• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଟ୍ରେନ୍ ଯାତ୍ରୀ, ବିଶେଷ କରି ଛୁଟିରେ ଫେରୁଥିବା ଯବାନଙ୍କୁ ନିଶା ଦେଇ ରାଜଧାନୀରେ ଲୁଟତରାଜ ଚଳାଇଥିବା ଲଣ୍ଡା ଗ୍ୟାଙ୍ଗର ୪ ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ୍ । ଏହି ଗ୍ୟାଙ୍ଗରେ ସାମିଲ ଥିବା ଲେଡି ଲୁଟେରା ମୁସ୍କାନ୍, ନିଜ ରୂପରେ ଯାତ୍ରୀଙ୍କୁ ପ୍ରଥମେ ଫସାଉଥିଲା । ପରେ ଚା’ କିମ୍ବା ଥଣ୍ଡା ପାନୀୟରେ ନିଶା ଦେଇ ବେହୋସ୍ କରିବା ପରେ ଲୁଟ୍‌ପାଟ କରୁଥିଲେ ତାର ସହଯୋଗୀ ଲଣ୍ଡା ଓ ସାନ ଲଣ୍ଡା । ଏହି ସୁନ୍ଦରୀ ଲୁଟେରା ସମେତ ପୁରା ଗ୍ୟାଙ୍ଗକୁ ତଡ଼ିପାର କରିବାକୁ ଯୋଜନା କରୁଛି ପୋଲିସ୍ ।

ମଡର୍ଣ୍ଣ ଲୁକ୍, ସ୍ମାର୍ଟ ଚେହେରା । କିନ୍ତୁ ରୂପ ଦେଖି ଟିକେ ଅସାବଧାନ ହେଲେ ହଣ୍ଡ୍ରେଡ୍ ପର୍ସେଣ୍ଟ ଧୋକ୍କା ଖାଇବାର ଆଶଙ୍କା । ଇଏ ସେହି ଯୁବତୀ, ଯାହାଙ୍କ ପାଲରେ ପଡ଼ି ଲୁଟର ଶିକାର ହୋଇଛନ୍ତି ବହୁ ଟ୍ରେନ୍ ଯାତ୍ରୀ । ଏ ହେଉଛି ଧଉଳି ଅଞ୍ଚଳର ମୁସ୍କାନ ଓରଫ୍ ସରିଫା ଖାତୁନ୍ । ବୟସ ପାଖାପାଖି ୨୨ । ନିଜ ରୂପର ପସରା ମେଲାଇ ଟ୍ରେନ ଯୋଗେ ଭୁବନେଶ୍ୱର ଷ୍ଟେସନରେ ଓହ୍ଲାଉଥିବା ଯାତ୍ରୀଙ୍କୁ ସେ କରୁଥିଲା ଟାର୍ଗେଟ୍ । ଆଉ ଏଥିପାଇଁ ମୁସ୍କାନ ଗଢ଼ିଥିଲା ଲଣ୍ଡା ଗ୍ୟାଙ୍ଗ । ଗ୍ୟାଙ୍ଗର ଟାର୍ଗେଟରେ ଥିଲେ ଛୁଟିରେ ଘରକୁ ଫେରୁଥିବା ଯବାନ ।

ଏଥିପାଇଁ ସେମାନେ ବାଛୁଥିଲେ ଭୋର୍ ସମୟକୁ। ଷ୍ଟେସନ ବାହାରେ ବୁଲୁଥିବା ମୁସ୍କାନ, ପ୍ରଥମେ ନିଜ ରୂପ ଜାଲରେ ଯାତ୍ରୀଙ୍କୁ ଫସାଉଥିଲା । ପରେ ସଂପର୍କ ଜମାଇ ଚା କିମ୍ବା କୋଲ୍ଡ ଡ୍ରିଙ୍କସ ପିଇବା ପାଇଁ ଦେଉଥିଲା । ଯେଉଁଥିରେ କୌଶଳ କ୍ରମେ ନିଶା ବଟିକା ମିଶାଇ ଯାତ୍ରୀଙ୍କୁ ବେହୋସ କରି ଦେଉଥିଲା । ପରେ ଅଟୋ ଧରି ହାଜିର ହୋଇଯାଉଥିଲେ ପୁରା ଗ୍ୟାଙ୍ଗ । ଏହାପରେ ବେହୋସ୍ ଯାତ୍ରୀଙ୍କ ସର୍ବସ୍ୱ ଲୁଟି ନେଇ ରାଜଧାନୀରେ ଗଳିକନ୍ଦିରେ ଫିଙ୍ଗି ଚଂପଟ୍ ମାରୁଥିଲେ ।

ଦୀର୍ଘ ୭ ବର୍ଷ ଧରି ଭୁବନେଶ୍ୱର ଷ୍ଟେସନ ଅଂଚଳରେ ଲୁଟ୍ ତରାଜ ଚଳାଇଥିଲା ଲଣ୍ଡା ଗ୍ୟାଙ୍ଗ । ଗଞ୍ଜାମର କୁଖ୍ୟାତ ଲୁଟେରା ଲଣ୍ଡା ଓରଫ୍ ଅଶୋକ ବେହେରା ଓ ନୟାଗଡ଼ର ସାନ ଲଣ୍ଡା ଓରଫ ପୂର୍ଣ୍ଣଚନ୍ଦ୍ର ସେଠୀ, ଓଡ଼ଗାଁର ସୁଶାନ୍ତ ରାଉତ ପ୍ରମୁଖ ସାମିଲ ଥିଲେ ଏହି ଗ୍ୟାଙ୍ଗରେ । କେବଳ ମୁସ୍କାନ ନାଁରେ ବିଭିନ୍ନ ଥାନାରେ ୭ ରୁ ଅଧିକର ମାମଲା ରହିଥିବାବେଳେ ଲଣ୍ଡା ନାଁରେ ରହିଛି ଡଜେନରୁ ଅଧିକ କେସ୍ । ମୁସ୍କାନ ସମେତ ଗ୍ୟାଙ୍ଗର ୪ ଜଣଙ୍କୁ ଗିରଫ କରିଛି ଖାରବେଳ ନଗର ପୋଲିସ ।

ଏହି ଗ୍ୟାଙ୍ଗ ଠାରୁ ୨ଟି ମୋଟର ସାଇକେଲ୍, ଛୁରୀ, ୪ ଷ୍ଟ୍ରିପ୍ ନିଶା ବଟିକା ଆଦି ଜବତ ହୋଇଛି । ଲୁଟେରା ଗ୍ୟାଙ୍ଗକୁ ଗିରଫ କରିବା ପରେ ସେମାନଙ୍କ ବିରୋଧରେ ଦଫା ୧୧୦ ଲଗାଇ ତଡିପାର କରିବା ପାଇଁ ଯୋଜନା କରୁଛି ପୋଲିସ୍ । ଏଥି ସହ ଏମାନେ କେଉଁଠାରୁ ନିଶା ବଟିକା କିଣୁଥିଲେ ସେ ନେଇ ମଧ୍ୟ ଅଧିକ ତଦନ୍ତ ଚଳାଇଛି ।

  • Reported by:
  • CHANDAN PAIKRAY