• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଭିସୁଟ୍‌ର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁଙ୍କ ରହସ୍ୟଜନକ ମୃତ୍ୟୁର ସରୁନି କାରଣ ଖୋଜା । ଘଟଣାକୁ ୫ଦିନ ବିତିଲାଣି, ହେଲେ ପ୍ରମାଣ ପାଉନି ପୋଲିସ । ତିନି ତିନିଟି ଟିମ୍ ଦ୍ୱାରା ବୁର୍ଲା, ବଲାଙ୍ଗିର ଓ ଭୁବନେଶ୍ୱରରେ ଖୋଳତାଡ଼ ଚଳାଇଛି ପୋଲିସ୍ । ଶେଷରେ ଚିନ୍ମୟୀଙ୍କ ପୁରୁଷବନ୍ଧୁ ପ୍ରୀତିମାନ ଓ ଆଉ ଜଣେ ଯୁବକଙ୍କର ଆଜି ଲାଇ ଡିଟେକ୍ସନ ଟେଷ୍ଟ କରାଇଛି । ଏସବୁ ଭିତରେ ତଦନ୍ତରେ ସ୍ୱଚ୍ଛତାକୁ ନେଇ ଆଶଙ୍କା ପ୍ରକାଶ କରିଛନ୍ତି ଚିନ୍ମୟୀଙ୍କ ମା’ ।

ବୁର୍ଲା ପାୱାରଚାନେଲ ବ୍ରିଜରେ ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁଙ୍କର କେମିତି ହେଲା ମୃତ୍ୟୁ ? ସମାବର୍ତ୍ତନ ଉତ୍ସବକୁ ଯାଇ ଚିନ୍ମୟୀ ଶବ ହୋଇଗଲେ କେମିତି ? ରାତି ୯ରେ ବସରେ ଭୁବନେଶ୍ୱର ଯିବା ପୂର୍ବରୁ ଚିନ୍ମୟୀଙ୍କ ସହ ଘଟିଲା କ’ଣ ? ଚିନ୍ମୟୀଙ୍କ ଗଳାରେ କେମିତି ହେଲା ଏହି ଦାଗ ? ଗୋଟି ଗୋଟି କରି ଅଗ୍ନିପରୀକ୍ଷାକୁ ସାମ୍ନା କରୁଛନ୍ତି ଚିନ୍ମୟୀଙ୍କ ସହ ଶେଷ ସମୟ ଯାଏଁ ଏକାଠି ଥିବା ପୁରୁଷ ବନ୍ଧୁ ପ୍ରୀତିମାନ ଦେ । ୪ ଦିନ ଧରି ବୁର୍ଲା ଥାନାରେ ଘନଘନ ଜେରା ପରେ ଆଜି ଭୁବନେଶ୍ୱର ଷ୍ଟେଟ ଫରେନସିକ ଲ୍ୟାବରେ ଲାଇ ଡିଟେକ୍ସନ କରାଇଛି ପୋଲିସ ।

ଚିନ୍ମୟୀ ସହ କେଉଁ ସଂପର୍କ ଥିଲା ? ପିସି ବ୍ରିଜରେ ଚିନ୍ମୟୀ ସହ କୌଣସି ପାଟିତୁଣ୍ଡ ହୋଇଥିଲା କି ? ଯଦି ହଁ, ତେବେ କାରଣ କ’ଣ ? ସହଯୋଗୀ ମାନସ ଟୁଡୁ ସହ ଚିନ୍ମୟୀଙ୍କୁ ଧରି କାହିଁକି ଯାଇଥିଲେ ପିସି ବ୍ରିଜ ? ଏଭଳି ପ୍ରାୟ ୫୦ଟି ପ୍ରଶ୍ନ ପଚରାଯାଇଛି ଲାଇ ଡିଟେକ୍ସନ ଟେଷ୍ଟରେ । ପ୍ରୀତିମାନଙ୍କ ସହ ସହଯୋଗୀ ମାନସଙ୍କର ବି ଲାଇ ଡିଟେକ୍ସନ ଟେଷ୍ଟ ହୋଇଛି । ପ୍ରଶ୍ନ ଉଠୁଛି, କାହିଁକି ଆବଶ୍ୟକ ପଡ଼ିଲା ମିଛଧରା ପରୀକ୍ଷା ?

