Advertisment

ନିଶା ଚାଲାଣର ଟ୍ରାନଜିଟ୍ ରୁଟ୍ କି ପାରାଦୀପ ବନ୍ଦର ? ଜାହାଜ କର୍ମଚାରୀଙ୍କୁ ଧରି ଖୋଳତାଡ଼ କରୁଛି କଷ୍ଟମ୍ ବିଭାଗ

ଆଜି ଏହି ଜାହାଜରୁ ୨ ଶହ କୋଟି ଟଙ୍କାର କୋକେନକୁ ଜବତ କରିଛି କଷ୍ଟମ୍ ବିଭାଗ। ମିଳିଥିବା ସୂଚନା ଅନୁଯାୟୀ, ପାନାମାରେ ପଞ୍ଜିକୃତ ଏହି ଜାହାଜର ମାଲିକ ହେଉଛନ୍ତି ଭିଏତନାମର।

author-image
Santosh Kumar Sahoo
Cocaine Seized From Paradeep

Cocaine Seized From Paradeep

ବିଦେଶୀ ଜାହାଜରେ ନିଷିଦ୍ଧ ଜହରର ଚୋରାଚାଲାଣ। କେଜିଏ କି ଦୁଇ କେଜି ନୁହଁ, ଲକ୍ଷେ କି କୋଟିଏ ଟଙ୍କାର ବି ନୁହଁ। ୨୨ କେଜିର ୨ ଶହ ୨୦କୋଟି ଟଙ୍କାର ମହଙ୍ଗା କୋକେନର ସ୍ମଗଲିଂ। ଯାହାର ଗୁମର ଫିଟିଛି ପାରାଦୀପ ପୋର୍ଟରେ। ଏ ହେଉଛି ସେହି ବିଦେଶୀ ଜାହାଜ। ଯାହାର ନାଁ MV DEBI। ଆସିଥିଲା ଇଣ୍ଡୋନେସିଆରୁ। ୨ ହଜାର ୮୦୧ ନଟିକାଲ୍ ମାଇଲ୍ ଅତିକ୍ରମ କରି ପାରାଦୀପ ବନ୍ଦରର PICT ବର୍ଥରେ ଲାଗିଥିଲା ୨ ଦିନ ତଳେ। ଆଜି ଏହି ଜାହାଜରୁ ୨ ଶହ କୋଟି ଟଙ୍କାର କୋକେନକୁ ଜବତ କରିଛି କଷ୍ଟମ୍ ବିଭାଗ। ମିଳିଥିବା ସୂଚନା ଅନୁଯାୟୀ, ପାନାମାରେ ପଞ୍ଜିକୃତ ଏହି ଜାହାଜର ମାଲିକ ହେଉଛନ୍ତି ଭିଏତନାମର। ୨୨ ତାରିଖରୁ ଇଣ୍ଡୋନେସିଆର ଗ୍ରେସିକ୍ ବନ୍ଦରରୁ ବାହାରି ଗତ ୨ ଦିନ ତଳେ ପାରାଦୀପ ପୋର୍ଟରେ ପହଞ୍ଚିଥିଲା। ଜାହାଜ ପହଞ୍ଚିବା ପରେ ଗୁଇନ୍ଦା ତଥ୍ୟ ଆଧାରରେ ଚଢ଼ାଉ କରିଥିଲା କଷ୍ଟମ ବିଭାଗ। ଆଉ ଧରିଥିଲା ୨ଶହ କୋଟି ଟଙ୍କାର କୋକେନ।

