଟ୍ ପୋଲିସ ନୁହେଁ, ଭଦ୍ରକ ପୋଲିସରେ ମଧ୍ୟ ଏହି ନକଲି ବାବୁଙ୍କ ଦବଦବା ଥିବା କୁହାଯାଉଛି। ଏବେ ଦେଖନ୍ତୁ ସୋସିଆଲ୍ ମିଡ଼ିଆରୁ ମିଳିଥିବା ଡିଏସପି ପଦର ପ୍ରମୋଶନ ଲେଟରକୁ। ଗତକାଲି ଆପଏଣ୍ଟମେଣ୍ଟ ଲେଟର୍ ଦେଖାଇଥିଲୁ ଆମେ, ଏବେ ଦେଖନ୍ତୁ ପ୍ରମୋଶନ ଲେଟରକୁ। ରାଜ୍ୟ ଗୃହ ବିଭାଗର ବିଜ୍ଞପ୍ତିରେ ରହିଛି ମାନସର ନାଁ। ଅର୍ଥାତ ସବୁକିଛି ସରକାରୀ ବିଧି ବ୍ୟବସ୍ଥାରେ କରିଛି। ଯାହାର ଏବେ ଖୋଳତାଡ଼ କରୁଛି ପୋଲିସ।

ଆଶ୍ଚର୍ଯ୍ୟର କଥା ହେଉଛି, ସୁରକ୍ଷା ବ୍ୟବସ୍ଥାର ଦାୟିତ୍ବରେ ଥିବା ପୋଲିସକୁ ଏତେଦିନ ଧରି ମାନସ ଚକମା ଦେଉଥିଲା କେମିତି ? ଏସବୁ ଫଟୋ ଓ ସରକାରୀ ଚିଠି ଯଦି ସତ, ତେବେ ଦୀର୍ଘ ୫ ବର୍ଷ ଧରି କେମିତି ଜଣେ ନକଲି ଏବଂ ଠକକୁ ଆଶ୍ରୟ ଦିଆଯାଇଥିଲା କମିଶନରେଟ୍ ପୋଲିସରେ ? ଏତେଦିନ ଧରି କେହି ଜାଣିପାରିଲେ ନାହିଁ କେମିତି ? ନକଲି ପୋଲିସର ଏଭଳି ଖତରନାକ୍ ଖେଳ ଭିତରେ ଗତକାଲି ଜବତ ଜାଲ୍ ନୋଟକୁ ନେଇ ବି ଉଠିଛି ନାନା ପ୍ରଶ୍ନ। ୧ ଲକ୍ଷ ୯୩ ହଜାର ଟଙ୍କାର ଜାଲ୍ ନୋଟ କେଉଁଠୁ ଆସିଲା ? କୁଆଡ଼େ ଯାଉଥିଲା ? ଏହା ପଛରେ ଆଉ କିଏ ? ଖାକି ପୋଷାକକୁ ସୁରକ୍ଷା କବଚ ସଜାଇ ଜାଲ୍ ନୋଟର ବେପାର ଚଳାଇଥିଲା କି ଏହି ନକଲି ଡିଏସପି ? ଏ ସଂପର୍କରେ ବିସ୍ତୃତ ତଥ୍ୟ ଜାଣିବା ପାଇଁ ପୁଣି ଏକ ମାମଲା ରୁଜୁ କରି ତଦନ୍ତ କରାଯିବା ସହ ଅଭିଯୁକ୍ତକୁ ଖୁବଶୀଘ୍ର ରିମାଣ୍ଡରେ ଅଣାଯିବ ବୋଲି ପୋଲିସ କମିଶନର କହିଛନ୍ତି।

ଅଧିକ ପଢ଼ନ୍ତୁ: ଅମଳ ବେଳେ ଅଭାବୀ ବିକ୍ରି, ଚାଷୀଙ୍କୁ ମିଳୁନି ଅଦାର ଉଚିତ ମୂଲ୍ୟ