ଚିନ୍ମୟୀଙ୍କ ବନ୍ଧୁ ପ୍ରୀତିମାନ ଓ ସାଥୀ ମାନସ ସତ ଲୁଚାଇବାକୁ ଚେଷ୍ଟା କରୁନାହାଁନ୍ତି ତ ? ନା ତଦନ୍ତକୁ ଆଗକୁ ନେବା ପାଇଁ ପୋଲିସ କରିଛି ଲାଇଡିଟେକ୍ସନଟେଷ୍ଟ ? ଭିସୁଟର ସମାବର୍ତ୍ତନ ଉତ୍ସବକୁ ଯାଇଥିବା ଚିନ୍ମୟୀଙ୍କ ମୃତ୍ୟୁକୁ ପୂରିଲାଣି ୫ଦିନ । ପୋଲିସ ହତ୍ୟା ମାମଲା ରୁଜୁ କରିବା ସହ ତିନି ତିନିଟି ଟିମ୍ ଦ୍ୱାରା ତନାଘନା ଚଳାଇଥିଲେ ବି କେମିତି ଓ କାହିଁକି ଘଟିଲା ଅଘଟଣ ? ଚିନ୍ମୟୀଙ୍କ ଗଳାରେ କେମିତି ଆସିଲା ଦାଗ ? ହତ୍ୟା ନା ଆତ୍ମହତ୍ୟା ? ଚିନ୍ମୟୀଙ୍କ ଭୁବନେଶ୍ୱର ସ୍ଥିତ ଭଡ଼ାଘରୁ ଜବତ ଲ୍ୟାପଟପରୁ କି ପ୍ରମାଣ ପାଇଲା ପୋଲିସ ? ତାକୁ ନେଇ ସସପେନ୍ସ ଲାଗିରହିଥିବାବେଳେ ଏଭଳି ହାତଯୋଡ଼ି ମିଡ଼ିଆଠୁ ଦୂରେଇ ଯାଉଛି ପୋଲିସ ।

ବଲାଙ୍ଗିର ସହରରବିକ୍ରମ ଛକରେ ଥିବାଚିନ୍ମୟୀଙ୍କ ଘରକୁ ଯାଇ ପ୍ରାୟ ଘଣ୍ଟାଏ ଧରି ବଲାଙ୍ଗିର ପୋଲିସ ଚିନ୍ମୟୀଙ୍କ ମା’ ଏବଂ ତାଙ୍କ ଭଉଣୀଙ୍କୁ ପଚରାଉଚରା କରିଛି । ତା’ସହ ମା’ ଝିଅଙ୍କ ମଧ୍ୟରେ ହୋଇଥିବା ଶେଷ ହ୍ୱାଟସ୍ଆପ ଚାଟକୁ ପୋଲିସ ସଂଗ୍ରହ କରିଛି । ତେବେ ପ୍ରୀତିମାନଙ୍କ ବାପା ଗୃହ ବିଭାଗର ଜଣେ ବରିଷ୍ଠ ଅଧିକାରୀ ହୋଇଥିବାରୁ ତଦନ୍ତରେ ସ୍ୱଚ୍ଛତାକୁ ନେଇ ଆଶଙ୍କା କରିଛନ୍ତି ଚିନ୍ମୟୀଙ୍କ ମା’ । ଏପରିକି ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ବି ସ୍ୱଚ୍ଛ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେପଟେ ପ୍ରୀତିମାନଙ୍କ ବାପା କହିଛନ୍ତି, ତଦନ୍ତରେ ସେ କୌଣସି ଚାପ ପକାଉ ନାହାନ୍ତି । ପୋଲିସ ଯାହା ତଦନ୍ତ କରିବା କଥା କରୁ, ସତ କିନ୍ତୁ ସାମ୍ନାକୁ ଆସୁ ।


ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର ଏବଂ ଭୁବନେଶ୍ୱରରୁ ଆଲୋକ ମହାନ୍ତିଙ୍କ ରିପୋର୍ଟ, ଓଟିଭି