Advertisment

କୁହାଯାଉଛି, ପାରାଦୀପ ପୋର୍ଟରୁ ଷ୍ଟିଲ ପ୍ଲେଟ୍ ବୋଝେଇ ପରେ ଏହି ଜାହାଜ ଯାଇଥାନ୍ତା ଡେନମାର୍କ। କିନ୍ତୁ ମାଡ଼ିବସିଲା କଷ୍ଟମ ବିଭାଗ ଏବଂ ଚଢ଼ାଉବେଳେ ଧରିଥିଲା ଚୋରାଚାଲାଣର ଅଭିନବ ତରିକାକୁ। ଜାହାଜର ଏସବୁ କ୍ରେନରେ ଅଣାଯାଉଥିଲା ଏହି ନିଷିଦ୍ଧ ନିଶାଦ୍ରବ୍ୟକୁ। ଭିତରେ କାଳେ କେଉଁଠି ଯାଞ୍ଚ ହେବ ଏବଂ କୋକେନ୍ ଧରାପଡ଼ିଯିବ, ସେହି ଆଶଙ୍କାରେ ଏସବୁ କ୍ରେନରେ ଚୁମ୍ବକ ଲଗାଇ ଚାଲାଣ କରାଯାଉଥିଲା। କିନ୍ତୁ ଆଗୁଆ ସୂଚନା ପାଇ ଚଢ଼ାଉ କରିବା ସହ ସନ୍ଦିଗ୍ଧ ୨୨ଟି ପ୍ୟାକେଟକୁ ଜବତ କରିଥିଲା କଷ୍ଟମ ବିଭାଗ। ଯାହାକୁ ଆଜି ଡ୍ରଗ୍ସ ଟେଷ୍ଟିଂ କିଟରେ ଯାଞ୍ଚବେଳେ ଜଣାପଡ଼ିଥିଲା ଏସବୁ କୋକେନ୍। ତେବେ କେଉଁଠି ଲୋଡ୍ ହୋଇଥିଲା କୋକେନ୍ ? କେଉଁଠିକୁ ଯାଇଥାନ୍ତା ? କିଏ ଏହାକୁ ଚାଲାଣ କରୁଥିଲା ? ଓଡ଼ିଶାକୁ ଆସୁଥିଲା ନା ଓଡ଼ିଶାରୁ ଲୋଡ୍ ହୋଇଥିଲା ? ସେନେଇ କ୍ରିୟୁ ମେମ୍ବରଙ୍କୁ ଧରି ଏବଂ ସନ୍ଧାନୀ କୁକୁର ସହାୟତାରେ ସର୍ଚ୍ଚ ଅପରେସନ ଜାରି ରଖିଛି କଷ୍ଟମ ବିଭାଗ।

ସାଧାରଣତଃ ଦକ୍ଷିଣ ଆଫ୍ରିକାର କଲମ୍ବିଆ, ଆର୍ଜେଣ୍ଟିନା, ବଲିଭିଆ ଭଳି ବହୁ ରାଷ୍ଟ୍ରରେ ଏଭଳି କୋକେନର ବହୁଳ ବ୍ୟବହାର ହୋଇଥାଏ। ଏସବୁ ଦେଶରୁ ବିଭିନ୍ନ ରାସ୍ତା ଦେଇ ପୂର୍ବରୁ ଭାରତକୁ ଆସିଥିବା ନଜିର ବି ଅଛି। ୨୦୨୨ ଡିସେମ୍ବର ୫ରେ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଭାରତକୁ କୋକେନ୍ ଭଳି ନିଷିଦ୍ଧ ନିଶା ଦ୍ରବ୍ୟ ଆସୁଥିବା ଆଶଙ୍କା କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଡିରେକଟୋରେଟ୍ ଅଫ ରେଭନ୍ୟୁ ଇଣ୍ଟେଲିଜେନ୍ସ-DRI ଅଧିକାରୀଙ୍କୁ ଚେତାଇ ଦେଇଥିଲେ। ଆଉ ଏବେ ପାରାଦୀପ ବନ୍ଦରରୁ ମିଳିଛି ରେକର୍ଡ ପରିମାଣର କୋକେନ୍। ତେବେ ପ୍ରଶ୍ନ ଉଠୁଛି, ଡ୍ରଗ୍ସ ଚୋରାଚାଲାଣର ଟ୍ରାନଜିଟ୍ ରୁଟ୍ ପାଲଟିନି ତ ପାରାଦୀପ ବନ୍ଦର ? ଓଡ଼ିଶାକୁ ନିଶା ସାମଗ୍ରୀର ଅବାଧ ପ୍ରବେଶ ପାଇଁ ଏହି ରାସ୍ତାକୁ ବାଛିନାହାଁନ୍ତି ତ ବିଦେଶୀ ନିଶା ମାଫିଆ ? ଅନ୍ତର୍ଜାତୀୟ ନିଶା ବେପାରୀଙ୍କ ଲିଙ୍କରେ ରହି ଓଡ଼ିଶାରେ କେହି କୋକେନ୍ ବେପାରର କାୟା ମେଲାଇନାହିଁ ତ ?

Advertisment
Odisha Cocaine Paradeep Port
Advertisment
Advertisment