• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବୀଭତ୍ସ, ଭୟଙ୍କର, ବର୍ବର । ନା ଦେଖି ହେଉଛି, ନା ଦେଖେଇ ହେଉଛି । ବରଗଡ଼ ଜାଣ୍ଡୋଲ୍ ଗାଁରେ ସଂଘଟିତ ଅପରାଧକୁ ନେଇ ଏବେ ଚର୍ଚ୍ଚା । ଗୋଟିଏ ବୁଣାକାର ପରିବାରର ଚାରି ଚାରି ଜଣଙ୍କ ରହସ୍ୟଜନକ ମୃତ୍ୟୁ, ଚାଞ୍ଚଲ୍ୟ ଖେଳାଇ ଦେଇଛି ଚାରିଆଡ଼େ । ଯେଉଁ ଘଟଣାର ନା କେହି ପ୍ରତ୍ୟକ୍ଷଦର୍ଶୀ ଅଛନ୍ତି ନା କୌଣସି ପ୍ରମାଣ ଏଯାଏଁ ସାମ୍ନାକୁ ଆସିଛି । ବନ୍ଦ ଘରୁ ବାପା, ମା ଓ ୨ ସନ୍ତାନଙ୍କ ଶବ ଉଦ୍ଧାର ପରେ ଏହା ଏକ ଗଣହତ୍ୟା ବୋଲି କୁହାଯାଉଛି । ପ୍ରାଥମିକ ତଦନ୍ତ ଏବଂ ପାରିପାର୍ଶ୍ୱିକ ସ୍ଥିତିରୁ ଆଶଙ୍କା କରାଯାଉଛି, ବାପା, ମା ଓ ସାନ ଭଉଣୀଙ୍କୁ ହତ୍ୟା କରିସାରି ଭେଣ୍ଡିଆ ପୁଅ ଆତ୍ମହତ୍ୟା କରିଛି । ତେଣେ ପୋଲିସ ବି ହତ୍ୟା ମାମଲା ରୁଜ୍ଜୁ କରି ଅପରାଧ ପଛର କାରଣ ଖୋଜୁଛି ।

ଅଧିକ ପଢ଼ନ୍ତୁ: ତିନି ଟଙ୍କା ପାଇଁ ହତ୍ୟାକାଣ୍ଡ ! ମା’ ମୃତ, ଦୁଇ ପୁଅ ଗୁରୁତର

ବନ୍ଦ ଘରୁ ଉଦ୍ଧାର ହୋଇଛି ଚାରି ଚାରି ଜଣଙ୍କ ଶବ । ଦୃଶ୍ୟ ଯେତିକି ଲୋମଟାଙ୍କୁରା, ଘଟଣା ପଛର କାହାଣୀ ବି ସେତିକି ହୃଦୟ ବିଦାରକ । ୨୦ ବର୍ଷିୟା ଶିବାନୀ ମେହେର । ବିବାହ ଯୋଗ୍ୟା ହେଲେ ବୋଲି ଦୀପାବଳୀର କିଛିଦିନ ଆଗରୁ ପୁଅ ଘରୁ ତାଙ୍କୁ ଦେଖିବାକୁ ଆସିଥିଲେ । ଜାତକ ସୁଝିଥିଲା ବୋଲି ବିବାହ ପକ୍କା କରିବାକୁ ଆସିଥାନ୍ତେ ପୁଅ ପକ୍ଷ । କିନ୍ତୁ ଦୁର୍ଭାଗ୍ୟ, ବୋହୂ ସାଜିବା ଆଗରୁ ଶବ ପାଲଟିଯାଇଛନ୍ତି ଶିବାନୀ । ଦିନ କେଇଟା ପରେ ଯେଉଁ ଘରୁ କନ୍ୟା ବିଦା ହୋଇଥାନ୍ତା, ସେହି ଘରୁ ବାହାରିଛି ଚାରି ଚାରିଟି ଶବ । ଏଭଳି ଅପ୍ରତ୍ୟାଶିତ ଘଟଣାକୁ ନେଇ କିଏ ବା ଧୈର୍ଯ୍ୟ ଧରିବ, କିଏ ବା ନିଜକୁ ସମ୍ଭାଳିପାରିବ ।

ଶିବାନୀଙ୍କ ସହ ତାଙ୍କ ୫୫ ବର୍ଷିୟ ବାପା ଶେଷଦେବ ମେହେର, ୪୮ ବର୍ଷିୟା ମା କ୍ଷୀରେଶ୍ୱରୀ ଓ ୨୮ ବର୍ଷିୟ ଭାଇ ଅରବିନ୍ଦଙ୍କ ଉଦ୍ଧାର ହୋଇଛି ମୃତଦେହ । ଝୁଲନ୍ତା ଅବସ୍ଥାରେ ଅରବିନ୍ଦ ଏବଂ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବାପା ଶେଷଦେବଙ୍କ ମୃତଦେହ ମିଳିଛି ତଳ ମହଲାରେ । ଦ୍ୱିତୀୟ ମହଲାରେ ପଡ଼ିରହିଥିଲା ମା, ଝିଅଙ୍କ ଡେଡ୍‌ବଡି । ଘର ଭିତରୁ ଏକ ରକ୍ତ ଲଗା ହାତୁଡି ମିଳିଥିବାରୁ ଏବଂ ସ୍କୁଟରରେ ରକ୍ତ ଛିଟା ଲାଗିଥିବାରୁ ଅରବିନ୍ଦ ହିଁ ୩ ଜଣଙ୍କୁ ପ୍ରଥମେ ହତ୍ୟା ପରେ ନିଜେ ଆତ୍ମହତ୍ୟା କରିଥିବା ଆଶଙ୍କା କରାଯାଉଛି । ପୋଲିସ ବି ହତ୍ୟା ମାମଲା ରୁଜୁ କରିଛି ।

