Advertisment

ଇଞ୍ଜିନିୟରଙ୍କ ଅମାପ ସଂପତ୍ତି ! ଯନ୍ତ୍ରୀଙ୍କ ଘର ଦ୍ୱାର ଦେଖି ଭିଜିଲାନ୍ସ ଟେରା

ଭୁବନେଶ୍ବରରେ ୨ଟି ଆଲିସାନ କୋଠା ଓ ପୁରୀରେ ୨ଟି ଫ୍ଲାଟ୍ । ଏଯାବତ୍ ଠାବ ହେଲାଣି ୩୪ ପ୍ଲଟ୍, ୯ଟି ସ୍ଥାନରେ ହୋଇଥିଲା ରେଡ୍ ।

author-image
Satyendu Shekher Mishra
undefined

Vigilance Raid

ଭୁବନେଶ୍ୱର-କଟକ-ପୁରୀ ଓ ଢେଙ୍କାନାଳରେ ୩୪ଟି ପ୍ଲଟ୍ । ରାଜଧାନୀରେ ଦୁଇଟି ବହୁତଳ କୋଠା । ପୁରୀରେ ଦୁଇଟି ଫ୍ଲାଟ୍ । ଅମାପ ସଂପତ୍ତିର ଅଧିକାରୀ, ବଲାଙ୍ଗୀର ଲୋୟର ସୁକତେଲ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ କୁମାର ରାଉତ। ଯନ୍ତ୍ରୀଙ୍କ ସଂପତି ପେଡି ଖୋଲିଲେ ଆଖି ଟେରା ହୋଇଯାଉଛି । ଭୁବନେଶ୍ୱର ନୀଳାଦ୍ରି ବିହାରରେ ତିନି ମହଲା କୋଠା। ଘର ତ ନୁହେଁ, ରାଜ ଉଆସ। ବାହାରେ ସ୍ୱାଗତ ପାଇଁ ରହିଛି ଦାମୀ କାଠରେ ତିଆରି ହାତୀ ମୁଣ୍ଡ ଡିଜାଇନ୍। ଭିତରେ ସାଜସଜ୍ଜା ଷ୍ଟାର ହୋଟେଲ ଭଳି। ଆଖି ଖୋସିଗଲା ଭଳି ଇଣ୍ଟେରିଅର୍। ଘର ସାରା ଆଣ୍ଟିକ ପିସରେ ଭର୍ତ୍ତି।

Advertisment

ଯନ୍ତ୍ରୀ ବାବୁଙ୍କ ଫାର୍ମ ହାଉସ ବି କାହିଁରେ କ’ଣ । ଢେଙ୍କାନାଳ ସପ୍ତଶଯ୍ୟା ପଡାର ଘଂଚ ଜଙ୍ଗଲ ଓ ପାହାଡିଆ ସ୍ଥାନରେ ୮ ଏକର ଜାଗାରେ ତିଆରି ହୋଇଛି । ଫାର୍ମ ହାଉସ ଭିତରେ ୭୦ଟି ଗାଈ, କୁକୁଡା ଫାର୍ମ ସହ ମାଛ ପୋଖରୀ ବି ରହିଛି। ଯେଉଁଠି ହଂସ ଖେଳୁଛନ୍ତି । ଇଂଜିନିୟର ସୁନିଲ ରାଉତଙ୍କ ପତ୍ନୀ ଶର୍ମିଲା ଧଳଙ୍କ ନାଁରେ ରହିଛି ଫାର୍ମ ହାଉସ। କଟକ ଭିଜିଲାନ୍ସର ଦୁଇଟି ଟିମ ସେଠାରେ ଚଢାଉ କରି ତନ୍ନ ତନ୍ନ କରି ଯାଂଚ କରିଛି।

ସେପଟେ ବଲାଙ୍ଗୀର ସ୍ଥିତ ନିର୍ମାଣ ଯନ୍ତ୍ରୀଙ୍କ ସରକାରୀ ବାସଭବନ ଓ ଅଫିସରେ ମଧ୍ୟ ରେଡ୍ କରିଛି ଭିଜିଲାନ୍ସ। ଅଫିସକୁ ଲାଗିକି ଥିବା ସିକ୍ରେଟ ଚାମ୍ବରକୁ ନେଇ ଜାରି ରହିଛି ଚର୍ଚ୍ଚା । ପୁରୀ ଦୋଳମଣ୍ଡପ ସାହିରେ ଗୋଟିଏ ଟୁ ବିଏଚକେ ଫ୍ଲାଟ୍ ଏବଂ ଭିଆଇପି ରୋଡ୍ ସ୍ଥିତ କ୍ରିଷ୍ଣଧାମ ଆପାର୍ଟମେଣ୍ଟରେ ବି ଫ୍ଲାଟ ରହିଛି। ଘରଟିକୁ ଭଡାରେ ଲଗାଯାଇଥିବା ବେଳେ ଆଜି ଭିଜିଲାନ୍ସ ଟିମ୍ ଏଠାରେ ମଧ୍ୟ ଚଢାଉ କରିଛି। କଟକ ଗୁରୁଡ଼ିଝାଟିଆସ୍ଥିତ ପୈତୃକ ଘର, ଅନୁଗୁଳ କିଶନ ନଗର ସ୍ଥିତ ସମ୍ପର୍କୀୟଙ୍କ ଘର ଏବଂ ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ଘରେ ମଧ୍ୟ ରେଡ୍ କରିଛି ଭିଜିଲାନ୍ସ।

Advertisment

ଚଢାଉ ବେଳେ ନଗଦ ୨ ଲକ୍ଷ ୩୪ ହଜାର ଟଙ୍କା, ୧୭୬ ଗ୍ରାମ୍ ସୁନା, ୨ଟି ଟ୍ରକ୍ ଓ ୨ଟି ଦାମୀ କାର୍ ଜବତ ହୋଇଛି। ବ୍ୟାଙ୍କ, ପୋଷ୍ଟାଲ, ଇନସ୍ୟୁରାନ୍ସ ଏବଂ ଅନ୍ୟାନ୍ୟ ଜମା ବାବଦରେ କେତେ ଟଙ୍କା  ରହିଛି, ତାର ହିସାବ କରୁଛି ଭିଜିଲାନ୍ସ। ସ୍ପେଶାଲ ଜଜ୍ ଭୁବନେଶ୍ୱରଙ୍କ ନିର୍ଦ୍ଦେଶରେ ୨ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ୯ଟି ସ୍ଥାନରେ ଏକକାଳିନ ଚଢ଼ାଉ ହୋଇଛି। ପ୍ରଶ୍ନ ଉଠୁଛି, ପୂର୍ବ ସରକାର ଅମଳରେ ସୁନୀଲଙ୍କ ଭଳି ଆହୁରି କେତେଜଣ ଏଭଳି କୁବେର ବନିଛନ୍ତି ?

Vigilance Raid Raid
Advertisment
Advertisment