ଶେଷଦେବ ହେଉଛନ୍ତି ବୁଣାକାର ପରିବାରର । ପାରମ୍ପରିକ କୌଳିକ ବୃତ୍ତିକୁ ସମସ୍ତେ ଆଦରି ନେଇଥିବାରୁ ସେପରି ଆର୍ଥିକ ସମସ୍ୟା ବି ନଥିଲା । ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ଦ୍ୱିିତୀୟ ବିବାହ କରିଥିଲେ ଶେଷଦେବ । ଅରବିନ୍ଦ ପ୍ରଥମ ପତ୍ନୀଙ୍କ ପୁଅ ହୋଇଥିବା ବେଳେ ଶିବାନୀ ଦ୍ୱିତୀୟ ପତ୍ନୀଙ୍କ ଝିଅ । ପ୍ରଥମ ପତ୍ନୀଙ୍କ ବଡ଼ ଝିଅ ବୃନ୍ଦାବତୀଙ୍କ କହିବା କଥା, ବାହା ହେବାକୁ ଆଦୌ ରାଜି ହେଉନଥିଲେ ଅରବିନ୍ଦ । ଏହାକୁ ନେଇ ବେଳେବେଳେ ଅରବିନ୍ଦ ଓ ପରିବାର ମଧ୍ୟରେ ମତାନ୍ତର ଲାଗିରହୁଥିଲା । ତେଣୁ ଶିବାନୀଙ୍କ ବିବାହ ପ୍ରସ୍ତାବ ଚୁଡ଼ାନ୍ତ କରାଯାଇଥିଲା । ତାହାରି ଭିତରେ ଏମିତି କଣ ଘଟିଲା ଯେ, ଶେଷରେ ୩ ଜଣଙ୍କୁ ହତ୍ୟା କରି ନିଜେ ଜୀବନ ହାରିଲେ ଅରବିନ୍ଦ ?

ସାବତ ମାଙ୍କୁ ନେଇ ଲାଗିରହୁଥିଲା କି ପାରିବାରିକ ବିବାଦ ? କୁହାଯାଉଛି, ଅରବିନ୍ଦ ବିଭିନ୍ନ ପ୍ରକାରର ବ୍ୟବସାୟ କରି ବିଫଳ ହୋଇଥିଲେ । ତେବେ ବ୍ୟବସାୟରେ ହତାଶ ହୋଇ ସେ ଏପରି କାଣ୍ଡ ଭିଆଇ ନାହାଁନ୍ତି ତ ? ଯଦି ଅରବିନ୍ଦ ତିନି ତିନି ଜଣଙ୍କୁ ହତ୍ୟା କଲେ, ପାଖପଡ଼ୋଶୀ କେମିତି ଟେର୍ ପାଇଲେନି ?

ବରଗଡ଼ ଜିଲ୍ଲାର ଏହି ଚାଞ୍ଚଲ୍ୟକର ଘଟଣା ପରେ ମନେପଡୁଛି, ଗତ କେଇ ବର୍ଷରେ ସମାନ ଢଙ୍ଗରେ ସଂଘଟିତ ଅପରାଧର ଘଟଣାବଳୀ । ୨୦୧୬ ଅଗଷ୍ଟରେ ଘଟିଥିଲା ପାରଳା ପ୍ୟାଲେସ୍‌ରେ ଗଣ ଆତ୍ମହତ୍ୟା । ବନ୍ଦ ଘରୁ ମିଳିଥିଲା ପ୍ୟାଲେସର ପୂର୍ବତନ ମ୍ୟାନେଜର ଅନଙ୍ଗ ମଞ୍ଜରୀ ପାତ୍ରଙ୍କ ସହ ୪ ଜଣଙ୍କ ଡେଡ୍‌ବଡି । ୨୦୧୮ ଜୁଲାଇରେ ଦିଲ୍ଲୀ ବୁରାଡ଼ିରେ ଭାଟିଆ ପରିବାରର ୧୧ ଜଣଙ୍କ ରହସ୍ୟଜନକ ମୃତ୍ୟୁ ମାମଲା, ଆଜି ବି ଭୁଲି ହେଉନି । ଗତ ଜୁନ୍ ୨୦ରେ ମହାରାଷ୍ଟ୍ର ସାଙ୍ଗଲିରେ ଗୋଟିଏ ପରିବାରର ୯ ଜଣଙ୍କ ମିଳିଥିଲା ମୃତଦେହ ।